ସରିଲା ଜାତୀୟ କୁକୁର ପ୍ରଦର୍ଶନୀ: ବାଜି ଜିତିଲେ ଜାମ୍ପି, ଜାଇଲା

ଭୁବନେଶ୍ବର: ସୁନ୍ଦର ଦିଶିବାକୁ ମୁଣ୍ଡରେ ବାନ୍ଧିଥିଲେ ରଙ୍ଗିନ ରିବନ। କେତେବେଳେ ଦାନ୍ତ ନେଫେଡ଼େଇ ଦେଉଥିଲେ ତ କେତେବେଳେ ଜିଭ କାଢ଼ି ଚ‌ାହୁଁଥିଲେ। ଯେମିତି ଫୁଲେଇ ପ୍ରେମିକା। କିଛି ନ କହି ବି କଥାକୁହା ନୀରିହ ଆଖିରେ ବ୍ୟକ୍ତ କରି ଦେଉଥିଲେ ବହୁ ଅକୁହା କଥା। ସେମାନଙ୍କୁ ସାମ୍ନାରେ ଦେଖୁଥିବା ଲୋକ ବି ଦ୍ବନ୍ଦ୍ବରେ ପଡ଼ୁଥିଲେ ଯେ ଇଏ କୁକୁର ନା, ଚାବି ଦିଆ ଦାମୀ କଣ୍ଢେଇ। ତାଙ୍କ କୌତୁକିଆ ଚାଲି ଯେତିକି ମନ ହରି ନେଉଥିଲା, ଲମ୍ବା ଚୁଟି ତାଙ୍କ ଆଖି ସାମ୍ନାକୁ ଆସିବା କ୍ଷଣି ତାକୁ ଛାଟିଦେବାର ଦୃଶ୍ୟ ଲୋକଙ୍କ ମନରେ ସେତିକି କୌତୁହଳ ସୃଷ୍ଟି କରୁଥିଲା। ଓଡ଼ିଶା କେନେଲ୍‌ କ୍ଲବ୍‌ ପକ୍ଷରୁ ୟୁନିଟ୍‌ ୬ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜତ ଜାତୀୟ କୁକୁର ପ୍ରଦର୍ଶନୀରୁ ଆଜି ଏପରି ମଧୁର ଅନୁଭୂତି ସାଉଁଟିଥିଲେ କୁକୁର ପ୍ରେମୀ। ଜର୍ମାନ ସେଫର୍ଡ, ଲାବ୍ରାଡର, ଡୋବରମାନ୍‌, ଆମେରିକାନ ଆକିତା, ମିନ୍‌ ପିନ୍‌, ସିଟ୍‌ଜୁ, ପମ୍‌, ଅକ୍ସୋଟେରିଆନ୍‌, ବୁଲ୍‌ଡୋଗ୍‌, ରଟ୍‌ୱିଲର, ମାଷ୍ଟିଫ୍‌, ସେଣ୍ଟ୍‌ ବର୍ଣ୍ଣାଡ୍‌, ଫକ୍ସ ଟେରିୟର, ଡାସ୍‌ହଣ୍ଡ୍‌ସ, ଗ୍ରେଟ୍‌ଡେନ୍‌ ଭଳି ୩୮ ପ୍ରଜାତିର ୨୮୦ଟି କୁକୁର ୫୯ତମ ଓ ୬୦ତମ ‘ସବୁ ପ୍ରଜାତି ସୋ’ ତଥା ଅଲ୍‌ ବ୍ରିଡ୍‌ସ ସୋ’ରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ପ୍ରଥମଥର ପାଇଁ ଏହି ସୋ’ରେ ସ୍କିପର୍‌କେ ଓ ଜାକ୍‌ ରସେଲ୍‌ ଟେରିୟର ପ୍ରଜାତିର କୁକୁରଙ୍କୁ ଦେଖିବାର ସୁଯୋଗ ମିଳିଥିଲା। ଉଭୟ ୫୯ ଓ ୬୦ତମ ସୋ’ରେ ବାଙ୍ଗାଲୋରର ରିତେଶ ମିତ୍ତଲଙ୍କ ଜର୍ମାନ ସେଫର୍ଡ ‘ଜାମ୍ପି’ ପ୍ରଥମ ସ୍ଥାନ ଅଧିକାର କରିଥିଲା। କୋଲକାତାର ଦୀପଶିଖ‌ା ଆଦିତ୍ୟଙ୍କ ଡୋବରମାନ ‘ଜାଇଲା’ ଓ କୋଲକାତାର ସୌରଭ ଚୌଧୁରୀଙ୍କ ଲାବ୍ରାଡର ‘ଲାବ୍ରାମାରିନ୍‌’ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଆଜିର ସୋ’ରେ ବିଚାରକ ଥିଲେ ଲାଟ୍‌ଭିଆର ରୀତା କାଡ଼ିକେ ଓ ସ୍ବିଡେନ୍‌ର ଇଭା ଲିଲ୍‌ଜେକଭିଷ୍ଟ ବର୍ଗ। ଓଡ଼ିଶା କେନେଲ୍‌ କ୍ଲବ୍‌ର ସମ୍ପାଦକ ସୁବ୍ରତ ପୃଷ୍ଟି ଓ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପମ୍ ‘ଚିଜ୍‌’ର ଦାମ୍‌ ୧୫ ଲକ୍ଷ
କୁକୁର ପ୍ରଦର୍ଶନୀରେ ଆଜି ଆକର୍ଷଣ ପାଲଟିଥିଲା ଏକ କୁନି ପମେରେନିଆନ୍‌। ଚିଜ୍‌ ନାମକ କୁନି ପମେରେନିଆନ୍‌ ଦେଖିବାକୁ ଏକଦମ କଣ୍ଢେଇ ସଦୃଶ ହୋଇଥିବା ବେଳେ ତା’ ଚାହାଣି ମନ ଚୋରି କରିନେଉଥିଲା। ତା’ର ଦାୟିତ୍ବ ନେଇଥିବା ଅନିଲ୍‌ଙ୍କ କହିବା ମୁତାବକ, ତାକୁ ସେ ଥାଇଲାଣ୍ଡ୍‌ରୁ ଆଣିଥିଲେ। ନିର୍ଦିଷ୍ଟ ଭାବେ ସେଇ ଚିଜ୍‌ର ମୂଲ୍ୟ ୧୫ଲକ୍ଷ ଟଙ୍କା ବୋଲି ସେ କହିଥିଲେ। ଏଥିସହ ଲମ୍ବା ରୁମ ବାଲା ସିଟ୍‌ଜୁ ଓ ଅକ୍ସୋଟେରିଆନ୍‌ଙ୍କ ଷ୍ଟ୍ରେଟ୍ ରୁମ ଓ ମୁଣ୍ଡରେ ରିବନ୍‌ ବନ୍ଧା ଚୁଳ ଯୋଗୁଁ ସେମାନଙ୍କୁ ଦେଖିବା ପାଇଁ ପ୍ରବଳ ସମାଗମ ହେଉଥିଲା। ସିଟ୍‌ଜୁ ରୋମିଓର ମୂଲ୍ୟ ୧୦ଲକ୍ଷ‌ ଟଙ୍କା ବୋଲି ଅନିଲ୍ କହିଛନ୍ତି।

ଆଇଫୋନ୍‌ରୁ ଶିମ୍ବା
କୁକୁରଙ୍କ ନାମ ଯେତିକି ଆକର୍ଷଣୀୟ ତାଙ୍କ ଚାଲିଚଳନ ସେତେ ଆକର୍ଷଣୀୟ। କିଛି ପ୍ରଜାତିର କୁକୁରଙ୍କ ପଛରେ ଏକ ଇତିହାସ ମଧ୍ୟ ରହିଛି। ଆମେରିକାନ୍‌ ଆକିତା ପ୍ରଦର୍ଶନୀକୁ ଆଣିଥିବା ଅମିତାଭ ରାଉତଙ୍କ କହିବା ମୁତାବକ, ଜାପାନରେ ଜଣେ ବ୍ୟକ୍ତିଙ୍କ ପାଖରେ ଆମେରିକା ଆକିତା ପ୍ରଜାତିର ହାଚିକୋ ନାମକ ଏକ କୁକୁର ଥିବା ବେଳେ ତା’ର ମାଲିକକୁ ସେ ୯ ବର୍ଷ ପର୍ଯ୍ୟନ୍ତ ଏକ ରେଲ୍‌ୱେ ଷ୍ଟେସନ୍‌ ନିକଟରେ ଅପେକ୍ଷା କରୁଥିଲା। ସେଇ କାହାଣୀକୁ ଆଧାର କରି ‘ହାଚିକୋ’ ଶୀର୍ଷକ ହଲିଉଡ୍‌ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ତାଙ୍କ ଦ୍ବାରା ପାଳିତ ଆକିତା ‘ଶିମ୍ବା’ ମଧ୍ୟ ସେଇଭଳି ମିଶାଣିଆ ପ୍ରକୃତିର ବୋଲି ସେ କହିଛନ୍ତି। କୁକୁରଙ୍କ ନାମ ଶୁଣିଲେ ମଧ୍ୟ ବେଶ୍ କୌତୁହଳ ସୃଷ୍ଟି ହେବ। ଅନିଲ୍‌ ଆଣିଥିବା ଅକ୍ସୋଟେରିଆନ୍‌ର ନାଁ ଆଇଫୋନ୍‌ ରଖିଥିବା ବେଳେ ସନ୍ଦୀପ ସଂହଙ୍କ ଲାବ୍ରାଡରର ନାମ ଆରୋ। ସେହିଭଳି ହାନ୍‌ସମ ବଏ, ବ୍ଲୁ ହ୍ବିଲ୍‌, ଡିଭାଇନ୍‌ ଆଇ, ମୁସ୍‌କି ଓ ଚକୋ ଭଳି ମଧ୍ୟ କିଛି କୁକୁରଙ୍କ ନାମକରଣ କରାଯାଇଛି।

ସମ୍ବନ୍ଧିତ ଖବର