ଦୂର ହେଲା ଦ୍ବନ୍ଦ୍ବ,: ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ହେବ ‘ଅକ୍ଷର’

ଭୁବନେଶ୍ବର: ଚଳିତ ଥର ରାଜ୍ୟ ପୁସ୍ତକ ମେଳା ଆୟୋଜନକୁ ନେଇ ଚାଲିଥିବା ଦ୍ବନ୍ଦ୍ବରେ ଆଜି ଯବନିକା ପଡ଼ିଛି। ଆସନ୍ତା ଡିସେମ୍ବର ୯ରୁ ୧୮ ତାରିଖ ଯାଏ ଅର୍ଥାତ ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ପ୍ରଦର୍ଶନୀ ପଡ଼ିଆରେ ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ ଆୟୋଜିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଓ ଓଡ଼ିଶା ପବ୍ଲିସର୍ସ ଆଣ୍ଡ୍ ବୁକ୍ ସେଲର୍ସ ଆସୋସିଏସନର ମିଳିତ ସହଯୋଗରେ ପୁସ୍ତକ ମେଳା ଆୟୋଜିତ ହେବ। ଜାନୁଆରି ୧୩ ତାରିଖରୁ ଡଟ୍ ଫେଷ୍ଟ୍ ଆରମ୍ଭ ହେଉଥିବାରୁ ପୁସ୍ତକ ମେଳା ୧୮ ତାରିଖରେ ସରିବା ପରେ ୨ ଦିନ ଭିତରେ ଅର୍ଥାତ ୨୦ ତାରିଖ ସୁଦ୍ଧା ଷ୍ଟଲ ଭାଙ୍ଗି ପଡ଼ିଆ ଖାଲି କରିବାକୁ ବିଡିଏ ସର୍ତ୍ତ ରଖିଛି। ପୁସ୍ତକ ମେଳାର ଆୟୋଜକମାନେ ଏହି ସର୍ତ୍ତକୁ ମାନି ନେଇଛନ୍ତି।

ରାଜଧାନୀ ପୁସ୍ତକ ମେଳାର ସଭାପତି ଉପେନ୍ଦ୍ର ଜେନା କହିଛନ୍ତି, ମେଳା ଆୟୋଜନ ଓ ଟେଣ୍ଟ ବାନ୍ଧିବାକୁ ୧୪ରୁ ଅଧିକ ଦିନ ସମୟ ଲାଗୁଥିବା ବେଳେ ଏହାକୁ ୨ ଦିନରେ ଭାଙ୍ଗିବା କାଠିକାର ପାଠ। କିନ୍ତୁ ଏହା ନ କଲେ ପୁଣି ଥରେ ପୁସ୍ତକ ମେଳା ବନ୍ଦ ହୋଇଯିବ। ଲଗାତାର ୩ ବର୍ଷ ପୁସ୍ତକ ମେଳା ବନ୍ଦ ହେବାରୁ ବାହାର ରାଜ୍ୟର ପ୍ରକାଶକମାନେ ଏତେ ସହଜରେ ଗ୍ରହଣ କରିପାରିବେ ନାହିଁ। ଓଡ଼ିଶାବାସୀ ପୁସ୍ତକ ମେଳାଟିଏ ଆୟୋଜନରେ ଅପାରଗ ବୋଲି ବାର୍ତା ଯିବ ଓ ସେମାନେ ପରବର୍ତୀ ସମୟରେ ଓଡ଼ିଶା ଆସିବାକୁ ଅମଙ୍ଗ ହେବେ। ଏଣୁ କଷ୍ଟ ହେଉ ପଛେ ବିଡିଏର ସହଯୋଗରେ ପୁସ୍ତକ ମେଳା ଆୟୋଜନ ହେବ ଓ ମେଳା ସରିଲେ ୨ ଦିନରେ ଷ୍ଟଲ ବି ଭଙ୍ଗାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର