ବିଭୋର କଲା ମର୍ଦ୍ଦଳ ଯୁଗଳବନ୍ଦୀ, ଶେଷ ହେଲା ପୂର୍ଣ୍ଣାଙ୍ଗ ନୃତ୍ୟ ମହୋତ୍ସବ

ଭୁବନେଶ୍ବର: କାର୍ଯ୍ୟକ୍ରମ ପ୍ରାରମ୍ଭରୁ ସୀତାକାନ୍ତ ଜେନା ଓ ରୋହିତ ପ୍ରଧାନଙ୍କ ଦମ୍‌ଦାର ମର୍ଦ୍ଦଳ ଯୁଗଳବନ୍ଦୀ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଦି ତାଳରେ ଉଠାଣ, ଖଣ୍ଡି, ଗଡ଼ି, ଅରସା, ଚକ୍ରଦାର ଅରସା ଓ ମାନ ଇତ୍ୟାଦି ବାଦନ ପରିବେଶରେ ସାଂସ୍କୃତିକ ଭାବନା ସଂଚରି ଦେଇଥିଲା। ପ‌ରେ ପରେ ଦଳଗତ ଓ ଏକକ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଅବସର ଥିଲା ‘ଭାରତ ସେବାଶ୍ରମ ସଂଘ’ ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ନୃତ୍ୟ ମହୋତ୍ସବ ‘ପୂର୍ଣ୍ଣାଙ୍ଗ-୨୦୧୯’। ଏହି ଅବସରରେ ବରିଷ୍ଠ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ବର ସ୍ବାଇଁ, କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ଓ ବଂଶୀବାଦକ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କୁ ‘ପୂର୍ଣ୍ଣାଙ୍ଗ ସମ୍ମାନ’ରେ ସମ୍ମାନିତ କରାଯାଉଛି। ଆଜିର ସଂଧ୍ୟାରେ ଅତିଥି ଭାବେ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ବିଜୟ ପ୍ରସାଦ ମହାନ୍ତି ଓ ପର୍ଶୁରାମ ପଟ୍ଟନାୟକ ପ୍ରମୁଖ ଅତିଥି ଭା‌ବେ ଯୋଗ ଦେଇଥି‌ଲେ। ସଂଘର ସମ୍ପାଦକ ସ୍ବାମୀ ଜଗନ୍ନାଥାନନ୍ଦ ମହାରାଜ, ସ୍ବାମୀ ହରିହର ନନ୍ଦ ମହାରାଜ ଓ ସ୍ବାମୀ ଶାନ୍ତନୁ ମହାରାଜ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆୟୋଜକ ଅଭିଜିତ ଦେବ ଉତ୍ସବ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର