ଭୁବନେଶ୍ବରରେ ୬ଦିନରେ ହାରାହାରି ଟିପିଆର୍ ୫.୩୭%
ଖୋର୍ଦ୍ଧା ଜିଲ୍ଲାରେ ଟିପିଆର୍ ୪.୧୯%
କେଉଁ ଟିପଆର୍ ଦେଖିବେ ସରକାର: ଜିଲ୍ଲା ନା ରାଜଧାନୀର?
ଭୁବନେଶ୍ବର : ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ରାଜଧାନୀରେ ଲକ୍ଡାଉନ୍ ବଳବତ୍ତର ଅଛି। ହେଲେ ଏହାପରେ ଲକ୍ଡାଉନ୍ କୋହଳ ହେବ ନା ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେବ, ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ରାଜଧାନୀର ଟେଷ୍ଟ ପଜିଟିଭିଟି ରିପୋର୍ଟ (ଟିପିଆର୍) ଦେଖିଲେ ଭୁବନେଶ୍ବରରୁ ଲକ୍ଡାଉନ୍ ଉଠିବନି। କିନ୍ତୁ ଜିଲ୍ଲା ଅନୁଯାୟୀ ଟିପିଆର୍ ଦେଖିଲେ ପୂରା ଖୋର୍ଦ୍ଧା ଜିଲ୍ଲାରୁ ଲକ୍ଡାଉନ୍ ଉଠିବାର ସମ୍ଭାବନା ଅଛି। ତେଣୁ ରାଜ୍ୟ ସରକାର କେଉଁ ଟିପିଆର୍ ଦେଖି ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ରାଜଧାନୀରେ ପ୍ରାୟ ଅଢ଼େଇ ମାସ ହେଲା ଲକ୍ଡାଉନ୍ ଜାରି ରହିଥିବାରୁ ବହୁ ବ୍ୟବସାୟୀ ହାତ ବାନ୍ଧି ବସିଛନ୍ତି। ବିଶେଷକରି ସଂଧ୍ୟା ସମୟରେ ଯେଉଁମାନେ ଛୋଟମୋଟ ବେପାର କରି ଗୁଜୁରାଣ ମେଣ୍ଟାନ୍ତି, ସେମାନଙ୍କ ବେପାର ପୂରା ଠପ୍ ହୋଇଯାଇଛି। କେବଳ ଛୋଟ ଦୋକାନୀ ନୁହଁନ୍ତି, ଯେଉଁମାନେ ପୂରା ଦିନ ଦୋକାନ ଖୋଲନ୍ତି ସେମାନେ ଏବେ ଅଧ ଓଳି ଦୋକାନ ଖୋଲୁଥିବାରୁ ବେଉସା ବି ବୁଡ଼ିଲାଣି। ତେଣୁ ସମସ୍ତେ ଏବେ ଅନ୍ଲକ୍କୁ ଅପେକ୍ଷା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଟିପିଆର୍ ୨.୯୯% ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଟିପିଆର୍ ୪.୧୯% ରହିଛି। ପୂରା ରାଜ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ କମୁଛି। ହେଲେ ଭୁବନେଶ୍ବରରେ ଟିପିଆର୍ ୫%ରୁ ଖସୁନି। ଦୈନିକ ଆକ୍ରାନ୍ତଙ୍କ ମଧ୍ୟ ବି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ପାଖାପାଖି ରହୁଛି। ତେଣୁ ଟିପିଆର୍ କମିଲେ ବି ଆକ୍ରାନ୍ତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ କମୁନଥିବାରୁ ଏବଂ ରାଜଧାନୀରେ ଏବେବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ଥିବାରୁ ଏବେ ଅନ୍ଲକ୍ କରାଯିବ କି ନାହିଁ, ତାହା ରାଜ୍ୟ ସରକାରଙ୍କୁ ଦ୍ବନ୍ଦ୍ବରେ ପକାଇଛି।
ଅପରପକ୍ଷେ ରାଜଧାନୀରେ ଏବେ ୧୦ଲକ୍ଷ ୯ହଜାର ୩ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ୫ଲକ୍ଷ ୬୨ହଜାର ୩୯୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆସରିଲାଣି। ମୋଟ୍ ୧୫ଲକ୍ଷ ୭୧ହଜାର ୩୯୮ଡୋଜ୍ ଟିକା ଦିଆ ସରିଲାଣି। ଏତେ ଟିକାକରଣ ପରେ ବି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ନକମିବା ଚିନ୍ତାର ବିଷୟ ପାଲଟିଛି।