ସରିଲା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଜୀବନର ପ୍ରକୃତ ଲକ୍ଷ୍ୟ ବୁଝିବା ଉଚିତ୍‌: ମନୋଜ ଦାସ

ଭୁବନେଶ୍ବର: ବିଜ୍ଞାନ ଓ ବିଷାଦ ଭିତରେ ମଣିଷର ମୃତ୍ୟୁ ଲୁଚି ରହିଛି। ଏଥିପାଇଁ କେବଳ ପରିବେଶ ଭିତ୍ତିକ ଦୁର୍ବିପାକ ଦାୟୀ ନୁହେଁ, ବରଂ ବିଶ୍ବ ପ୍ରକୃତି ସହ ମାନବ ପ୍ରକୃତିର ସଂଘର୍ଷ ହିଁ ଦାୟୀ ବୋଲି କହିଛନ୍ତି ପ୍ରଥିତଯଶା ସାହିତ୍ୟିକ ପ୍ରଫେସର ମନୋଜ ଦାସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ମଣିଷ ବିରାଟ ଚେତନା ସ୍ତରରୁ ଖସି ଆସିଛି। ଧୈର୍ଯ୍ୟ ହରାଇ ଆଦର୍ଶକୁ ଭୁଲି ବିଷ‌ାଦଗ୍ରସ୍ତ ହେବାରେ ଲାଗିଛି। ଦୁର୍ନୀତି ସବୁକାଳେ ଥିଲା। ଆଜି କିନ୍ତୁ ଦୁର୍ନୀତି ସମସ୍ତଙ୍କର ମଜ୍ଜାଗତ ହୋଇଯାଇଛି। ଏହି ଅଚିନ୍ତ୍ୟ ଜଗତରେ ଯେଉଁ ଦ୍ବନ୍ଦ୍ବ ଓ ସଂଘର୍ଷ ସୃଷ୍ଟି ହୁଏ, ଏହା ହେଉଛି ସଂହତି ଜନିତ ସମସ୍ୟା। ଆମେ ଘରୋଇ, ଅର୍ଥନୈତିକ କି ରାଜନୈତିକ ସଂକଟ ଦେଇ ଗତି କରୁନାହୁଁ, ବରଂ ବିବର୍ତନଗତ ସଂକଟ ଦେଇ ଗତି କରୁଛୁ। ବିବର୍ତନ ଦ୍ବାରା ମଣିଷ ନିଜ ବୁଦ୍ଧି ଓ ଜ୍ଞାନର ପରିସରକୁ ଯେତିକି ବଢ଼ାଇବା କଥା କରିସାରିଛି। ଏବେ ମଣିଷ ନିଜର ବିବେକ ଶକ୍ତି ପ୍ରୟୋଗ କରି ଅନ୍ତର୍ନିହିତ ସତ୍ତାକୁ ଅନୁଭବ କରି ଜୀବନର ପ୍ରକୃତ ଲକ୍ଷ୍ୟ ବୁଝିବା ଉଚିତ୍‌। ସେ ଏକଥା ବି କହିଲେ, ମଣିଷ ଜୀବନରେ ସୁଖ ଓ ଶାନ୍ତି ଚାହେଁ। ଅଥଚ ସୁଖାନୁଭବର ପ୍ରୟାସରେ ବାରମ୍ବାର ବିଘ୍ନ ଦେଖାଦିଏ। ଏହି ବିଘ୍ନକୁ ଦୂର କରିବାର ପ୍ରଚେଷ୍ଟା ହିଁ ହେଉଛି ସାହିତ୍ୟ, ରାଜନୀତି, ଅର୍ଥନୀତି ଓ ସମାଜତତ୍ତ୍ବର ବିଷୟବସ୍ତୁ।

ଏହି ଅବସରରେ କୋଲକାତା ପୁସ୍ତକ ପ୍ରକାଶନର ସମ୍ପାଦକ ତ୍ରିଦିବ କୁମାର ଚାଟାର୍ଜୀ କୋଲକାତାର ଅନ୍ତର୍ଜାତୀୟ ପୁସ୍ତକ ମେଳା ସମ୍ପର୍କିତ ଅଭିଜ୍ଞତାକୁ ବ୍ୟକ୍ତ କରି କହିଲେ, ଡିସେମ୍ବର ଶେଷ ସପ୍ତାହ ପୁସ୍ତକ ମେଳା ପାଇଁ ପ୍ରକୃଷ୍ଟ ସମୟ। ରାଜ୍ୟ ସରକାର ମଧ୍ୟ ଏହି ସମୟରେ ସ୍କୁଲ୍‌ କଲେଜ୍‌କୁ କିଛି ଅନୁଦାନ ଦେଇ ପୁସ୍ତକ ମେଳାରୁ ବହି କିଣିବା ପାଇଁ ପ୍ରୋତ୍ସାହନ ଦେବା ଉଚିତ୍‌। କିଛି ଅନ୍ତର୍ଜାତୀୟ ସାଂସ୍କୃତିକ ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କୁ ସାମିଲ୍‌ କରିବାର ଅବକାଶ ସୃଷ୍ଟି କରିବା ଉଚିତ୍‌। ଦୈନିକ କିଛି ଆକର୍ଷଣୀୟ ଉପହାର ସହ ଏଥିପାଇଁ ନିର୍ଦିଷ୍ଟ ଅର୍ଥ ବ୍ୟୟ କରିବାକୁ କହିଥିଲେ। ସେ ଏକଥା ବି କହିଲେ, ବଙ୍ଗଳାରୁ ଯେତିକି ସାହିତ୍ୟ ଓଡ଼ିଆରେ ଅନୁବାଦ ହେଉଛି ଓଡ଼ିଆ ସାହିତ୍ୟ ବଙ୍ଗଳାରେ ବେଶି ଅନୁବାଦ ହେଉନାହିଁ। ଏ ଦିଗରେ ଧ୍ୟାନ ଦେବାକୁ ସେ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ସଭାରେ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ‌ଓଡ଼ିଶା ସାହିତ୍ୟ ଏକାଡେମି, ଓଡ଼ିଆ ଭାଷା ପ୍ରତିଷ୍ଠାନ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅର୍ଚନା ନାୟକଙ୍କ ‘ପଣ୍ଡିତ ଗୋପବନ୍ଧୁ ଦାସ’, ଉପେନ୍ଦ୍ର ନାୟକଙ୍କ ‘ବିସ୍ତାରିତ ବିଶ୍ବାସ’, ମନୋରଂଜନ ପାଣିଗ୍ରାହୀଙ୍କ ‘ସାନ ଅନୁଭବ’, ବନୋଜ ତ୍ରିପାଠୀ ଓ ଭାରତ ମାଝୀଙ୍କ ସମ୍ପାଦିତ ‘ଗାନ୍ଧୀ’, ସାଧନା ମିଶ୍ର ଓ ବିଷ୍ଣୁ ଚରଣ ରାଉତଙ୍କ ଅନୁଦିତ ‘ନାରୀ ମର୍ଯ୍ୟାଦା’, ଅବ୍ରାର୍‌ ମହମ୍ମଦଙ୍କ ‘ମାଇଁ ସୋସିଆଲ୍‌ ଗାଇଡାନ୍ସ ଲିଟରେଚର ଟପିକ୍ସ’, ଅନୁପ କିଶୋର ଦାସ ଓ ଦେବାଶିଷ ସାହୁଙ୍କ ସମ୍ପାଦିତ ‘ମନୋଜ କିଶୋର ସଂକଳନ’, ରବିନାରାୟଣ ସେନାପତିଙ୍କ ‘ବିଜିତ ଆବେଗ’ ପୁସ୍ତକ ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ସଭା ଶେଷରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷ ସନ୍ତୋଷ କୁମାର ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ‘ବଜାଶାଲ’ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ।

ସମ୍ବନ୍ଧିତ ଖବର