ପଳାସୁଣୀ ହାଟକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ

ନିର୍ମାଣ ହେବ ରାଜଧାନୀର ବଡ଼ ଆମିଷ ବଜାର

ପ୍ରତିଶ୍ରୁତିକୁ ଭୁଲିଗଲେ; କୁଆଡ଼େ ଯିବେ ୨୫୦ ଦୋକାନୀ?
ଦାନା ବାନ୍ଧୁଛି ଅସନ୍ତୋଷ; ଆନ୍ଦୋଳନ ପାଇଁ ସଜବାଜ

ଭୁବନେଶ୍ୱର : ପଳାସୁଣୀ ଦୟାୱେଷ୍ଟ କେନାଲ କୂଳରେ ଗଢ଼ି ଉଠିଥିବା ୨୯ ବର୍ଷର ହାଟ ଉଠିଯିବ। ପଳାସୁଣୀ ବାଇପାସ୍‌ ରୋଡ୍‌ ନିକଟରେ ଏକ ୩ ମହଲା ବିଶିଷ୍ଟ ମଡେଲ୍‌ ହାଟ ନିର୍ମାଣ କରାଯାଇ ସେଠାରେ ହାଟର ଚିହ୍ନଟ ୨୫୦ ଦୋକାନୀଙ୍କୁ ଘର ଦିଆଯାଇ ଥଇଥାନ କରାଯିବ। କାରଣ ହାଟରେ ଭିଡ଼ ଯୋଗୁଁ ଅଧିକାଂଶ ସମୟରେ ଲୋକ ଜାମ୍‌ରେ ଫସି ରହୁଛନ୍ତି। ଖାଲି ଏତିକି ନୁହେଁ, ହାଟ ଅଳିଆ ଆବର୍ଜନା କେନାଲରେ ପଡ଼ିବା ଠାରୁ ଆରମ୍ଭ କରି ଜବରଦଖଲ ଯୋଗୁଁ କେନାଲ ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି। ତେଣୁ ବିଭିନ୍ନ ଉତ୍ସବ ଓ ବୈଠକରେ ସ୍ଥାନୀୟ ବିଧାୟକ, ମନ୍ତ୍ରୀ ହାଟକୁ ସ୍ଥାନାନ୍ତର ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବିଏମ୍‌ସି କର୍ତୃପକ୍ଷଙ୍କ ସହ ଆଲୋଚନା କରି ବାଇପାସ୍‌ ‌ରୋଡ୍‌ରେ ହାଟର ନୂଆ ରୂପରେଖ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ମୁତାବକ ସେଠାରେ ପାଖାପାଖି ଦେଢ଼ ଏକର ଜମିରେ ହାଟ ନିର୍ମାଣ କରାଯାଇ ତଳ ମହଲାରେ ପରିବା ଓ ତେଜରାତି ଦୋକାନୀଙ୍କୁ ଥଇଥାନ କରାଯିବ। ପ୍ରଥମ ମହଲାରେ ଆମିଷ ଦୋକାନୀ ଏବଂ ୨ୟ ମହଲାରେ ମଲ୍‌ କିମ୍ବା କର୍ପୋରେଟ୍‌ ଅଫିସ୍‌ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଗତ ୨ମାସ ତଳେ ବାଇପାସ୍‌ ରୋଡ୍‌ରେ ଜମି ଚିହ୍ନଟ ସରିଥିବା ବେଳେ ରୂପରେଖ ପାଇଁ ନକ୍ସାର ଡିଜାଇନ୍‌ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଦୋକାନୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ବିଏମ୍‌ସି ଏବେ ସେଥିରୁ ଓହରିଯିବାକୁ ବସିଛି। ହାଟର ଦୋକାନୀଙ୍କୁ ଥଇଥାନ ବଦଳରେ ଏବେ ସେଠାରେ ରାଜଧାନୀର ସବୁଠାରୁ ବଡ଼ ଆମିଷ ମାର୍କେଟ୍‌ ତିଆରି ପାଇଁ ଯୋଜନା କରାଯାଉଛି। ଅର୍ଥାତ ଏଠାରେ କେବଳ ଆମିଷ ଦୋକନୀମାନେ ହିଁ ଘର ପାଇବେ। ମାଛ, ମାଂସ, ଅଣ୍ଡା ଭଳି ସମସ୍ତ ଆମିଷ ଜିନିଷର ବଡ଼ ବଜାର ରହିବ। ଏମିତିକି ୟୁନିଟ୍‌-୪ରେ ଥିବା ଆମିଷ ବଜାରକୁ ମଧ୍ୟ ଏଠାକୁ ସ୍ଥାନାନ୍ତର କରାଯିବ। ତେଣୁ ପରିବା କି ତେଜରାତି ଦୋକାନୀଙ୍କୁ ଘର ମିଳିବ ନାହିଁ। ଯାହାକୁ ନେଇ ଏବେ ପଳାସୁଣୀ ହାଟ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିଛି।

ଅନ୍ୟପକ୍ଷରେ ଗତ ୨୯ ବର୍ଷ ହେବ ପରିବାପତ୍ର ପାଇଁ ପାଣ୍ଡରା, ଜିଜିପି, ପଳାସୁଣୀ, ରସୁଲଗଡ଼, ଚକେଇସିଆଣି, ସମେଇଗାଡ଼ିଆ, ମଞ୍ଚେଶ୍ବର ଆଦି ଆଖପାଖ ଅଞ୍ଚଳର ୧୦ ହଜାରରୁ ଊର୍ଧ୍ବ ଲୋକ ଏହି ହାଟ ଉପରେ ନିର୍ଭର କରନ୍ତି। ଯଦି ସେଠାରୁ ହାଟକୁ ଉଠାଇଦିଆଯିବ ଏବଂ ନୂଆ ମାର୍କେଟ୍‌ରେ ସେମାନଙ୍କୁ ଥଇଥାନ କରାନଯିବ; ତା‌ହେଲେ ହାଟର ଦୋକାନୀମାନେ ଯିବେ କୁଆଡ଼େ? ଲୋକ କେଉଁଠୁ ପରିବାପତ୍ର ଆଣିବେ? ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଦି ଦୋକାନୀଙ୍କୁ ଥଇଥାନ କରାନଯାଏ, ସେଠାରେ ନୂତନ ମାର୍କେଟ୍‌କୁ ବିରୋଧ କରିବା ପାଇଁ ଦୋକାନୀ ଓ ଲୋକ ଆନ୍ଦୋଳକୁ ଓହ୍ଲାଇବା ସୁନିଶ୍ଚିତ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପଟେ ଏନେଇ ବିଧାୟକ ଶୁସାନ୍ତ ରାଉତ କହିଛନ୍ତି ଯେ ଏ ବିଷୟରେ ମୁଁ ଅବଗତ ଅଛି। ଏନେଇ ମୁଁ ବିଏମ୍‌ସି କମିସନରଙ୍କ ସହ ଆଲୋଚନା କରିବି। ହାଟ ଦୋକାନୀ ଥଇଥାନ ଏବଂ ନୂତନ ଯୋଜନାକୁ କିଭଳି ରୂପ ଦିଆଯିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର