ଛାତ୍ରାବାସରୁ କଂକ୍ରିଟ୍ ଖସିବା ଘଟଣା: ୭ ବର୍ଷ ହେଲା ମରାମତି ହୋଇନି କୋଠା

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ଫକୀରମୋହନ ଛାତ୍ରାବାସରୁ ତାଜା କଂକ୍ରିଟ୍ ଖସିବା ଘଟଣାକୁ ନେଇ କ୍ୟାମ୍ପସ୍‌ରେ ଖୋଳତାଡ଼ ଆରମ୍ଭ ହୋଇଛି। ଆଜି ଘଟଣାସ୍ଥଳରେ ଛାତ୍ରାବାସର ଅଧୀକ୍ଷକ ପ୍ରସନ୍ନ କୁମାର ପାତ୍ର ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ତାଙ୍କ ଉପସ୍ଥିତିରେ ତାଜାର ଲୁହା ରଡ୍‌ରେ ଲାଗି ରହିଥିବା କଂକ୍ରିଟ୍‌କୁ ସଫା କରାଯାଇଥିଲା। ଶ୍ରୀ ପାତ୍ର ଏ ସମ୍ପର୍କରେ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କୁ ପଚାରି ବୁଝିଥିଲେ। ଅନ୍ତେବାସୀଙ୍କୁ ଭୟଭୀତ ନ ହେବାକୁ ଅଧୀକ୍ଷକ ପରାମର୍ଶ ଦେବା ସହ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପରାମର୍ଶ ଦେଇଥିଲେ।

ଅନ୍ତେବାସୀମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ଛାତ୍ରାବାସ ୧୯୭୧ ମସିହାରେ ନିର୍ମାଣ ହୋଇଥିଲା। ଏଥିରେ ୨୦୫ଟି ରୁମ୍‌ ରହିଛି। ସୁରକ୍ଷା ଦୃଷ୍ଟିରୁ ଏହାକୁ ପ୍ରତିବର୍ଷ ମରାମତି କରିବା ନିୟମ ରହିଛି। ହେଲେ ଗତ ୭ ବର୍ଷ ହେଲା ଏହାର ମରାମତି ହୋଇନି। ତେଣୁ ଏଭଳି ଦୁର୍ଘଟଣା ଘଟିଲା। ଯଦି ଏହାର ତୁରନ୍ତ ମରାମତି କରା ନଯାଏ, ତେବେ ଆଗକୁ ଆହୁରି ଦୁର୍ଘଟଣା ଘଟିପାରେ ବୋଲି ଅନ୍ତେବାସୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଆହୁରି ମଧ୍ୟ ବର୍ତ୍ତମାନ ବିଶ୍ବବିଦ୍ୟ‌ାଳୟର ଭିତ୍ତିଭୂମି ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏହାର ସଦୁପଯୋଗ ହେଉ ନାହିଁ। ନିମ୍ନମାନର କାର୍ଯ୍ୟ ଯୋଗୁଁ ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି ବୋଲି ଛାତ୍ରମାନେ କହିଛନ୍ତି। ସୂଚନ‌ାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ଫକୀରମୋହନ ଛାତ୍ରାବାସରୁ ତାଜା ଭାଙ୍ଗିବା ଘଟଣାରେ ଅନ୍ତେବାସୀମାନେ ଭୟଭୀତ ହୋଇଯାଇଥିଲେ। ଜଣେ ଛାତ୍ର ବଳରାମ ଲେଙ୍କା ସାମାନ୍ୟ ଆହତ ହୋଇଥିଲେ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଥିଲା ବେଳେ ଫକୀରମୋହନ ଛାତ୍ରାବାସରେ ରହୁଥିଲେ। ପୁରାତନ ଛାତ୍ରସଂଘ ପକ୍ଷରୁ ଆୟୋଜିତ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଶ୍ରୀ ପ୍ରଧାନ ଯୋଗ ଦେଇଥିଲା ବେଳେ ହଷ୍ଟେଲ୍‌ ରହଣୀ ସମୟର ସ୍ମୃତିଚାରଣ କରିଥିଲେ। ବିଶ୍ବବିଦ୍ୟାଳୟର ଛାତ୍ରାବାସର ନବୀକରଣ ପାଇଁ ମତ ଦେଇଥିଲେ। କିନ୍ତୁ ଏହା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏ ଦିଗରେ ଠୋସ୍ ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର