ଖଣ୍ଡଗିରିରେ ସାଧୁସନ୍ଥ ସମ୍ମିଳନୀ: ମାଘମେଳାକୁ ମାନ୍ୟତା ଦିଅନ୍ତୁ ସରକାର, ହରିଓମ୍ ବାବା ମଠ ଟ୍ରଷ୍ଟକୁ ମହାମଣ୍ଡଳେଶ୍ବର ଉପାଧି

ପ୍ରହସନ ପାଲଟିଲା କଟକଣା, ନାଗା ସନ୍ନ୍ୟାସୀଙ୍କ ପାଖରେ ଲାଗିଛି ଲୋକଙ୍କ ଭିଡ଼

ଖଣ୍ଡଗିରି: ଖଣ୍ଡଗିରି ମାଘମେଳାକୁ ରାଜ୍ୟ ସରକାର ମାନ୍ୟତା ଦେବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରାଯାଉ। ମାଘମେଳାରେ ଖଣ୍ଡଗିରି ପାହାଡ଼ରେ ଆୟୋଜିତ ସାଧୁସନ୍ଥ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଆଜି ଏହି ସମ୍ମିଳନୀରେ ଅଖିଳ ଭାରତୀୟ ସନାତନ ସନ୍ଥ ସମିତିର ମହାମଣ୍ଡଳେଶ୍ବର ଶ୍ରୀ ଶଙ୍କରାନନ୍ଦ ଗିରି ମହାରାଜ, ଓଡ଼ିଶା ସନ୍ଥ ସୁରକ୍ଷା ମିସନର ମହନ୍ତ ସ୍ବାମୀ ବିଷ୍ଣୁ ଗିରି ମହାରାଜ, ମହାମନ୍ତ୍ରୀ ସତ୍ୟାନନ୍ଦ ଗିରି, ସ୍ବାମୀ ଭାସ୍କର ତୀର୍ଥ, ବ୍ରହ୍ମଚାରୀ ଅହ୍ୟ ଦାଶ, ସ୍ବାମୀ ସାରସ୍ବତ ଆନନ୍ଦ ସରସ୍ବତୀ ତଥା ଅନ୍ତଃରାଷ୍ଟ୍ରୀୟ ସନ୍ଥ, ସନାତନ ଧର୍ମ ପରିଷଦର ପ୍ରମୁଖ ସନ୍ଥମାନେ ଉପସ୍ଥିତ ଥିଲେ।

ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ହରିଓମ୍ ବାବା ମଠ ଟ୍ରଷ୍ଟକୁ ଉତ୍କଳୀୟ ପଞ୍ଚଶାଖା ଭାଗବତ ଆଖଡ଼ାର ମହାମଣ୍ଡଳେଶ୍ବର ଉପାଧି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଘମେଳାରେ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଦେଶ ତଥା ବିଦେଶରୁ ସାଧୁ, ସନ୍ନ୍ୟାସୀ ଆସି କିପରି ସାଧନା କରିବେ ଏବଂ ଏଥିରେ ସରକାରଙ୍କ କିପରି ସହଯୋଗ କରିବେ ଏହାକୁ ନେଇ ଆଲୋଚନା ହୋଇଥିଲା। ଏହାଛଡ଼ା ଖଣ୍ଡଗିରି ପାହାଡ଼ର ଚତୁଃପାର୍ଶ୍ବରେ ମଠ, ମନ୍ଦିର ଭଙ୍ଗାକୁ ବନ୍ଦ କରାଯିବା, ସାଧୁମାନଙ୍କ ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନରେ ହରିଓମ୍‌ ବାବା ମୁଖ୍ୟ ଭୂମିକା ତୁଲାଇଥିଲେ।

ଖଣ୍ଡଗିରି: ଖଣ୍ଡଗିରି ମାଘମେଳାକୁ ଆସିଥିବା ମହନ୍ତ ମୋହନ ଗିରି ନାଗା ସନ୍ନ୍ୟାସୀଙ୍କ ଉପରେ ବିଏମ୍‌ସି ପକ୍ଷରୁ ଲଗାଯାଇଥିବା କଟକଣା ପ୍ରହସନ ପାଲଟିଛି। କଟକଣା ଲାଗିବାର ଦିନକ ପରେ ଆଜି ମଧ୍ୟ ବିଭିନ୍ନ ରୋଗର ଉପଚାର ଲାଗି ଲୋକେ ବାବାଙ୍କ ନିକଟରେ ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ପରିଲକ୍ଷିତ ହୋଇଛି। ପୁଲିସ ଉପସ୍ଥିତିରେ ଏହା ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।
ମାଘମେଳାରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମ୍‌ସି ପକ୍ଷରୁ ମୋହନ ଗିରିଙ୍କୁ ଭକ୍ତଙ୍କ ଚିକିତ୍ସା ନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଦୁଇ ଦିନ ତଳେ ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନାଲ୍ ଡେପୁଟି କମିସନର୍ ରବିନାରାୟଣ ଜେଠୀ ବାବାଙ୍କ ନିକଟକୁ ଯାଇ ଏହା ଜଣାଇ ଦେଇଥିଲେ। ଏହାପରେ ଏହି ନାଗା ସନ୍ନ୍ୟାସୀଙ୍କୁ ମେଳାରେ ଦେଖିବାକୁ ମିଳିନଥିଲା। ମାତ୍ର ଗୋଟିଏ ଦିନ ମଧ୍ୟରେ ସ୍ଥିତି ପୂର୍ବ ଭଳି ହୋଇ ଯାଇଥିବା ଦେଖିବାକୁ ମିଳିଛି। ବାବାଙ୍କ ନିକଟରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ସେମାନଙ୍କୁ ଦେଖି ଏହି ବାବା ବିଭିନ୍ନ ପରାମର୍ଶ ଦେଉଛନ୍ତି। ଏହି ଅବସରରେ କୌଣସି ସାମାଜିକ ଦୂରତ୍ବ ମଧ୍ୟ ରହୁନାହିଁ। ପୁଲିସ ଜଗିଥିଲେ ମଧ୍ୟ ଏଥିପ୍ରତି ଆଖି ବୁଜି ଦେଇଛି।

ସମ୍ବନ୍ଧିତ ଖବର