ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସମ୍ମିଳନୀ

ଭୁବନେଶ୍ୱର : ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଗଠିତ ଅନୁଷ୍ଠାନ ‘ ପାକିସ୍ତାନ- ଇଣ୍ଡିଆ ପିପୁଲ୍‌ସ ଫୋରମ୍‌ ଫର ପିସ୍‌ ଆଣ୍ଡ ଡେମୋକ୍ରାସି’ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଲୋହିଆ ଏକାଡେମିରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଯୁଦ୍ଧ ସମୟରେ ଶାନ୍ତି ପ୍ରତିଷ୍ଠା’। ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭାରତ- ପାକିସ୍ତାନ ପକ୍ଷରୁ ଶାନ୍ତି ପ୍ରତିଷ୍ଠା, କାଶ୍ମୀର ସମସ୍ୟାର ଗଣତାନ୍ତ୍ରିକ ସମାଧାନ, ଗଣତାନ୍ତ୍ରିକ ଶାସନ, ଉଭୟ ଦେଶରେ ସହିଷ୍ଣୁତା ବଜାୟ ରଖିବା ଆଦି ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କାର୍ଯ୍ୟକ୍ରମରେ ଯୋଜନା କମିସନର ପୂର୍ବତନ ସଦସ୍ୟ ସୟେଦା ହମିଦ, କାଶ୍ମୀର ଟାଇମର ସଂପାଦକ ଅନୁରାଧା ଭାସିନ ଜମଓ୍ଵାଲ, ପ୍ରାମାଣିକ ଚଳଚ୍ଚିତ୍ରର ପ୍ରଯୋଜକ ତପନ ବୋଷ, ଗାନ୍ଧୀ ସ୍ମାରକନିଧିର ଅଧ୍ୟକ୍ଷ କୃଷ୍ଣ ମହାନ୍ତି, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଲୋକଶକ୍ତି ଅଭିଧାନର ସଭାପତି ପ୍ରଫୁଲ ସାମନ୍ତରାୟ, କଂଗ୍ରେସର କୈଳାସ ଆଚାର୍ଯ୍ୟ, ସିପିଆଇର ସୌର ବନ୍ଧୁକର, ସିପିଆଇ(ଏମ)ର ଜନାର୍ଦ୍ଦନ ପତି, ସିପିଆଇ(ଏମଏଲ)ର ରାଧାକାନ୍ତ ସେଠୀ ପ୍ରମୁଖ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଜୁଲଫିକର ଅଲ୍ଲୀଭୁଟ୍ଟୋଙ୍କ ରାଜନୈତିକ ଜୀବନୀ ଉପରେ ସୟେଦା ହମିଦଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ବର୍ଣ୍ଣ ଟୁ ବି ହ୍ୟାଙ୍ଗଡ୍‌’ର ଉନ୍ମୋଚନ ହୋଇଥିଲା। ପ୍ରାରମ୍ଭରେ ପ୍ରଫେସର ଆଶା ହଂସ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଯତୀନ ଦେଶାଇ ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର