ଭୁବନେଶ୍ବର : ନିକୋପାର୍କ ଛକରେ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍(ଏମ୍ସିସି)ରେ କର୍ମଚାରୀ ଅସନ୍ତୋଷ ଉଗ୍ରରୂପ ନେଇଛି। ଦରମା କଟା ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ଠିକାସଂସ୍ଥାକୁ ଘେରିବାରୁ ସଂସ୍ଥା ୩ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏହାକୁ ପ୍ରସଙ୍ଗ କରି ଅନ୍ୟ କର୍ମଚାରୀମାନେ କାମ ବନ୍ଦ କରିଦେବାରୁ ଭୟଙ୍କର ସ୍ଥିତି ଉପୁଜିଛି। ତିନିଟି ୱାର୍ଡରୁ ଅଳିଆ ଉଠି ପାରୁନଥିଲା। ଉଭୟପକ୍ଷ ମୁହାଁମୁହିଁ ହେବା ସହ ମାମଲା ଥାନାକୁ ଯିବା ପରେ ଆଜି ଖାରବେଳନଗର ଥାନାରେ ମାମଲାର ଆପୋସ ସମାଧାନ ହୋଇଛି। ନିଲମ୍ବିତ କର୍ମଚାରୀ କାମରେ ଯୋଗଦେବା ସହ ଆସନ୍ତାକାଲିଠାରୁ ବିଭିନ୍ନ ଅଞ୍ଚଳରୁ ଅଳିଆ ଉଠିବ ବୋଲି ନିଷ୍ପତ୍ତି ହୋଇଛି।
ନିକୋ ପାର୍କ ଛକରେ ଥିବା ଏମ୍ସିସିରେ ‘ଉଇସ୍’ ଠିକା ସଂସ୍ଥା ଅଧୀନରେ କର୍ମଚାରୀମାନେ କାମ କରୁଛନ୍ତି। ଧାର୍ଯ୍ୟ ଦରମା ଦିଆ ନଯିବା ସହ ଦାୟିତ୍ବରେ ଥିବା ଏଜେନ୍ସିର ଅଧିକାରୀମାନେ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା, ଇପିଏଫ୍ ଓ ଇଏସ୍ଆଇ ସୁବିଧା ଉପଲବ୍ଧ ନହେବା ଅଭିଯୋଗ କରି କର୍ମଚାରୀମାନେ ଏଜେନ୍ସିକୁ ଘେରିବା ସହ କାମ ବନ୍ଦ କରିଥିଲେ। ଗତ ୫ ତାରିଖ ଦିନ ବିଏମସି ୩ କର୍ମଚାରୀଙ୍କୁ ନିଲମ୍ବନ କରିଥିଲା। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଫେଇ ଗାଡ଼ିରେ କାର୍ଯ୍ୟରତ ୪୦ ଡ୍ରାଇଭର ଓ ହେଲପର ଗେଟରେ ତାଲା ପକାଇ ଧାରଣା ଦେଇଥିଲେ। ବିଏମ୍ସି ଓ ଠିକା ସଂସ୍ଥା କର୍ମଚାରୀଙ୍କୁ ଅଣଦେଖା କରିବାରୁ ୬ ତାରିଖ ଦିନ ଏମ୍ସିସି ଅଗରେ ଟାୟାର୍ ଜାଳି ପ୍ରତିବାଦ କରିଥିଲେ। ଠିକାସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଥିଲା। ଆଜି ସନ୍ଧ୍ୟାରେ ଠିକା ସଂସ୍ଥା ବିରୋଧରେ ସଫେଇ କର୍ମୀମାନେ ମଧ୍ୟ ଏତଲା ଦେଇଥିଲେ। ଶେଷରେ ଥାନାରେ ଆପୋସ ସମାଧାନ ହୋଇଥିଲା। ୩ ଦିନ ପରେ ସେମାନେ କାର୍ଯ୍ୟରେ ଯୋଗ ଦେବେ। ଶନିବାର ସକାଳୁ ପୁଣି ପୂର୍ବ ପରି କାମ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ଦରମା ଓ ଅନ୍ୟାନ୍ୟ ପ୍ରସଙ୍ଗରେ କର୍ମଚାରୀଙ୍କ ଦାବି ଠିକାସଂସ୍ଥା ପୂରଣ ନ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଅଳିଆ ସଂଗ୍ରହ କରୁଥିବା ୨୦ ସଫେଇଗାଡ଼ିର ୪୦ କର୍ମଚାରୀ କାମ ବନ୍ଦ କରିଦେଇଥିଲେ। ଫଳରେ ୱାର୍ଡ ନମ୍ବର ୨୮, ୨୯ ଓ ୩୫ରେ ୩ ଦିନ ହେବ ଅଳିଆ ଉଠୁନଥିଲା।