ଲୋକାଭିମୁଖୀ ହେବାକୁ ଡିଜିଙ୍କ ପରାମର୍ଶ

ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ପ୍ରଶିକ୍ଷଣ ଏକାଡେମିରେ ସମ୍ମିଳନୀ

ଖଣ୍ଡଗିରି : ସମ୍ପ୍ରତି ଅଗ୍ନିଶମ ବିଭାଗର କାର୍ଯ୍ୟ ପରିସର ସହ ଗୁରୁତ୍ୱ ବେଶ୍‌ ବୃଦ୍ଧି ପାଇଛି। ମାତ୍ର ବଡ଼ ବଡ଼ ଦୁର୍ଘଟଣା, ଅଗ୍ନିକାଣ୍ଡ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ଠିଆ ହେଉଥିବା ସତ୍ତ୍ୱେ ଉଭୟ ଅଗ୍ନିଶମ ବିଭାଗ ଓ କର୍ମଚାରୀମାନଙ୍କ ଗୁରୁତ୍ୱ ଉପଲବ୍‌ଧି ହେଉନାହିଁ। ତେଣୁ ଏଥିରେ ପରିବର୍ତନ ଆସିବା ଦରକାର। ନୂତନ ଜ୍ଞାନକୌଶଳ ଅଛି, ନୂତନ ଯନ୍ତ୍ରପାତି ଅଛି ଓ ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ବି ରହିଛି। କେବଳ ଆଉ କିଛିଟା ପଦକ୍ଷେପ ଗ୍ରହଣ କଲେ, ବିଭାଗର ଗୁରୁତ୍ୱ ଲୋକଙ୍କ ନିକଟତର ହୋଇପାରିବ। ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ପ୍ରଶିକ୍ଷଣ ଏକାଡେମିରେ ଅନୁଷ୍ଠିତ ଏକ ଦିନିକିଆ ସମ୍ମିଳନୀରେ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଭାଗର ନୂତନ ଡିଜି ବି କେ ଶର୍ମା ବରିଷ୍ଠ ଅଧିକାରୀମାନଙ୍କୁ ଏହି ମନ୍ତ୍ର ଦେଇଛନ୍ତି।

ଏହି ଅବସରରେ ବିଭାଗର ନବକଳେବର ପାଇଁ ନେବାକୁ ଥିବା କିଛି ନୂତନ ପଦକ୍ଷେପ ବାବଦରେ ସୂଚନା ଦେଇ ସେ କହିଲେ ଯେ ଏଣିକି କର୍ମଚାରୀ ଅଭାବ ଜନିତ ଅସୁବିଧା ସମୟରେ ଗୃହରକ୍ଷୀମାନେ ଅଗ୍ନିଶମ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବେ। ଦମକଳ କେନ୍ଦ୍ରଗୁଡ଼ିକ ଆପତ୍‌କାଳୀନ ପ୍ରସ୍ତୁତି କେନ୍ଦ୍ର ଭାବେ ପରିଗଣିତ ହେବ। ଦମକଳ କେନ୍ଦ୍ରଗୁଡ଼ିକରେ ଟେଲିଫୋନ୍‌ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବ। କଲ୍‌ ରେକର୍ଡକୁ ସାଇତିବା ବ୍ୟବସ୍ଥା ରହିବ। କଣ୍ଟ୍ରୋଲ୍‌ ରୁମ୍‌କୁ କମ୍ପ୍ୟୁଟରାଇଜେସନ୍‌ କରାଯିବ। ଏଥିସହ ବିଭାଗ ଦୃଷ୍ଟିରେ ହସ୍ପିଟାଲ, ବଡ଼ ବଡ଼ ମଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ, ସିନେମା ହଲ୍‌, କଲ୍ୟାଣ ମଣ୍ଡପ, ପୂଜା ମଣ୍ଡପ ଆଦି ସ୍ୱତନ୍ତ୍ର ଦୃଷ୍ଟିରେ ରହିବ। ରାଜ୍ୟରେ ଅଧିକ ଶଯ୍ୟା ଥିବା ଘରୋଇ ହସ୍ପିଟାଲଗୁଡ଼ିକର ଅଗ୍ନି ନିରପତ୍ତା ବ୍ୟବସ୍ଥାକୁ ନେଇ ଖୁବ୍‌ଶୀଘ୍ର ଏକ ସମ୍ମିଳନୀ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର ବରିଷ୍ଠ ୬୦ଜଣ ଅଗ୍ନିଶମ ଅଧିକାରୀ ଉପସ୍ଥିତ ଥିବା ଏହି ସମ୍ମିଳନୀରେ ବିଭାଗୀୟ ଆଇଜି ରାଜେଶ କୁମାର ପ୍ରାରମ୍ଭିକ ସୂଚନା ଦେଇଥିଲେ। ସନ୍ଧ୍ୟାରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍‌ ପାଢ଼ୀ ଯୋଗ ଦେଇ ସମ୍ମିଳନୀକୁ ଉଦ୍‌ଯାପନ କରିଥିଲେ।

ସମ୍ବନ୍ଧିତ ଖବର