ଭୁବନେଶ୍ୱର : ଜାତୀୟ ରାଜପଥରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ନକରିବା ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। ଉତ୍ତ୍ୟକ୍ତ କଂଗ୍ରେସ କର୍ମୀଙ୍କଠାରୁ ପାଣି ମାଡ଼ ଖାଇବା ସହ ଆଣ୍ଠୁଏ ପାଣିରେ ଗୋଡ଼ ବୁଡ଼ାଇ କାମ କରିଛନ୍ତି।
ଅସରାଏ ବର୍ଷା ହେଲେ ରାଜଧାନୀ ଦେଇ ଯାଇଥିବା ଏନ୍ଏଚ୍-୧୬ରେ ଅଣ୍ଟେ ଉଚ୍ଚରେ ପାଣି ଜମୁଛି। ପାତ୍ରପଡ଼ାରୁ ପାହାଳ ପର୍ଯ୍ୟନ୍ତ ରାସ୍ତାରେ ଦୟନୀୟ ସ୍ଥିତି ଉପୁଜୁଛି। ଇସ୍କନ୍ ସମ୍ମୁଖରେ ସ୍ଥିତି ସଙ୍ଗିନ୍ ହୋଇଯାଉଛି। ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କିଛି ପଦକ୍ଷେପ ନେଲେନି। ପୂର୍ତ୍ତ ବିଭାଗ/ବିଏମ୍ସି ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖିବା ପରେ ବି ସ୍ଥିତି ସୁଧୁରୁନି। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟକୁ ବିରୋଧ କରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ନୂଆପଲ୍ଲୀସ୍ଥିତ ଏନ୍ଏଚ୍ଏଆଇ କାର୍ଯ୍ୟାଳୟରେ ଅଭିନବ ପ୍ରତିବାଦ କରାଯାଇଛି। ଟ୍ୟାଙ୍କର ଲଗାଇ କାର୍ଯ୍ୟାଳୟ ଭିତରେ ପାଣି ଢଳାଯାଇଛି।
ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ମାନସ ଚୌଧୁରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଟ୍ୟାଙ୍କର ଭର୍ତ୍ତି ପାଣି ନେଇ ଏନ୍ଏଚ୍ଏଆଇ କାର୍ଯ୍ୟାଳୟ ଭିତରେ ସ୍ପ୍ରେ କରିଥିଲେ। କାର୍ଯ୍ୟାଳୟରେ ଅଧିକାରୀମାନେ କାର୍ଯ୍ୟ କରୁଥିବାବେଳେ ହଠାତ୍ ପାଣି ପଶିଯିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। କର୍ମଚାରୀମାନେ ବିରୋଧ କରିଥିଲେ ହେଁ ପାଣି ମାଡ଼ରୁ ବର୍ତ୍ତି ନଥିଲେ। ଯଦି ଏହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ନହୁଏ ତେବେ ବିଏମ୍ସି କାର୍ଯ୍ୟାଳୟରେ ବି ଅନୁରୂପ ଢଙ୍ଗରେ ପ୍ରତିବାଦ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଭିଏସ୍ଏସ୍ନଗରରୁ ସହିଦ ନଗରକୁ ଯୋଗାଯୋଗ କରୁଥିବା ଭୂତଳ ରାସ୍ତା କାମ ତିନି ମାସ ମଧ୍ୟରେ ସ୍ଥାୟୀ ଭାବ ନିର୍ମାଣ ନହେଲେ ପୁଣି ରାସ୍ତା ଅବରୋଧ ହେବ ବୋଲି ଭୂତଳ ରାସ୍ତା ସଂଗ୍ରାମ ସମିତିର ଆବାହକ ଦିଲ୍ଲୀ ଦାଶଶର୍ମା ଜଣାଇଛନ୍ତି।