ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ‘ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିର ସୁରକ୍ଷା’ ପ୍ରସଙ୍ଗକୁ ନେଇ ଇଡକଲ୍ ଅଡିଟୋରିୟମଠାରେ ଏକ ବୁଦ୍ଧିଜୀବୀ ସଂଗୋଷ୍ଠୀର ଆୟୋଜନ କରାଯାଇଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଶେଷ ମୁହୂର୍ତ୍ତରେ ଇଡକଲ୍ କର୍ତ୍ତୃପକ୍ଷ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରିଦେଇଥିଲେ। ଏହାପରେ ସ୍ଥାନ ପରିବର୍ତ୍ତନ କରାଯାଇ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ଆପତ୍ତି ଉଠାଯାଇଛି।
ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ୍ କଲେ ଇଡକଲ୍ କର୍ତ୍ତୃପକ୍ଷ
ଅଗ୍ନି ନିରାପତ୍ତା ନଥିବାରୁ ବାତିଲ କରାଯାଇଥିବା ସଫେଇ
ସରକାର ଷଡ୍ଯନ୍ତ୍ର କରି ବାତିଲ୍ କରିଛନ୍ତି: ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ
ରାଜ୍ୟ ସରକାର ଜାଣିଶୁଣି ଏହି କାର୍ଯ୍ୟକ୍ରମ କରାଇନଦେବାକୁ ଏଭଳି ଷଡ୍ଯନ୍ତ୍ର କରିଥିବା ନେଇ ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଗଣମାଧ୍ୟମ ସଂଯୋଜକ ଅଜୟ କୁମାର ରାଉତ କହିଛନ୍ତି ଇଡକଲ୍ ଅଡିଟୋରିୟମ୍ର ସବୁ ପ୍ରକାର ସର୍ତ୍ତ ମାନିବା ପରେ ସେମାନେ ହଲ୍ ଦେଇଥିଲେ। କିନ୍ତୁ କେଉଁ ଅଦୃଶ୍ୟ ଇଙ୍ଗିତରେ ରବିବାର ରାତି ୯ଟା ବେଳେ ଇଡକଲ୍ କର୍ତ୍ତୃପକ୍ଷ ଫୋନ୍ କରି ମନାକଲେ, ଆମର ଅସୁବିଧା ଅଛି ଆମେ ହଲ୍ ଦେଇ ପାରିବୁ ନାହିଁ। କିଛି ନିର୍ଦ୍ଦିଷ୍ଟ କାରଣ କହିଲେ ନାହିଁ। ଯେଉଁ କାରଣ କହିଲେ ତାହା ବିଶ୍ବାସଯୋଗ୍ୟ ନୁହେଁ। କାରଣ ୨୪ ଘଣ୍ଟାରୁ କମ୍ ସମୟ ଥିଲା ବେଳେ ବୁକିଂ ବାତିଲ୍ କରାଗଲା। ଯଦି ଅଡିଟୋରିୟମ୍ର ଫାୟାର ସେଫ୍ଟି ନଥିଲା ତେବେ ବୁକିଂ କେମିତି କରାଯାଉଥିଲା? ସରକାର କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ୍ଯନ୍ତ୍ର କରି ବାତିଲ୍ କରିଛନ୍ତି ବୋଲି ସେ କହିଛନ୍ତି।
ତେବେ ଏନେଇ ଇଡକଲ୍ ଅଡିଟୋରିୟମ୍ ଦାୟିତ୍ୱରେ ଥିବା ଅଧିକାରୀ କେ.ପି ଦାସ କହିଛନ୍ତି ଯେ, ଫାୟାର ସେଫ୍ଟି ନଥିବା ଏବଂ ଆଉ କିଛି କାମ ଥିବା ଯୋଗୁଁ ବାତିଲ୍ କରାଯାଇଛି। ଆସନ୍ତା ଅଗଷ୍ଟ ମାସ ଯାଏ ଏଠାରେ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ଆମେ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୁକିଂ ନେଉନାହୁଁ। ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସହ ଅନ୍ୟ କିଛି ଆବେଦନ ଆସିଥିଲା। ଆମେ ସବୁ ବାତିଲ୍ କରିଛୁ। ହେଲେ ରବିବାର ଛୁଟି ଦିନରେ ଏବଂ ୨୪ ଘଣ୍ଟାରୁ କମ୍ ସମୟ ଥାଇ କେମିତି ବାତିଲ୍ କରାଗଲା ପ୍ରଶ୍ନରେ, ମୁଁ ଡାକ୍ତରଙ୍କ ପାଖକୁ ଚାଲି ଯାଇଥିଲି ସେଥିପାଇଁ କହି ପାରିନଥିଲି ବୋଲି ସେ ସଫେଇ ଦେଇଛନ୍ତି। ଅନ୍ୟପଟେ ଅଡିଟୋରିୟମ୍ କାମ ହେବା ନେଇ କୌଣସି ଲିଖିତ ଅର୍ଡର ହୋଇନଥିବା କହିଛନ୍ତି କେ.ପି ଦାସ। ଯାହା ଅଧିକ ସନ୍ଦେହ ସୃଷ୍ଟି କରିଛି।