ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରର ସୌନ୍ଦର୍ଯ୍ୟକୁ ବିଗାଡ଼ୁଛି ଥାନାର ଜବତ ଗାଡ଼ି। କେଉଁଠି ଭଙ୍ଗାଦଦରା ଅବସ୍ଥାରେ ପଡ଼ିଥିବା ଏହି ଗାଡ଼ିରେ କଳଙ୍କି ଲାଗିଲାଣି ତ କେଉଁଠି ଲଟାବୁଦା ଆବୋରି ସାରିଲେଣି। ରାଜଧାନୀ ଭୁବନେଶ୍ବରର ସ୍ବଚ୍ଛତା ଉପରେ ଏହା ନକରାତ୍ମକ ପ୍ରଭାବ ପକାଉଛି। ତେବେ ଭୁବନେଶ୍ବର ମହାନଗର ନିଗମ ଏହାକୁ ଗୁରୁତ୍ବର ସହ ନେଇଛି। ସହରର ‘ଶ୍ରୀ’କୁ ନଷ୍ଟ କରୁଥିବା ଏହି ପୁରୁଣା ଗାଡ଼ି ବିକ୍ରି ପାଇଁ କମିସନରେଟ୍ ପୁଲିସକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଚିଠି ଲେଖାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୫ରୁ ଅଧିକ ଥାନା ରହିଛି। ସବୁ ଥାନାରେ ଶହଶହ ସଂଖ୍ୟାରେ ଜବତ ହୋଇଥିବା ପୁରୁଣା ଗାଡ଼ି ଗଦା ହୋଇଛି। ଥାନା ଉପରେ ବି ଏହି ଗାଡ଼ି ଭାର ଦିନକୁ ଦିନ ବଢ଼ିଚାଲିଛି। କିନ୍ତୁ କମିସନରେଟ୍ ପୁଲିସ ଏ ଦିଗରେ କୌଣସି ପଦକ୍ଷେପ ନେଉନି। ଫଳରେ ଥାନା ପରିସରରେ ଏଭଳି ଅବ୍ୟବହୃତ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏହା ଥାନା ଜାଗା ମାଡ଼ି ବସିଲାଣି। ସେପଟେ ପୁରୁଣା ଗାଡ଼ି ସବୁ ବର୍ଷ ବର୍ଷ ଧରି ଥାନା ପରିସରରେ ପଡ଼ିରହିବା ଫଳରେ ଏହା ଉପରେ ଲଟାବୁଦା ମାଡ଼ିଗଲାଣି। ଅତୀତରେ ଏହି ପୁରୁଣା ଗାଡ଼ି ହଟାଇବାକୁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ କମିସନରେଟ୍ ପୁଲିସକୁ ଚିଠି ଲେଖିଥିଲେ। ପରେ ଗାଡ଼ି ସବୁକୁ ଥାନା ପକ୍ଷରୁ ଖାଲି କରାଯାଇଥିଲା। ଚାଳକଙ୍କୁ ଖୋଜି ଖୋଜି ଗାଡ଼ି ଦିଆଯାଇଥିଲା। ଇତିମଧ୍ୟରେ ପୁଣି ଜବତ ଗାଡ଼ିର ଭିଡ଼ ବଢ଼ିଗଲାଣି।
ଗତ ଏପ୍ରିଲ ମାସରେ କର୍ପୋରେସନ୍ ବୈଠକରେ ଭୁବନେଶ୍ବର ମହାନଗର ନିଗମର ୨୮ଟି ପୁରୁଣା ଗାଡ଼ିକୁ ଖୋର୍ଦ୍ଧା ପୀତାପଲ୍ଲୀଠାରେ ଥିବା ସ୍କ୍ରାପିଂ ସଂସ୍ଥାକୁ କବାଡ଼ିଆ ଦରରେ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି। ଏଥିରୁ ଭୁବନେଶ୍ବର ମହାନଗର ନିଗମ ପ୍ରାୟ ୧୮ଲକ୍ଷ ଟଙ୍କା ପାଇବ। ଏଣୁ କମିସନରେଟ୍ ପୁଲିସକୁ ଥାନା ପରିସରରେ ଗଦା ହୋଇ ରହିଥିବା ପୁରୁଣା ଗାଡ଼ିକୁ ସ୍କ୍ରାପ୍ ଦରରେ ବିକ୍ରି କରିବାକୁ ଭୁବନେଶ୍ବର ମହାନଗର ନିଗମ ପରାମର୍ଶ ଦେବ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି।