ଖଣ୍ଡଗିରି: ବନ୍ଦ ପଡ଼ିଥିବା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା)ର ପ୍ରଦର୍ଶନୀ ପ୍ରକଳ୍ପ ‘ବିଜୁ ପଟ୍ଟନାୟକ ଶକ୍ତି ପାର୍କ’ (ଏନର୍ଜି ପାର୍କ) ବର୍ଷେ ହେବ ଖୋଲିଲାଣି। ମାଗଣାରେ ସାଧାରଣ ଲୋକଙ୍କୁ ବୁଲିବାପାଇଁ ସୁଯୋଗ ମଧ୍ୟ ମିଳିଛି। କିନ୍ତୁ ଦେଖିବା ଭଳି କିଛି ନାହିଁ । ସବୁ ପ୍ରକଳ୍ପ ଉଈ ଖାଇ ଯାଇଛି। ଏହାକୁ ପୁନରୁଦ୍ଧାର କରିବାକୁ ଏବେ ପୁଣି ‘ଓରେଡା’ ଅଣ୍ଟା ଭିଡ଼ିଛି। ସେଲ୍କୋ ଫାଉଣ୍ଡେସନ୍ ସହଯୋଗରେ ଏଠାରେ ନୂଆ ମଡେଲ ଲଗାଇବାକୁ ଯୋଜନା ହୋଇଛି। ଓରେଡା ପକ୍ଷରୁ କୋଳଥିଆରେ ପ୍ରାୟ ୧୦ ହଜାର ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏହି ପାର୍କ ୨୦୦୬ ମସିହାରେ ଉଦ୍ଘାଟିତ ହୋଇଥିଲା। ସୌରଶକ୍ତି ବ୍ୟବହାର ବାବଦରେ ସଚେତନତା ଓ ଛାତ୍ରଛାତ୍ରୀମାନଙ୍କୁ ସୌରଶକ୍ତି ବିନିଯୋଗ ଜ୍ଞାନ ପ୍ରଦାନ କରିବା ପାର୍କର ମୂଳ ଲକ୍ଷ୍ୟ ଥିଲା। ଜଳବିଦ୍ୟୁତ୍ ପ୍ରକଳ୍ପ ସହ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ, ସୌରଶକ୍ତିରୁ ରୋଷେଇ ଓ ପାଣି ଗରମ କରିବା, ସୌରଶକ୍ତିଚାଳିତ ଏକାଧିକ ପ୍ରକଳ୍ପ ଏଠାରେ ରହିଥିଲା। ଆଦିତ୍ୟ, ମିତ୍ର, ଉର୍ଜା ସଂସାଧନ କେନ୍ଦ୍ର, ପ୍ରଦର୍ଶନୀ କେନ୍ଦ୍ର, ସମ୍ମିଳନୀ କକ୍ଷ ଆଦି ରହିଥିଲା। ତା ସହିତ ଜଳଫୁଆରା, ସ୍ଲାଇଡର୍, ଦୋଳି ଆଦି ଛୋଟପିଲାଙ୍କ ମନୋରଞ୍ଜନ ଉପକରଣ ରହିଥିଲା। ଏବେ ପୁରୁଣା ମଡେଲ ଗୋଟିଏ ହେଲେ କାମ କରୁନି। କେବଳ ବାହାରେ ଥିବା ସୋଲାର ପ୍ୟାନେଲ୍, ୱାଟର୍ କିଓସ୍କ, ସୋଲାର୍ ଟ୍ରି କୁ ସଜଡ଼ା ଯାଇଛି।
୨୦୧୬ ମସିହା ପରଠାରୁ ଏଠାରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଖରାପ ହେବାରେ ଲାଗିଲା। ୨୦୧୮ରେ ଫନି ସମୟରେ ଏହି ପାର୍କ ଉଜୁଡ଼ି ଯାଇଥିଲା। ପରେ ଓରେଡା କର୍ତ୍ତୃପକ୍ଷ ଏହାକୁ ମରାମତି କରିବାକୁ ଯୋଜନା କରିଥିଲେ। କରୋନା କଟକଣା ସମୟରେ ପାର୍କର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ସ୍ଥିର କରାଯାଇଥିଲା। ପୁନରୁଦ୍ଧାର ପାଇଁ ଓରେଡା ସହ ନ୍ୟାସ୍ନାଲ୍ ଏନ୍ଭାର୍ଣ୍ଣମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ନିରି) ୨୦୧୯ ମସିହାରେ ଏକ ଏମ୍ଓୟୁ ସ୍ୱାକ୍ଷର କରିଥିଲା। ହେଲେ ଏଠାରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ନେଇ ନିରି ସହ ବିବାଦ ନ ଛିଡ଼ିବାରୁ ଏଥିରୁ ନିରିକୁ ବାଦ୍ ଦିଆଗଲା। ୩ବର୍ଷ ପରେ ଅର୍ଥାତ୍ ୨୦୨୨ ମସିହାରେ ଅଗ୍ରିମ ଆକାରରେ ଇଡ୍କୋକୁ ୪୦ ଲକ୍ଷ ଟଙ୍କା ଦିଆଯାଇଥିଲା। ୪ ମାସ ମଧ୍ୟରେ ଏହାକୁ ପ୍ରସ୍ତୁତ କରିବାକୁ କଣ୍ଟ ଦିଆଯାଇଥିଲା। ଇଡ୍ କୋ ପାର୍କର ପାଚେରି ଓ କନଫରେନ୍ସ ହଲ କାମ ସାରି ଚାଲିଯାଇଛି।
ଖୁବ୍ ଶୀଘ୍ର ଲାଗିବ ସୌରଶକ୍ତିଚାଳିତ ନୂଆ ଉପକରଣ
ଗୋଟିଏ ପଟେ ପାର୍କର ମୂଳ ଉଦ୍ଦେଶ୍ୟ ପୂରଣ ହୋଇନଥିବା ବେଳେ ପାର୍କ ଭିତରେ ଥିବା ଶୀତତାପ ନିୟନ୍ତ୍ରିତ କନ୍ଫରେନ୍ସ ହଲ୍ର ପୁନରୁଦ୍ଧାର କରାଯାଇଛି। ସେ ହଲ୍କୁ ସଭାସମିତି ପାଇଁ ଭଡ଼ାସୂତ୍ରରେ ଦିଆଯାଉଛି। ଅଧା ଦିନ ପାଇଁ ଭଡ଼ା ନେବାକୁ ୩ ହଜାର ଟଙ୍କା ରଖା ଯାଉଥିବା ବେଳେ ପୂରା ଦିନ ପାଇଁ ୫ ହଜାର ଟଙ୍କା ଭଡ଼ା ନିଆଯାଉଛି। ଅନ୍ୟ ପ୍ରକଳ୍ପ ପାଇଁ ଏବେବି ବିଭିନ୍ନ ସଂସ୍ଥା ସହିତ ଆଲୋଚନା ଚାଲିଛି। କେବଳ ଏହି କନ୍ଫରେନ୍ସ ହଲ୍ ଭଡ଼ାରେ ଲଗାଇବା ପାଇଁ ହିଁ ପାର୍କ ଖୋଲା ଯାଇଥିବା ସ୍ପଷ୍ଟ ହୋଇଛି। ସେଥିପାଇଁ ପୂର୍ବରୁ ଜଣପିଛା ୧୦ଟଙ୍କା ପ୍ରବେଶ ଶୁଳ୍କ ଥିବା ବେଳେ ଏବେ ପ୍ରବେଶ ଦେୟମୁକ୍ତ ରହିଛି।
ଏ ସମ୍ପର୍କରେ ଏନର୍ଜି ପାର୍କର ଦାୟିତ୍ବରେ ଥିବା ମହେଶ୍ବର ବଡ଼ଜେନାଙ୍କ କହିବା କଥା, ନୂଆ ଥିମରେ ପାର୍କକୁ ତିଆରି କରିବାକୁ ସବୁ ଯୋଜନା ଚାଲିଛି। ଖେଳରେ ଖେଳରେ ପିଲା ଆଧୁନିକ ଜ୍ଞାନ ଆହରଣ ପାଇଁ କମ୍ପ୍ୟୁଟର ଲଗାଯିବ। ଏହାସହ ସୌରଚାଳିତ ପାଣି ଉଠା ପ୍ରକଳ୍ପ, ଲଣ୍ଠନ, ଆଖୁପେଡ଼ା ମେସିନ ଭଳି ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଲଗାଯିବ।