ଜଟଣୀ: ଜଟଣୀ ପୁସ୍ତକମେଳା ସମିତି ଆନୁକୂଲ୍ୟରେ ଟାଉନ୍ ହଲ୍‌ଠାରେ ଚାଲିଥିବା ୨୨ତମ ପୁସ୍ତକମେଳାର ଆଜି ୬ଷ୍ଠ ସନ୍ଧ୍ୟାରେ ଭାଷା ସମ୍ପର୍କୀତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ‘ଓଡ଼ିଆ ଭାଷାର ପ୍ରାକ୍‌ ଓ ପର ଅବସ୍ଥା: ତା’ର ଶାସ୍ତ୍ରୀୟ ମାନ୍ୟତା’ ଶୀର୍ଷକକୁ ନେଇ ଏହି ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଜବାହରଲାଲ ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ପ୍ରତିଭା ମହାରଥୀ ଯୋଗଦେଇଥିଲେ। ମାତୃଭାଷା ଘରର ଏରୁଣ୍ଡି ବନ୍ଧ ହୋଇଥିବା ବେଳେ ଅନ୍ୟ ଭାଷା ଘରର ଝରକା ସଦୃଶ ବୋଲି ଶ୍ରୀମତୀ ମହାରଥୀ କହିଥିଲେ। ଜଣେ ମାତୃଭାଷାରେ ନିପୁଣ ହେଲେ ଯାଇ ଅନ୍ୟାନ୍ୟ ଭାଷା ବୁଝିବା ସହଜ ହେବ ଏବଂ ସେଗୁଡ଼ିକରେ ବି ନିପୁଣତା ହାସଲ କରିହେବ ବୋଲି ସେ କହିଥିଲେ।

Advertisment

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରାଚୀନ ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ ସମସ୍ତ ଓଡ଼ିଶାବାସୀ ଆଗକୁ ଆସିବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ସାହିତ୍ୟିକା ସାଧନା ପତ୍ରୀ କହିଲେ ଯେ ସମସ୍ତ ଶିକ୍ଷିତ ଓଡ଼ିଆ ନିଜ ମାତୃଭାଷାର ପ୍ରଚାର ପ୍ରସାର କରିବା ଆବଶ୍ୟକ। ଅନ୍ୟତମ ଅତିଥି ଉତ୍କଳ ବିକାଶ ପରିଷଦର ମହାସଚିବ ରୁଷି ଗୁମାନସିଂ, ପ୍ରଧ୍ୟାପକ ସୀତାରାମ ମହାପାତ୍ର ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟିତ୍ରୀ ରଶ୍ମିତା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ତର୍ଯାମୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।