ଏଲ୍‌ଆଇସି କର୍ମଚାରୀ ସଂଘର ସମ୍ମିଳନୀ

ଭୁବନେଶ୍ୱର : ଜୀବନବୀମା ନିଗମ (ଏଲ୍‌ଆଇସି) ଭୁବନେଶ୍ୱର ଡିଭିଜିନ୍‌ କର୍ମଚାରୀ ସଂଘର ଦୁଇଦିନିଆ ସମ୍ମିଳନୀ ଆଜି ଅନୁଷ୍ଠାନର ସୂର୍ଯ୍ୟନଗରସ୍ଥିତ ଡିଭିଜିନାଲ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସର୍ବଭାରତୀୟ ଉପସଭାପତି ପ୍ରଦୀପ ମୁଖାର୍ଜୀ ସମ୍ମିଳନୀକୁ ଉଦ୍‌ଘାଟନ କରି କହିଲେ, ବର୍ତମାନର କେନ୍ଦ୍ର ସରକାର ଏକ କର୍ପୋରେଟ୍‌ ସପକ୍ଷବାଦୀ ସରକାର। ଫଳରେ ଦେଶରେ ଶ୍ରମିକ ଶୋଷଣ ବଢ଼ିଚାଲିଛି। ଦଶର ଏହି ଘଡ଼ିସନ୍ଧି ମୁହୂର୍ତରେ ସମସ୍ତ ଶ୍ରମିକ ଏକତ୍ରିତ ହୋଇ ସରକାରକୁ ଦୃଢ଼ ଜବାବ ଦେବାର ସମୟ ଆସିଛି।

ମୁଖ୍ୟବକ୍ତା ଭାବେ ସର୍ବଭାରତୀୟ ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଯୋଗ ଦେଇ କହିଲେ, କେନ୍ଦ୍ର ସରକାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିର ସୀମା ୨୬ ଶତକଡ଼ାରୁ ୪୯ ଶତକଡ଼ାକୁ ବୃଦ୍ଧି କରି, ଦେଶର ଅର୍ଥନୈତିକ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିଛନ୍ତି। ସମସ୍ତେ ଏହାର ଦୃଢ଼ ପ୍ରତିବାଦ କରିବା ଦରକାର। ଭୁବନେଶ୍ୱର ଏଲ୍‌ଆଇସି କର୍ମଚାରୀ ସଂଘର ସଭାପତି ଚନ୍ଦ୍ରମୋହନ ହାଇବ୍ରୁ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସତ୍ୟବ୍ରତ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ସୁଧାଂଶୁ ମିଶ୍ର, ରୂପନାରାୟଣ ସାହୁ, ରମାକାନ୍ତ ଦାସ, ଅସିତ ବସୁମଲ୍ଲିକ ଓ ଅରୁଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର