ଭୁବନେଶ୍ବର: ମଞ୍ଚରେ ଦେଖିବାକୁ ମିଳିଥିଲା ଭକ୍ତ ଓ ଭଗବାନଙ୍କ ପ୍ରେମର ଝଲକ। ଭକ୍ତ ତା’ ଭକ୍ତିରେ ତ ମଗ୍ନ ଥିଲା, କିନ୍ତୁ ଏଥର ପରୀକ୍ଷା ଥିଲା ଭଗବାନଙ୍କ ଭକ୍ତ ବତ୍ସଳତାର। ନାଟକୀୟ ଢଙ୍ଗରେ ମଞ୍ଚରେ ପରିବେଷିତ ହେଉଥିଲା ଗୀତିନାଟ୍ୟ ‘ନରମେଧ ଯଜ୍ଞ’। ସୂର୍ଯ୍ୟବଂଶୀ ରାଜା ଯଯାତି କେଶରୀ ନିଜ ପିତାଙ୍କ ମୁକ୍ତି ପାଇଁ ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ‘ନରମେଧ ଯଜ୍ଞ’ର ଆୟୋଜନ କରନ୍ତି। ଯଜ୍ଞରେ ଦରିଦ୍ର ବାହ୍ମଣ ପୁତ୍ର କୁଶଧ୍ବଜକୁ ଉତ୍ସର୍ଗ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। କିନ୍ତୁ ଭଗବାନ ଭକ୍ତିରେ ଲୀନ ଭକ୍ତ କୁଶଧ୍ବଜ ଓ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଭଗବାନଙ୍କ ଭକ୍ତ ବତ୍ସଳତାର ପ୍ରମାଣ ମିଳେ। ଯଜ୍ଞ କୁଣ୍ଡରୁ ସ୍ବୟଂ ଭଗବାନ ବିଷ୍ଣୁ ଆବିର୍ଭାବ ହୋଇ ଭକ୍ତଙ୍କୁ ରକ୍ଷା କରନ୍ତି। ପୁରାଣ ବର୍ଣ୍ଣିତ ‘ଭକ୍ତ-ଭଗବାନ’ସମ୍ପର୍କର ଏହି କାହାଣୀ ବେଶ୍ ନିଆରା ଢଙ୍ଗରେ ଆଜି ପରିବେଷିତ ହୋଇଥିଲା ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ। ପୁରାଣର ଏହି କଥାବସ୍ତୁକୁ ଗଣକବି ବୈଷ୍ଣବ ପାଣିଙ୍କ ରଚନା ଆଧାରରେ ମଞ୍ଚସ୍ଥ କରିଥିଲେ ସାଲେପୁରର ‘ଲକ୍ଷ୍ମୀନୃସିଂହ ସାଂସ୍କୃତିକ ସଂସଦ’। ଅବସର ଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ଓଡ଼ିଆ ସଙ୍ଗୀତ ନାଟକ ଏକାଡେମି’ ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ’ର ଦ୍ବିତୀୟ ଦିନ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର, ନାଟ୍ୟକାର ମନୋଜ ପଟ୍ଟନାୟକ ଓ ବିଶିଷ୍ଟ ସଙ୍ଗୀତଜ୍ଞ ପଣ୍ଡିତ ଦାମୋଦର ହୋତା ପ୍ରମୁଖ ଯୋଗ ଦେଇଥିଲେ। ଏକାଡେମିର ସଭାପତି ରାମକୃଷ୍ଣ ସାହୁ ଓ ସଚିବ ବିଜୟ କୁମାର ଜେନା ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ।
ଶେଷ ହେଲା ‘ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ’ ଶେଷ ସଂଧ୍ୟାରେ ‘ନରମେଧ ଯଜ୍ଞ’
/sambad/media/post_attachments/wp-content/uploads/2019/11/sh56s4h56sr4hs56h4fffffffffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)