ସହରାଞ୍ଚଳରେ ହେବ କଙ୍କ୍ରିଟ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ

ବର୍ଷକ ମଧ୍ୟରେ ସବୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ
ପ୍ରସ୍ତୁତ ହେବ ପେଭର୍‌ ବ୍ଲକ୍, କାନ୍ଥ ଟାଇଲ୍‌ ଭଳି ବହୁ ସାମଗ୍ରୀ

ଭୁବନେଶ୍ବର : ସହରାଞ୍ଚଳ ପାଇଁ କଙ୍କ୍ରିଟ ଆବର୍ଜନା ଏବେ ଚିନ୍ତାର ବିଷୟ ପାଲଟିଛି। ବହୁ ପୁରୁଣା ଘର ଭଙ୍ଗାଯାଉଥିବାରୁ, ନୂଆ ଘର ନିର୍ମାଣ ହେଉଥିବାରୁ ଗୋଟିଏ ଗୋଟିଏ ସହରାଞ୍ଚଳରେ ଦୈନିକ ଟନ୍‌ ଟନ୍‌ କଙ୍କ୍ରିଟ ଆବର୍ଜନା ବାହାରୁଛି। ଏହାର ପ୍ରକ୍ରିୟାକରଣ ପାଇଁ କୌଣସି ସୁବିଧା ନଥିବାରୁ ରାସ୍ତା କଡ଼ରେ ଏହା ଗଦା ହେଉଛି। ଯାହା ବାୟୁ ପ୍ରଦୂଷଣ ବଢ଼ାଉଛି। ଏପରିକି କଙ୍କ୍ରିଟ ଆବର୍ଜନାର ପ୍ରକ୍ରିୟାକରଣ ପ୍ଲାଣ୍ଟ ନଥିବାରୁ ସ୍ବଚ୍ଛ ସର୍ବେକ୍ଷଣରେ ଓଡ଼ିଶାର ସହରଗୁଡ଼ିକୁ ଭଲ ରୢାଙ୍କ ମିଳୁନି। ତେଣୁ ସବୁ ସହରାଞ୍ଚଳରେ ବର୍ଷକ ମଧ୍ୟରେ କଙ୍କ୍ରିଟ ଆବର୍ଜନା ପ୍ଲାଣ୍ଟ ନିର୍ମାଣ କରିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିସନର, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ, ପୌର ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖାଯାଇଛି।

ନଗର ଉନ୍ନୟନ ବିଭାଗର ନିଷ୍ପତ୍ତି ଅନୁଯାୟୀ, ପ୍ରତି ସହରାଞ୍ଚଳରେ ଦୈନିକ ୫ଟନ୍ କ୍ଷମତା ବିଶିଷ୍ଟ ଗୋଟିଏ ଲେଖାଏଁ ସି ଆଣ୍ଡ୍‌ ଡି ବର୍ଜ୍ୟ ପ୍ଲାଣ୍ଟ ନିର୍ମାଣ ହେବ। ଏଥିରେ ସ୍ବୟଂ ସହାୟିକା ଗୋଷ୍ଠୀ ଓ କିନ୍ନରମାନଙ୍କୁ ନିୟୋଜିତ କରାଯିବ। ଏହି ପ୍ଲାଣ୍ଟ ଜନବସତି, ବନାଞ୍ଚଳ, ଜଳାଶୟ, ଐତିହ୍ୟ କୀର୍ତ୍ତିରାଜି, ଜାତୀୟ ଉଦ୍ୟାନ, ଆର୍ଦ୍ରଭୂମି, ଗୁରୁତ୍ବପୂର୍ଣ୍ଣ ସାଂସ୍କୃତିକ କ୍ଷେତ୍ର, ଐତିହାସିକ ଅଞ୍ଚଳ, ଧର୍ମାନୁଷ୍ଠାନ ଠାରୁ ଦୂରରେ ଏହା ନିର୍ମାଣ ହେବ। ଏଥିପାଇଁ ଏକ ବଫର୍‌ ଜୋନ୍‌ ରହିବ।

ଏହି କଙ୍କ୍ରିଟ ଆବର୍ଜନାରୁ ଇଟା, ବ୍ଲକ୍, ଟାଇଲ୍‌, ହୋଲୋ ବ୍ରିକ୍ସ, କାନ୍ଥ ଟାଇଲ୍‌, କର୍ବ ଷ୍ଟୋନ୍‌, ଟ୍ୟାକ୍ ଟାଇଲ୍‌, ପାର୍କ ବେଞ୍ଚ, ଡ୍ରେନ୍‌ କଭର୍‌, ପ୍ଲାଣ୍ଟର, ଫେନ୍ସ ପୋଷ୍ଟ, ଜାଲି ଆଦି ପ୍ରସ୍ତୁତ ହେବ। ଏହାକୁ ପୌରସଂସ୍ଥା ବିକ୍ରି କରି ରାଜସ୍ବ ବଢ଼ାଇବ।

ସମ୍ବନ୍ଧିତ ଖବର