ବାତ୍ୟା ପରେ ଚେତିଲେ, ଆଉ ଲାଗିବନି ରାଧାଚୂଡ଼ା, କୃଷ୍ଣଚୂଡ଼ା

କେଉଁ ଜାଗାରେ କିଭଳି ଗଛ ଲାଗିବ ସ୍ଥିର କରିବ କମିଟି, ଆରପିଆରସିରେ ୧୯ ହଜାର ଓ ନନ୍ଦନକାନନରେ ୨ ହଜାର ଗଛ ଲାଗିବ

ଭୁବନେଶ୍ବର: ସବୁଜ ସୁନ୍ଦର ହେବ ଭୁବନେଶ୍ବର। ୫ ବର୍ଷରେ ସହର ସବୁଜିମା‌ରେ ଭରପୂର ହୋଇଯିବ। ଯୁଆଡ଼େ ଚାହିଁଲେ କେବଳ ଗଛ ହିଁ ଗଛ। ଏଭଳି ଲକ୍ଷ୍ୟ ନେଇ ସହର ସାରା ବ୍ୟାପକ ବୃକ୍ଷରୋପଣ ହେଲା। ରାସ୍ତାପାର୍ଶ୍ବଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ। ସବୁଠି ପୋତିଚାଲିଲେ ଗଛ। ଆଗପଛ, ଭଲ ମନ୍ଦ କିଛି ବି ବିଚାର କଲେ ନାହିଁ। ଦୁଇରୁ ତିନି ବର୍ଷ ମଧ୍ୟରେ ବଡ଼ ହୋଇଯାଉଥିବା ରାଧାଚୂଡ଼ା, କୃଷ୍ଣଚୂଡ଼ା, ଚାକୁଣ୍ଡା, କଦମ୍ବ, ମହାନିମ୍ବ ଆଦି ଗଛ ଲଗାଇଲେ। ସହର ମଧ୍ୟ ସବୁଜିମାରେ ପରିଣତ ହେଲା। ତେବେ ଯେଉଁ ଗଛ ଲାଗିଥିଲା ସେଥିରୁ କି ଲାଭ ମିଳିଲା ତାହା ବାତ୍ୟା ‘ଫନି’ ମାଡ଼ରୁ ଜଣାପଡ଼ିଗଲା। ୪୦ରୁ ୫୦ କିମି ବେଗର ପବନକୁ ସହ୍ୟ କରି ନପାରି ମାଟିରେ ଲୋଟିପଡ଼ିଲା ଶହ ଶହ ଗଛ। ଗଛ ତ ଭାଙ୍ଗିଲା ତେବେ ସେଥିରେ ଯେଉଁ ଧନଜୀବନ କ୍ଷତି ହେଲା ତାହା ପୂରଣ କରିବା ଏବେ ସମ୍ଭବପର ହେଉନାହିଁ।

‘ଚୋର ଗଲା ପରେ ବୁଦ୍ଧି ପଶିବା’ ନ୍ୟାୟରେ ବନ ବିଭାଗ, ବିଏମ୍‌ସି ଓ ବିଡିଏର ଚେତା ପଶିଛି। ଏଣିକି ଆଉ ଭୁବନେଶ୍ବରରେ ରାଧାଚୂଡ଼ା, କୃଷ୍ଣଚୂଡ଼ା କି କଦମ୍ବ ଗଛ ଲାଗିବନି। ବଦଳରେ ବଉଳ, ଛତିଆନା, ଆଲ୍‌ଷ୍ଟୋନିଆ, ଶିରିସ, ଅଶୋକ, ନିମ୍ବ, ଜାମୁ, ଶିଶୁ ଆଦି ଶକ୍ତ ଗଛ ଲଗାଯିବ। କେଉଁ ଜାଗାରେ କିଭଳି ଗଛ ଲଗାଯିବ ତାହା ସ୍ଥିର କରିବାକୁ ଗୋଟିଏ କମିଟି ଗଠନ କରାଯାଇଛି। ଓୟୁଏଟିର ବିଶେଷଜ୍ଞଙ୍କ ସହ ବନ ବିଭାଗର ଅଧିକାରୀମାନେ ଏହି କମିଟିରେ ରହିଛନ୍ତି। ସେମାନେ ପ୍ରସ୍ତାବ ଦେବା ପରେ ତାହାକୁ ଲାଗୁ କରାଯିବ। ଏନ୍‌ଜିଓମାନଙ୍କ ସହ ମିଶି ବୃକ୍ଷରୋପଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ସନ୍ଦୀପ ତ୍ରିପାଠୀ କହିଛନ୍ତି।ସେ ଆହୁରି କହିଛନ୍ତି ଯେ ବିଦ୍ୟୁତ୍‌ ଖୁଣ୍ଟ ଯେଉଁ ବାଟ ଦେଇ ଯାଇଛି ତାହା ନିକଟରେ ବଡ଼ ଗଛ ଲଗାଯିବ ନାହିଁ। ଏନେଇ ବିଏମ୍‌ସି, ବିଡିଏ ସହ ଆଲୋଚନା କରାଯିବ। ଯେଉଁଠାରେ ଗଛ ବିଦ୍ୟୁତ୍‌ ଖୁଣ୍ଟି ଉପରକୁ ଉଠିଯିବ ତାହାର ଡାଳକୁ ନିୟମିତ ବ୍ୟବଧାନରେ କଟାଯିବ। ଗଛ ତାର ଉପରକୁ ଯିବା ଫଳରେ ବାତ୍ୟାରେ ଗଛଗୁଡ଼ିକ ବିଦ୍ୟୁତ୍‌ ତାର ଉପରେ ପଡ଼ିଯାଉଛି। ଫଳରେ ଖୁଣ୍ଟ ଉପୁଡ଼ୁଛି ଓ ତାର ଛିଣ୍ତିଯାଉଛି। ବହୁ ପରିମାଣରେ କ୍ଷୟକ୍ଷତି ହେଉଛି। ତାହାକୁ ନଜରରେ ରଖି ଏଭଳି ପଦକ୍ଷେପ ନେବାକୁ ସ୍ଥିର ହୋଇଛି।

ସହରର ସବୁଜିମା ଫେରାଇ ଆଣିବାକୁ ଆନ୍ଧ୍ରପ୍ରଦେଶରୁ ୧୦ରୁ ୧୨ ଫୁଟ ଉଚ୍ଚତାର ୭୦ ହଜାର ଗଛ ଆଣିବାକୁ ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ୨୫ ହଜାର ଗଛ ରାସ୍ତାପାର୍ଶ୍ବରେ ରୋପଣ କରାଯିବ। ୧୫ରୁ ୧୭ ହଜାର ଗଛ ଭୁବନେଶ୍ବରର ବିଭିନ୍ନ ଅନୁଷ୍ଠାନ ଯଥା ଆଇଆଇଟି, ନାଇଜର, ଏମ୍‌ସ, ଉତ୍କଳ ବିଶ୍ବବିଦ୍ୟାଳୟ, ବିଭିନ୍ନ ହସ୍ପିଟାଲ ଓ ସ୍କୁଲ, କଲେଜରେ ଖା‌ଲିଥିବା ସ୍ଥାନରେ ରୋପଣ ହେବ। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ ସିଏସ୍‌ଆର ପାଣ୍ଠିରୁ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସହରାଞ୍ଚଳରେ ବନୀକରଣ କରାଯିବ। ଆର୍‌ପିଆର୍‌ସିରେ ଦୁଇ ହଜାର ଓ ଏହା ପରିସରରେ ଥିବା ଔଷଧୀୟ ଉଦ୍ୟାନରେ ୧୭ ହଜାର, ନନ୍ଦନକାନନରେ ଦୁଇ ହଜାର ଗଛ ଲଗାଯିବ। ଏମିତି ଭାବେ ୨୦ରୁ ୨୨ ହଜାର ଗଛ ଲାଗିବ। ଏଥିପାଇଁ ୬ କୋଟିର ବଜେଟ କରାଯାଇଛି ବୋଲି ପିସିସିଏଫ୍‌ ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର