ଭୁବନେଶ୍ବର : ଓଡ଼ିଶା କୋଭିଡ ଡ୍ୟାସ୍ବୋର୍ଡରେ ଦୁଇ ପ୍ରକାର ଟେଷ୍ଟିଂ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ପ୍ରତି ଦିନ ଭଳି ଡ୍ୟାସ୍ବୋର୍ଡର ଟେଷ୍ଟିଂ ସ୍ଥାନରେ ଯେତିକି ଟେଷ୍ଟ ହୋଇଛି, ତାହାର ସଂଖ୍ୟା ସହିତ ଟେଷ୍ଟ ପଜିଟିଭି ରେଟ୍ (ଟିପିଆର୍) ପାଇଁ ଦିଆଯାଇଥିବା ସଂଖ୍ୟାରେ କୌଣସି ତାଳମେଳ ନାହିଁ। ଯାହାଫଳରେ ଦୁଇ ସଂଖ୍ୟାରେ ଭିନ୍ନ ଭିନ୍ନ ସଂକ୍ରମଣ ହାର ଦେଖିବାକୁ ମିଳିଛି।
ରାଜ୍ୟରେ ଘୋଷଣା ହେଉଥିବା କରୋନା ରିପୋର୍ଟ ୨୪ ଘଣ୍ଟା ତଳର। ତେଣୁ ଟେଷ୍ଟିଂ ସଂଖ୍ୟା ମଧ୍ୟ ଗୋଟିଏ ଦିନ ପଛର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୫,୬୫୩ ଟେଷ୍ଟିଂ ହୋଇଥିବା କୋଭିଡ ଡ୍ୟାସ୍ବୋର୍ଡର ଟେଷ୍ଟିଂ ସ୍ଥାନରେ ପ୍ରକାଶ ପାଇଛି। ହେଲେ ଟିପିଆର୍ ପାଇଁ ଦିଆଯାଉଥିବା ଟେଷ୍ଟିଂ ସ୍ଥାନରେ ଏହି ସଂଖ୍ୟା ୮୦,୯୧୫ ରହିଛି। ପୂର୍ବ ସଂଖ୍ୟାରେ ସଂକ୍ରମଣ ହାର ୩.୦୯% ଥିବାବେଳେ ପର ସଂଖ୍ୟାରେ ଏହା ୨.୮୮% ପ୍ରତିଶତ ରହିଥିବା ଦେଖିବାକୁ ମିଳିଛି। ତେଣୁ କେଉଁ ସଂଖ୍ୟାଟି ଠିକ୍। ସ୍ବାସ୍ଥ୍ୟ ବିଭାଗର ୱେବ୍ସାଇଟ୍ରେ ଗତ ୨୪ ଘଣ୍ଟାରେ କେର୍ଁ ଜିଲ୍ଲାରେ କେତେ ସଂଖ୍ୟକ ଓ କେଉଁ ପ୍ରକାରର ପରୀକ୍ଷା ହୋଇଛି, ତାହାର ତଥ୍ୟ ଦିଆଯାଉଛି। ଏଥିରେ ସମୁଦାୟ ୭୫,୬୫୩ ପରୀକ୍ଷା ହୋଇଥିବା ଉଲ୍ଲେଖ ରହିଛି। ଖୋର୍ଧା ଜିଲ୍ଲା ଓ ଭୁବନେଶ୍ବରରେ ହୋଇଥିବା ପରୀକ୍ଷାକୁ ମିଶାଇଲେ ଏହି ସଂଖ୍ୟା ୭୧୮୨ ହେଉଥିବାବେଳେ ଡ୍ୟାସ୍ବୋର୍ଡରେ ୧୨,୪୪୪ ଉଲ୍ଲେଖ କରାଯାଇଛି। ତେଣୁ ଅତିରିକ୍ତ ୫ହଜାର ପରୀକ୍ଷା କେବଳ ଖୋର୍ଧା ଜିଲ୍ଲାର ଟେଷ୍ଟିଂରେ ସାମିଲ ହୋଇଥିବା ସ୍ପଷ୍ଟ ହୋଇଛି। ଗୋଟିଏ ଜିଲ୍ଲାରେ କିଭଳି ଦୁଇ ଦୁଇଟି ଟେଷ୍ଟିଂ ସଂଖ୍ୟା ଦିଆଗଲା, ତାହା ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଟେଷ୍ଟିଂ ଓ ସଂକ୍ରମଣ ହାରରେ ଫରକ ରାଜ୍ୟରେ ଲକ୍ଡାଉନ୍ ଭଳି ସ୍ଥିତିକୁ ପ୍ରଭାବିତ କରିପାରେ। ରାଜ୍ୟରେ ସଂକ୍ରମଣ ହାର କମାଇବା ପାଇଁ ଏଭଳି କିଛି ଉଦ୍ୟମ ହୋଇଛି କି ବୋଲି ପ୍ରଶ୍ନ ଉଠୁଛି।