ଲକ୍‌ଡାଉନ୍ ଉଠାଇବା ନେଇ ଦ୍ୱନ୍ଦ୍ୱ, ଟିପିଆର୍‌ କମୁଛି; ରାଜଧାନୀରେ କଟକଣା କୋହଳ ହୋଇପାରେ

ଭୁବନେଶ୍ବର : ଜୁଲାଇ ୧ରୁ ରାଜଧାନୀରୁ ଲକ୍‌ଡାଉନ୍ ଉଠିବ ନା ପୁଣି ନିୟମ କୋହଳ ହେବ ସେନେଇ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି। ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ଖୋର୍ଦ୍ଧା ଜିଲ୍ଲାର ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର୍‌) ୮% ଉପରେ ରହିଛି। ତେଣୁ ପୂରା ଖୋର୍ଦ୍ଧା ଜିଲ୍ଲା ଏବେ ରେଡ୍‌ ଜୋନ୍‌ରେ ଅଛି। ଏପରିକିି ଭୁବନେଶ୍ବରର ଟିପିଆର୍‌ କେଉଁଦିନ ୧୦% ହେଇଯାଉଛି ତ କେଉଁଦିନ ୫%ରୁ କମିଯାଉଛି। ଗତ ଦୁଇ ଦିନ ହେଲା ଟିପିଆର୍‌ ୫% ଏବଂ ଏହାଠାରୁ କମ୍‌ ରହିଛି। ତେଣୁ ରାଜ୍ୟ ସରକାର ଭୁବନେଶ୍ବର ନେଇ କ’ଣ ନିଷ୍ପତ୍ତି ନେବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି।

ପ୍ରାୟ ଦୁଇ ମାସ ହେଲା ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବଜାର ବନ୍ଦ ଥିବାବେଳେ ମଲ୍‌, ହଲ୍‌, ସବୁ ବନ୍ଦ ରହିଛି। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଏବେବି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରୁନାହାନ୍ତି। ଲକ୍‌ଡାଉନ୍ ଆଳରେ ଛଟେଇ ହେଉଛି। ଯେଉଁ ଦୋକାନ, ବଜାର, ଅଫିସ୍‌ ଖୋଲୁଛି; ସେମାନେ ଯଥାସମ୍ଭବ କମ୍‌ ଲୋକଙ୍କୁ ନେଇ କାମ କରୁଛନ୍ତି। ହଜାର ହଜାର ଲୋକଙ୍କର ଦିନକୁ ଦିଓଳି ଖାଇବା ଚିନ୍ତାର ବିଷୟ ହୋଇଗଲାଣି। କିଏ ଘରଭଡ଼ା ଦେଇପାରୁନି ତ କିଏ ଦୋକାନଭଡ଼ା ଦେଇପାରୁନି। ଲକ୍‌ଡାଉନ୍ ଚାପରେ ‌ଦୋକାନରେ, ଅଫିସ୍‌ରେ ବସୁଥିବା ଲୋକ ରାସ୍ତା କଡ଼କୁ ଚାଲି ଆସିଲାଣି। ତେଣୁ ସମସ୍ତେ ଲକ୍‌ଡାଉନ୍ ଉଠାଇବାକୁ ଦାବି କଲେଣି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧ରୁ ଭୁବନେଶ୍ବରରେ ଲକ୍‌ଡାଉନ୍ କୋହଳ ହେବାର ସମ୍ଭାବନା ଅଧିକ। ଏଠାରେ କେବଳ ସପ୍ତାହାନ୍ତ ସଟ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗିପାରେ। ଅଧିକ କଡ଼ାକଡ଼ି ହେଲେ ବି ସଂଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲିବାକୁ ଅନୁମତି ଦେବା ନେଇ ବିଚାର ଚାଲିଛି। ଭୁବନେଶ୍ବରରେ ଲକ୍‌ଡାଉନ୍ କୋହଳ କରିବା ନେଇ ଚିନ୍ତା କରିବାର ସବୁଠୁ ବଡ଼ କାରଣ ହେଉଛି ଆମେ ଯେତିକି ଲୋକଙ୍କୁ ଟିକା ଦେବୁ ବୋଲି ଟାର୍ଗେଟ୍ କରିଥିଲୁ, ସେଥିରୁ ପ୍ରାୟ ୫୦%ରୁ ଅଧିକ ଲୋକ ଦୁଇ ଡୋଜ୍ ଟିକା ନେଇ ସାରିଲେଣି। ୫ଲକ୍ଷରୁ ଅଧିକ ଲୋକ ଦୁଇ ଡୋଜ୍ ଟିକା ନେଇ ସାରିଥିବାବେଳେ ପ୍ରାୟ ୯ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଲେଣି। ଜୁଲାଇ ୧ ବେଳକୁ ଏହା ଆହୁରି ବଢ଼ି ଯାଇଥିବ। ଏପରିକି ଜୁଲାଇ ୧୦ ବେଳକୁ ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେଇଦେବାକୁ ଯୋଜନା କରିଛୁ। ଏହା ହେଲେ ରାଜଧାନୀରେ ଏବେ ଯେତିକି ଆକ୍ରାନ୍ତ ବାହାରୁଛନ୍ତି ବା ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତାହା ବହୁତ କମିଯିବ। ତେଣୁ ଲକ୍‌ଡାଉନ୍ ଉଠାଇଲେ ବିଶେଷ ଅସୁବିଧା ହେବନି ବୋଲି ଅନୁମାନ କରୁଛୁ।

ସେହିପରି ଯଦି ଟିପିଆର୍‌ ସ୍ଥିତି ଦେଖାଯାଏ, ତେବେ ଭୁବନେଶ୍ବରରେ ଗତ ଦୁଇ ଦିନରେ ଟିପିଆର୍‌ ୫%ରୁ କମ୍‌ ରହିଛି। ଜୁନ୍‌ ୨୬ରେ ୬୬୭୯ଜଣ କୋଭିଡ ପରୀକ୍ଷା କରିଥିବାବେଳେ ୩୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଟିପିଆର୍‌ ୪.୮% ଥିଲା। ସୋମବାର ୫୬୧୪ଜଣ କୋଭିଡ ପରୀକ୍ଷା କରିଥିବାବେଳେ ୨୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଟିପିଆର୍ ୫% ଅଛି। ଟିପିଆର୍‌ ନିୟନ୍ତ୍ରଣକୁ ଆସିଥିବାରୁ ଲକ୍‌ଡାଉନ୍ କୋହଳ ନେଇ ରାଜ୍ୟ ସରକାର ନିଶ୍ଚିତ ଚିନ୍ତା କରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଯେଉଁ ଦୋକାନ ବଜାର, ମାର୍କେଟ୍, ହାଟ ସିଲ୍‌ ହୋଇଛି; ସେଗୁଡ଼ିକୁ ଜୁଲାଇ ୧ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଯଦି ଲକ୍‌ଡାଉନ୍ କୋହଳ ହୁଏ ତେବେ ହାଟ, ବଜାର, ମାର୍କେଟ୍ କମ୍ପ୍ଲେକ୍ସ, ଘ‌ରୋଇ କାର୍ଯ୍ୟାଳୟ ଆଦି ଖୋଲିବାକୁ ଅନୁମତି ଦେବୁ। କିନ୍ତୁ କୌଣସି ସଭାସମିତି ପାଇଁ ଅନୁମତି ମିଳିବନି। ବିବାହ ଋତୁ ଆସୁଥିବାରୁ ଏନେଇ କିଛି ନିୟମ କୋହଳ ହେବ। ଅନ୍ତ୍ୟେଷ୍ଟି କ୍ରିୟା ପାଇଁ କିଛି ନିୟମ କୋହଳ ହୋଇପାରେ। ହୋଟେଲ ଖୋଲିବାକୁ, ବସ୍ ଚଳାଚଳ କରିବାକୁ ଅନୁମତି ମିଳିପାରେ। କିନ୍ତୁ ସପିଂ ମଲ୍‌, ସିନେମା ହଲ୍‌, ସୁଇମିଂ ପୁଲ୍‌, ସ୍ପା, ଜିମ୍ ଆଦି ଖୋଲିବାକୁ ଆହୁରିଏକରୁ ଦୁଇ ସପ୍ତାହ ଲାଗିପାରେ।

୨୮୧ ଆକ୍ରାନ୍ତ, ୩୭୪ ସୁସ୍ଥ
ଭୁବନେଶ୍ବର : ରାଜଧାନୀରୁ ଆଜି ୨୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୭୪ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଆଜି ଚନ୍ଦ୍ରଶେଖରପୁରରୁ ୮ଜଣ, ବରମୁଣ୍ଡାରୁ ୯, ଆଇଆର୍‌ସି ଭିଲେଜରୁ ୧୩, ଡୁମଡୁମାରୁ ୧୨, ଖଣ୍ଡଗିରିରୁ ୨୧, ପାତ୍ରପଡ଼ାରୁ ୧୦, ନୂଆପଲ୍ଲୀରୁ ୯, ପଟିଆରୁ ୨୮, ୟୁନିଟ-୯ରୁ ୧୦, ପୁରୁଣା ଭୁବନେଶ୍ବରରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର