ଭୁବନେଶ୍ବର: ଗଙ୍ଗୁଆ ନାଳର ପୁନରୁଦ୍ଧାର ପାଇଁ ଘନଘନ ସମୀକ୍ଷା ବୈଠକ ବସୁଛି। ହେଲେ ଏଥିରେ କେବଳ ଉଦ୍‌ବେଗ ପ୍ରକାଶ ପାଇଛି ସିନା ଲାଭ କିଛି ହୋଇନାହିଁ। କାରଣ ଘରୋଇ ସଂସ୍ଥା ଦ୍ବାରା ଚାଲିଥିବା ସର୍ଭେରେ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ଗଙ୍ଗୁଆ ଭିତରେ କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି ହୋଇଥିବା ଦେଖାଯାଇଛି। ଉଭୟ ପାର୍ଶ୍ବ‌ରେ ଜମି ଅଧିଗ୍ରହଣ କରି ଏହାକୁ ଚଉଡ଼ା କରାଯିବାକୁ ଯୋଜନା ହୋଇଛି। କିନ୍ତୁ ଏହି କଂକ୍ରିଟ୍‌ ନିର୍ମାଣକୁ ନେଇ ଚିନ୍ତା ବଢ଼ିଛି। ଅନେକ ସରକାରୀ ଜାଗାରେ ମଧ୍ୟ ନିର୍ମାଣ ହୋଇଛି। କେତେକ ବେଆଇନ ପଟ୍ଟା ହାତେଇଥିବାରୁ ଅଧିଗ୍ରହଣ ବେଳେ ସରକାର ନିଜ ଜମିକୁ ଅଧିଗ୍ରହଣ କରିବା ଥୟ ହୋଇଛି। କେତେକ କୋର୍ଟ ଯିବାକୁ ସଜବାଜ ହେଉଥିବାରୁ ଏହି ପୁନରୁଦ୍ଧାର ପ୍ରସଙ୍ଗ କେତେଦୂର ସଫଳ ହେବ ସେନେଇ ଆଶଙ୍କା ପ୍ରକାଶ ପାଇଛି।

Advertisment

ତେବେ ଥରେ କିମ୍ବା ଦୁଇଥର ନୁହେଁ, ବରଂ ଏକାଧିକ ବାର ଏହାର ପୁନରୁଦ୍ଧାର ଯୋଜନା ହୋଇଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶକ୍ରମେ କମିଟି ଗଠନ ହେବା ସହ ଏହାର ପ୍ରଦୂଷଣ ରୋକିବା ପାଇଁ ଉଦ୍ୟମ ହୋଇଛି। ହେଲେ ଏନ୍‌ଜିଟିରେ ମାମଲାର ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ସମସ୍ତେ ଭୁଲି ଯାଇଛନ୍ତି। ଜଳସେଚନ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି କି ଏହା ଏକ ଅସମ୍ଭବ କାମ। ଯେତେବେଳେ ଜଗିବା କଥା ଜଗିଲେ ନାହିଁ। ଏବେ ‘ଚୋର ପଳାଇବା ପରେ ବୁଦ୍ଧି ବାହାରିବା’ ସ୍ଥିତି ହୋଇଛି। କିଛି ବର୍ଷ ପୂର୍ବେ ବିଡିଏ ଏହାର ସର୍ଭେ କରିଥିଲା‌। ସର୍ଭେପରେ ୪ଟି ଜବରଦଖଲ ଉଚ୍ଛେଦ କରିବା ପରେ ପରେ ଅଦୃଶ୍ୟ ଚାପରେ ଉଚ୍ଛେଦ ବନ୍ଦ ହୋଇଯାଇଥିଲା। ସେବେଠାରୁ ଆଉ ଉଚ୍ଛେଦ ହୋଇନାହିଁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ତତ୍‌କଳୀନ ସଚିବ ଜ. ମାଥିଭାଥନନ୍‌ ୧୪ ବର୍ଷ ରହିଲେ। ସହରୀ ଜୀବନଯାପନ ସୁଖମୟ କରିବା ପାଇଁ ନିଆଯାଉଥିବା ସର୍ବୋତ୍ତମ ଯୋଜନା‌ ପାଇଁ ସେ ଏକାଧିକବାର ପୁରସ୍କାର ଆଣିଥି‌ଲେ। ହେଲେ ଗଙ୍ଗୁଆ ପାଇଁ କିଛି ହୋଇପାରିଲା ନାହିଁ। ଭୁବନେଶ୍ବର ଅନ୍ୟ ସହର ପାଇଁ ଆଦର୍ଶ ହୋଇପାରିଲା ନାହିଁ। ଆଇଏଏସ୍‌ଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଅଧିକାଂଶ ସମୟରେ ବିଭିନ୍ନ ବିଭାଗ ତଥା ସଂସ୍ଥା ମଧ୍ୟରେ ସମନ୍ବୟ ରହୁନାହିଁ। ଏବେ ଜବରଦଖଲ ହଟାଇ ବେସରକାରୀ ଜମି ଅଧିଗ୍ରହଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ସେ କହିଛନ୍ତି। 

ସର୍ବେକ୍ଷଣରେ ସାଂଘାତିକ ସତ
ନିଜ ଜମି ପଇସା ଦେଇ ଅଧିଗ୍ରହଣ କରିବେ ସରକାର
ଚୋର ପଳାଇବା ପରେ ବୁଦ୍ଧି ବାହାରିଛି

ଅନ୍ୟପଟେ ଗତ ମାସ ୧୭ ତାରିଖରେ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୱାଟ୍‌କୋ ଏମ୍‌ଡି ଦର୍ଶାଇଛନ୍ତି ଯେ, ୨୦୨୭ ସୁଦ୍ଧା ସହରର ସବୁ ଘର ସ୍ୱେରେଜ୍‌ ପାଇପଲାଇନ୍‌ ସହ ସଂଯୋଗ ସରିବ। ଗଙ୍ଗୁଆକୁ ଆବର୍ଜନା ଜଳ ସିଧା ନ ଯାଇ ଟ୍ରିଟ୍‌ମେଣ୍ଟ କରାଯିବ। ଏବେ ୭୦% କାମ ସରିଲାଣି । ଆଉ ୬୦ହଜାର ଘର ସ୍ୱେରେଜ୍‌ ଲାଇନ୍‌ ସହ ଯୋଡ଼ିହେବା ବାକି ଅଛି। ଏ ସବୁ ସଂଯୋଗ ହୋଇଗଲେ ସମସ୍ୟା ରହିବ ନାହିଁ। କିନ୍ତୁ ବାସ୍ତବରେ ଏବେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଯେଉଁ ସବୁ ପାଇପ୍‌ ପଡ଼ିଥିଲା ତାହାର ମୋଟେଇ କମ ଥିଲା। ଯେଉଁ ଅନୁପାତରେ ଘର ସଂଖ୍ୟା ବଢ଼ିବା ଆକଳନ କରାଯାଇଥିଲା ତା’ ଠାରୁ ଢେର୍‌ ଅଧିକ ପରିମାଣରେ ଘର ତିଆରି ହେବାରୁ ଏବେ ସେହି ପାଇପ୍‌ ବୋଝ ସମ୍ଭାଳି ପାରୁ ନାହିଁ। ନୂଆ ଜାଗାରେ ମୋଟେଇ ବଢ଼ା ଯାଇଥିବା ବେଳେ ପୁରୁଣା ଜାଗାରେ ଏହାକୁ ପରିବର୍ତ୍ତନ କରିବାକୁ ଆବଶ୍ୟକତା ପଡ଼ିଲାଣି। ଏଣୁ ୨୦୨୭ ସୁଦ୍ଧା ଏହା ସରିବା ସମ୍ଭବ ନୁହେଁ। ତା ଛଡ଼ା ପ୍ରତ୍ୟେକ ବେଆଇନ ବସ୍ତିକୁ ମଧ୍ୟ ସ୍ବେରେଜ୍‌ ସଂଯୋଗ ଦେବାପାଇଁ ଯୋଜନା ଥିବାରୁ ଏହି ବ୍ୟବସ୍ଥା କେବେ ସରିବ ତାହାର ଠିକଣା ନାହିଁ। 

ସୂଚନାଯୋଗ୍ୟ, ଗଙ୍ଗୁଆ ପୁନରୁଦ୍ଧାର ପ୍ରକଳ୍ପର ଡିଜାଇନ୍‌ କରୁଛି ଟାଟା କନ୍‌ସଲଟିଙ୍ଗ ଇଞ୍ଜିନିୟର(ଟିସିଇ)। ଏହି ଡିଜାଇନ୍‌ ଭିତରେ ପ୍ରାଥମିକ ପର୍ଯ୍ୟାୟରେ ଗଙ୍ଗୁଆକୁ ଛଡ଼ା ଯାଉଥିବା ସ୍ୱେରେଜ୍‌, ଶିଳ୍ପାଞ୍ଚଳ ବର୍ଜ୍ୟ, ମେଡିକାଲ ବର୍ଜ୍ୟ ଟ୍ରିଟ୍‌ମେଣ୍ଟ କରି ଗଙ୍ଗୁଆକୁ ଛଡ଼ା ଯିବା ଯୋଜନା ରହିଛି। ନାଳର ଉଭୟ ପାର୍ଶ୍ୱରେ ଗାର୍ଡୱାଲ୍‌, ରିଟେନସନ୍‌ ପଣ୍ଡ, ନାଳର ପ୍ରତ୍ୟେକ ଜାଗାରେ ୯୦ମିଟର ଓସାର କରିବାକୁ ଜମି ଅଧିଗ୍ରହଣ କରାଯିବ। ଦୁଇ ମାସରେ ଦୁଇଥର ସମୀକ୍ଷା ବୈଠକ ବସିଥିଲେ ମଧ୍ୟ ଏ ଯାଏ କୌଣସି କାର୍ଯ୍ୟ ଆଗେଇନାହିଁ। ଯାହାକୁ ନେଇ ଉନ୍ନୟନ କମିସନର ତଥା ଜଳସମ୍ପଦ ସଚିବ ଉଦ୍‌ବେଗ ପ୍ରକାଶ କରିଥି‌ଲେ। ଗତ ବୈଠକରେ ହୋଇଥିବା ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗୁରୁତ୍ବ ଦେଇଛନ୍ତି। ତିନିଦିନରେ ଥରେ ନୋଡାଲ ଅଫିସର ଓ ଟିସିଇ ପରାମର୍ଶଦାତାମାନେ ବସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ଉନ୍ନୟନ କମିସନର ପ୍ରତ୍ୟେକ ୧୫ ଦିନରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।