ଚନ୍ଦ୍ରଶେଖରପୁର: ସହର ସାରା ଝୁଲୁଛି ନବବର୍ଷର ଶୁଭେଚ୍ଛା ବ୍ୟାନର। ବାଣୀବିହାର, ଆଚାର୍ଯ୍ୟ‌ବିହାର, ଜୟଦେବ ବିହାର ଛକ ହେଉ ଅଥବା ରସୁଲଗଡ଼, ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍‌‌; ସବୁଠି ଛାଇଯାଇଛି ରାଜନେତାଙ୍କ ବ୍ୟାନର। ବିଧାୟକଙ୍କଠାରୁ ଆରମ୍ଭ କରି କର୍ପୋରେଟରଙ୍କ ପର୍ଯ୍ୟନ୍ତ କେହି ବି ଛାଡ଼ିନାହାନ୍ତି। ଯୁବ ଓ ଛାତ୍ର ନେତାମାନେ ମଧ୍ୟ ଛକ ଛକରେ ଶୁଭେଚ୍ଛା ବ୍ୟାନର ବାନ୍ଧି ନିଜର ପତିଆରା ଜାହିର କରିଛନ୍ତି। ଗଳିକନ୍ଦିରେ ମଧ୍ୟ ଛାଇଯାଇଛି ବିଭିନ୍ନ ଦଳର ନେତାଙ୍କ ହୋର୍ଡିଂ, ବ୍ୟାନର୍ ଓ କଟ୍‌ଆଉଟ୍‌। ସତେ ଯେମିତି ରାଜଧାନୀରେ ନୂଆବର୍ଷର ହୋର୍ଡିଂ ଲଗାଇବା ପ୍ରତି‌ଯୋଗିତା ଚା‌ଲିଛି। ବ୍ୟାନରଗୁଡ଼ିକ ଏମିତି ଲଗାଇଛନ୍ତି ଯେ ତାହା ଆଢ଼ୁଆଳରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀ ଲୁଚିଯାଉଛି। ରାସ୍ତାରେ ମନଇଚ୍ଛା ହୋର୍ଡିଂ ଓ ବ୍ୟାନର୍‌ ଲାଗି ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ବିଏମ୍‌ସିର ନିରବତା ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

୨୦୧୮ ଅକ୍ଟୋବର ୨୨ ତାରିଖରେ ବିଏମ୍‌ସି ପକ୍ଷରୁ ଏକ ଆଇନ ହୋଇଥିଲା ଯେ ଛାତ ଉପରେ ଆଉ ହୋର୍ଡିଂ ଲାଗିପାରିବ ନାହିଁ। ରାଜଧାନୀର ସୁରକ୍ଷା ଓ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଏମ୍‌ସି କହିଥିଲା। ଏହି ନିୟମ ଯୋଗୁଁ ସାଧାରଣ ଜନତା ତଥା ବିଭିନ୍ନ ଅନୁଷ୍ଠାନର ଲାଗିଥିବା ବେଆଇନ ହୋର୍ଡିଂକୁ ବିଏମ୍‌ସି କେତେକ ସ୍ଥାନରେ କାଢ଼ି ନେଇଥିଲା। ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସକୁ ନଜରରେ ରଖି ରାସ୍ତାପାର୍ଶ୍ବରେ ଥିବା ଉଠାଦୋକାନୀଙ୍କୁ ହଟାଯାଉଛି। ହେଲେ ନେତାମାନଙ୍କ ବ୍ୟାନର ଓ ହୋର୍ଡିଂ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲେ ମଧ୍ୟ ସେଥିରେ ହାତ ମାରିପାରୁନି ବିଏମ୍‌ସି। ହୋର୍ଡିଂଗୁଡ଼ିକୁ ହଟାଯାଉନି କି ଜରିମାନା ଆଦାୟ ହେଉ ନାହିଁ।

ସବୁ ଜାଣି ଆଖି ବୁଜିଦେଇଛି ବିଏମ୍‌ସି
ନେତାଙ୍କ ବ୍ୟାନର୍‌ କାଢ଼ିବାକୁ ହାତ ଯାଉନି

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାସ୍ତା ପାର୍ଶ୍ବ କିମ୍ବା ଉପରେ ବିଜ୍ଞାପନ ହୋର୍ଡିଂ ନ ଲଗାଇବା ସଂପର୍କରେ କୋର୍ଟ ବିଭିନ୍ନ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଜାତୀୟ ରାଜପଥ ନିକଟରେ ୧୦ ମିଟର ବ୍ୟବଧାନ ସହ ଛକ, ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଯାନବାହନ ଗମନାଗମନ ସ୍ଥାନରେ ହୋର୍ଡିଂ ଲଗାଇବା ଉପରେ କଟକଣା ରହିଛି। ମାତ୍ର ସବୁ ନିୟମକୁ ଅଣଦେଖା କରି ରାଜପଥ ଉପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁମତି ନ ଥାଇ ଦୁର୍ଘଟଣାକୁ ନିମନ୍ତ୍ରଣ ସଦୃଶ ହୋର୍ଡିଂ ଲଗାଯାଇଛି। ଫଳରେ ଏହା ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଅନ୍ୟମନସ୍କ ହୋଇ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି। କର୍ପୋରେଟର୍‌ମାନେ ନୂଆବର୍ଷର ଶୁଭେଚ୍ଛା ଲେଖାଥିବା ଗୋଟିଏ ଦୁଇଟି ବ୍ୟାନର୍‌ ନିଜ ଅଞ୍ଚଳର ପ୍ରମୁଖ ଛକରେ ଲଗାଇଛନ୍ତି। ବ୍ୟାନର ଓ ହୋର୍ଡିଂ ଦୃଷ୍ଟିରୁ ଦେଖିଲେ ଏଥର ବିଜେପି ଆଗରେ ରହିଛି। ବିଜେପିର ଯେକୌଣସି ପଦପଦବିରେ ଥିବା ନେତା, ବିଏମ୍‌ସି ନିର୍ବାଚନରେ ବିଜେପି କର୍ପୋରେଟର ପ୍ରାର୍ଥୀମାନେ ୱାର୍ଡରେ ବ୍ୟାନର ଲଗାଇ ପତିଆରା ଜାହିର କରିଛନ୍ତି। ସେସବୁ ବ୍ୟାନରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ସ୍ଥାନୀୟ ବିଧାୟକ କିମ୍ବା ବିଧାୟକ ପ୍ରାର୍ଥୀଙ୍କ ଫଟୋ ସ୍ଥାନ ପାଇଛି। ବିଜେଡି କର୍ପୋରେଟରମାନେ ତାଙ୍କ ବ୍ୟାନର୍‌ରେ ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଧାୟକ ଓ ମେୟରଙ୍କ ଫଟୋ ରଖିଛନ୍ତି। କଂଗ୍ରେସ ନେତାଙ୍କ ବ୍ୟାନର କାଁ ଭାଁ ସ୍ଥାନରେ ଦେଖିବାକୁ ମିଳୁଛି।