ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସରେ ସମ୍ବର୍ଧନା: ‘ପୃଥିବୀରେ କମ୍‌ ବ୍ୟକ୍ତି ଚିନ୍ତାମୁକ୍ତ’

ଭୁବନେଶ୍ବର: ପୃଥିବୀରେ ଖୁବ୍‌ କମ୍‌ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚିନ୍ତାମୁକ୍ତ। ପ୍ରାୟ ସମସ୍ତ ବ୍ୟକ୍ତି ମାନସିକସ୍ତରରେ ଚାପଗସ୍ତ। ମହାମାରୀ କରୋନା ବହୁତ କିଛି ଶିଖାଇଛି। ଏହି ମହାମାରୀ ମଣିଷ ମଣିଷ ଭିତରେ ଅସମାନତା ବଢ଼ାଇଛି। ଏହା ହିଁ ମଣିଷକୁ ଚାପଗସ୍ତ କରିଛି। ତେଣୁ ସେମାନଙ୍କୁ କିଭଳି ଚାପମୁକ୍ତ କରାଯାଇପାରିବ, ସେନେଇ ଧ୍ୟାନ ଦେବା ଜରୁରୀ। ଗଣମାଧ୍ୟମ ଓ ମାନସିକ ରୋଗ ଚିକିତ୍ସକମାନେ ଏ ଦିଗରେ ନିଷ୍ଠାର ସହ କାମ କରିବା ଉଚିତ। ଆଜି ଭାରତୀୟ ମାନସିକ ରୋଗ ଚିକିତ୍ସା ସମାଜ, ଓଡ଼ିଶା ଶାଖା ପକ୍ଷରୁ ହୋଟେଲ୍‌ ମେ’ ଫେୟାର୍‌ରେ ଆୟୋଜିତ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ମେଣ୍ଟାଲ୍‌ ହେଲଥ୍ ଏଣ୍ଡ୍ ନ୍ୟୁରୋ ସାଇନ୍ସ (ନିମ୍‌ହାନ୍‌ସ)ର ପୂର୍ବତନ ସଭାପତି ତଥା ଶିଶୁ ମାନସିକ ରୋଗ ବିଶେଷଜ୍ଞ ଡା. ଶେଖର ଶେଷାଦ୍ରୀ ଶିଶୁମାନଙ୍କ ମାନସିକ ରୋଗ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଭାପତି ମିହିର ରଞ୍ଜନ ନାୟକ, ସମ୍ପାଦକ ଶୁଭେନ୍ଦୁ ନାରାୟଣ ମିଶ୍ର, ତୋଫାନ ପତି, ଅମ୍ରିତ ପାଟ୍ଟଯୋଶୀ, ଦେବଦତ୍ତା ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। କରୋନା ସଂକ୍ରମଣ ସାରା ବିଶ୍ବରେ ଲୋକମାନଙ୍କ ମାନସିକ ସନ୍ତୁଳନକୁ ପ୍ରଭାବିତ କରିଛି ବୋଲି ମତ ପ୍ରକାଶ ପାଇଥିଲା। ଆକଳନ ଅନୁସାରେ, ମାନସିକ ଚାପର ବଶବର୍ତ୍ତୀ ହୋଇ ହାରାହାରି ଦଶ ଲକ୍ଷ ଲୋକ ପ୍ରତି ବର୍ଷ ମଦ ନିଶାରେ ପ୍ରାଣ ହରାଇଛନ୍ତି। ସେହିପରି ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟାର ଶିକାର ହେଉଛି। ବହୁ ସମୟରେ ମାନସିକ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତି ଜାଣିଶୁଣି ଅବହେଳା କରନ୍ତି ଓ ପରେ ଏହାର ଶିକାର ହୋଇଥା’ନ୍ତି। ତେଣୁ ସଚେତନତା ବଡ଼ ପ୍ରସଙ୍ଗ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେଇ ମାନସିକ ସଚେତନତା ପ୍ରଚାର ଓ ପ୍ରସାର କରୁଥିବା ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ବରିଷ୍ଠ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର