ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ରାଜଧାନୀରେ ୬ ଘଣ୍ଟିଆ ହରତାଳ ପାଇଁ ଶଙ୍ଖଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ହଙ୍ଗାମା ହୋଇଛି। କର୍ପୋରେଟର ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର(ଲିଟୁ)ଙ୍କୁ ବରିଷ୍ଠ ନେତା ଓ କର୍ପୋରେଟରମାନେ ବିରୋଧ କରି ବୈଠକ ବର୍ଜନ କରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବଡ଼କଥା ହେଉଛି କଳିକୁ ସମାଧାନ କରିବାକୁ ବାହାରିଥିବା ବରିଷ୍ଠ ନେତା ବି କର୍ପୋରେଟରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଯଦିଓ ଏଭଳି କଳି ନୂଆ କଥା ନୁହେଁ, ତଥାପି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ଏକାଠି ହେବା ବେଳେ ନିଜ ଘର ଫାଟ ପଦାରେ ପଡ଼ିବା ବିଜେଡି ନେତାଙ୍କୁ ଅକଳରେ ପକାଇଛି। 

Advertisment

ଭରତପୁର ଥାନାରେ କ୍ୟାପ୍‌ଟେନ୍‌ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ୍‌ କରିଥିବା ଦୁର୍ବ୍ୟବହାର ମାମଲାରେ ମଙ୍ଗଳବାର ଦିନ ବିଜେଡି ଭୁବନେଶ୍ୱରରେ ୬ ଘଣ୍ଟିଆ ହରତାଳ ଡାକରା ଦେଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଘୋଷଣା ପୂର୍ବରୁ ପୂର୍ବାହ୍ନରେ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ବୈଠକରେ ଭୁବନେଶ୍ୱରର ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀର ନେତା, ସଙ୍ଗଠକ ଓ ମେୟରଙ୍କ ସମେତ ସମସ୍ତ କର୍ପୋରେଟର ସାମିଲ ହୋଇଥିଲେ। ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ଆରମ୍ଭ ପୂର୍ବରୁ ଲିଟୁ-ବାଇଁଆଙ୍କୁ ବୈଠକେ ସାମିଲ ନ କରିବାକୁ କର୍ପୋରେଟରମାନେ ପ୍ରସ୍ତାବ ଦେଇଥିଲେ। ବୈଠକ ସୁରୁଖୁରୁରେ ଚାଲିଥିଲା। 

ଅଧଘଣ୍ଟାଏ ପରେ ଲିଟୁ-ବାଇଁଆ ଏକତ୍ର ବୈଠକ ସ୍ଥଳରେ ପ୍ରବେଶ କରିଥିଲେ। ସେମାନଙ୍କୁ ଦେଖି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ୱାର୍ଡର କର୍ପୋରେଟର ଉଠି ବାହାରକୁ ଚାଲି ଆସିଥିଲେ। ଏମାନଙ୍କୁ ବୁଝାଇବା ପାଇଁ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ଅରୁଣ ସାହୁ ପ୍ରମୁଖ ସେମାନଙ୍କ ପଛେ ପଛେ ଆସିଥିଲେ। କିନ୍ତୁ ଲିଟୁ-ବାଇଁଆ ଶଙ୍ଖ ଭବନ ନ ଛାଡ଼ିଲେ ବୈଠକରେ ସେମାନେ ଯୋଗ ଦେବେ ନାହିଁ ବୋଲି ସଫା ସଫା ଶୁଣାଇଥିଲେ। ଏହାକୁ ନେଇ ସେଠାରେ କର୍ପୋରେଟରମାନଙ୍କ ସହ ବରିଷ୍ଠ ନେତାମାନଙ୍କର ଭୀଷଣ ଯୁକ୍ତିତର୍କ ହୋଇଥିଲା। ସେ ଦୁଇ ଜଣଙ୍କୁ ବୈଠକରୁ ବାହାର କରାଯିବ ବୋଲି ପ୍ରତିଶ୍ରୁତି ମିଳିଲା ପରେ ସେମାନେ ବୈଠକକୁ ଫେରିଥିଲେ। ଏହି ସମୟରେ ବାଇଁଆ ଓ ଲିଟୁ ଶଙ୍ଖ ଭବନରୁ ବାହାରି ଯାଇଥିଲେ। ଉଭୟ ଯିବା ପରେ ବୈଠକ ପୂର୍ବବତ୍‌ ଆରମ୍ଭ ହୋଇଥିଲା। କିନ୍ତୁ ବୈଠକରେ ବାଇଁଆ ଓ ଲିଟୁଙ୍କ କାର୍ଯ୍ୟକଳାପକୁ ନେଇ ବହୁ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଣବ ପ୍ରକାଶ ଦାସ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା ବେଳେ ସେ ବି ରୋଷର ଶୀକାର ହୋଇଥିଲେ। ବିଜେଡି ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ସେମାନେ ଟାର୍ଗେଟ୍‌ କରିଥିଲେ। ଦଳର କୌଣସି ନେତା ଗଣମାଧ୍ୟମରେ ବିବୃତି ଦେଇପାରିବେନି ବୋଲି ଜିଲ୍ଲା ସଭାପତି ନୋଟିସ୍‌ ଜାରି କରିଥିଲା ବେଳେ ବାଇଁଆ ଓ ଲିଟୁ କିପରି ଗଣମାଧ୍ୟମରେ ଦଳୀୟ ନେତାଙ୍କ ବିରୋଧରେ କହିଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଉଭୟଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। 

ଏପଟେ ବୈଠକ ଚାଲିଥିଲା ବେଳେ ବାଇଁଆ ଓ ଲିଟୁ ନିଜର ୫୦ରୁ ଅଧିକ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଥିଲେ। ଯଦିଓ ବୈଠକକୁ ଯାଇନଥିଲେ ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।  ଦେବୀ ମିଶ୍ର ଓ ଅରୁଣ ସାହୁ ବୈଠକରୁ ଉଠି ଆସି ଉଭୟଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ସମୟ ଧରି କଥା କଟାକଟି ହେବା ପରେ ଉଭୟ ନିଜ ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନ ଛାଡ଼ି ଚାଲିଯାଇଥିଲେ। କେତେକ କର୍ପୋରେଟର ମଧ୍ୟ ବୈଠକ ଅଧାରୁ ଚାଲି ଯାଇଥିଲେ। ଏଠାରେ ସୂଚାଇ ଦିଆଯାଇପାରେ, ନିର୍ବାଚନ ପୂର୍ବରୁ ଓ ପରେ ଏହି ଦୁଇ କର୍ପୋରେଟର ବିଜେପି ନେତାମାନଙ୍କ ସହ ବୁଲିବା ସହ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଖୋଲାଖୋଲି ବିରୋଧ କରୁଥିଲେ। ସ୍ଥିତି ଏଭଳି ହୋଇଥିଲା କି ଭୁବନେଶ୍ବର ଜିଲ୍ଲା ସଭାପତି ଗଣମାଧ୍ୟମରେ ମନ୍ତବ୍ୟ ‌ଦେବା ନେଇ ବିଜେଡି ନେତାଙ୍କ ଉପରେ କଟକଣା ଲଗାଇଥିଲେ। ଆଜିର ଘଟଣାରେ କୌଣସି ବରିଷ୍ଠ ନେତା କିମ୍ବା କର୍ପୋରେଟର ମୁହଁ ଖୋଲିବା ପାଇଁ ଚାହିନାହାନ୍ତି।