ସରିଲା ଶୀତ ଉତ୍ସବ: ମାହାରୀରେ ପରଂବ୍ରହ୍ମ

ଭୁବନେଶ୍ବର,୩/୨(ଇମିସ): ମାହାରୀ ନୃତ୍ୟରେ ପରବ୍ରହ୍ମଙ୍କ ସ୍ବରୂପ ସମେତ ଲୋକନୃତ୍ୟ ଘୁଡ଼ୁକି ଦେଖିବାର ଅବକାଶ ଆଣିଥିଲା ‘ଶୀତ ଉତ୍ସବ’ର ଶେଷ ସନ୍ଧ୍ୟା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଏହି ଉତ୍ସବରେ ବହୁ ଆକର୍ଷଣୀୟ ନୃତ୍ୟ, ସଂଗୀତ ମନୋରଂଜନର ଅବସର ମିଳିଥିଲେ ହେଁ ସାମ୍ନାରେ କମ୍‌ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ରବିବାର ହୋଇଥିଲେ ହେଁ ‌ଅଧିକାଂଶ ସିଟ୍‌ ଫାଙ୍କା ରହିଥିଲା। ପୁଷ୍ପିତା ମିଶ୍ର ଓ ସାଥୀ ଓଡ଼ିଶୀ ଓ ମାହାରୀରେ ‘ଯୁଗେଯୁଗେ ପରଂବ୍ରହ୍ମ’ ପରିବେଷଣ କରିଥିଲେ। ପରେ ଲକ୍ଷ୍ମୀପ୍ରିୟା ନାୟକଙ୍କ ଓଡ଼ିଶୀ କଣ୍ଠସଂଗୀତ ଏବଂ ଶେଖର ଘୋଷ, ମହେନ୍ଦ୍ର ଆଚାର୍ଯ୍ୟ, ଅମ୍ରିତା ଅମୃତାୟନୀ, ପ୍ରତିଭା ପ୍ରଧାନଙ୍କ ସୁଗମ ସଂଗୀତ ‌ପରିବେଷିତ ହୋଇଥିଲା। ଆଲୋକ ବିଷୋୟୀ ଓ ସାଥୀ ଘୁଡ଼ୁକି ନୃତ୍ୟ ଭେଟି ଦେଇଥିଲେ। ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ଓଡ଼ିଶୀ କଣ୍ଠଶିଳ୍ପୀ ରାମହରି ଦାସ ଏବଂ ଇଣ୍ଡୋ-ଜାପାନ କଲ୍‌ଚରାଲ୍‌ ଆମ୍ବାସଡର ଶ୍ରୀକାନ୍ତ କୁମାର ଦାସ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ରାମକୃଷ୍ଣ ସାହୁ ଏବଂ ସଚିବ ବିଜୟ କୁମାର ଜେନା ଉପସ୍ଥିତ ଥିଲେ। ମଧୁମିତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର