ସିପିଆଇ ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଜାତୀୟ ସଂପାଦକ ଭାବେ ସିପିଆଇର କେନ୍ଦ୍ରୀୟ ସଂପାଦକ ମଣ୍ଡଳୀକୁ ନିର୍ବାଚିତ ରାମକୃଷ୍ଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ଉତ୍ସବରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ର ସଭାପତିତ୍ୱ କରିଥିବା ବେଳେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାହିତ୍ୟିକ ଓ କବି ଅଶ୍ବିନୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମଞ୍ଚାସୀନ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସିପିଆଇଏମ୍‌ର ନେତ୍ରୀ ପୁଷ୍ପା ପଣ୍ଡା, ଏନ୍‌ସିପିର ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଜନ ଅଧିକାର ପାର୍ଟିର ଜାତୀୟ ସଂପାଦକ ଦେବାଶିଷ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।

ଦେବ ପ୍ରସାଦ ପରିଜା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳ, ସଂଗଠନ, ଟ୍ରେଡ ୟୁନିଅନ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥିସହ ଅଖିଳ ଭାରତ ଛାତ୍ରସଂଘ, ଉତ୍କଳ ମହିଳା ସମିତି, ପୂର୍ବତଟ ରେଳବାଇ ପୋଟର୍ସ ୟୁନିଅନ, ଓମଫେଡ୍ କର୍ମଚାରୀ ସଂଘ, କଳିଙ୍ଗ ହସପିଟାଲ କର୍ମଚାରୀ ସଂଘ, ୟୁନିଟ-୧ କ୍ଷୁଦ୍ର ବ୍ୟବସାୟୀ ସଂଘ, ଫରେଷ୍ଟ ପାର୍କ ପ୍ରାତଃ ଭ୍ରମଣକାରୀ ସଂଘ, ବିଦ୍ୟୁତ କର୍ମଚାରୀ ସଂଘ, ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶେଷରେ ଏଆଇଟିୟୁସିର ରାଜ୍ୟ ସଂପାଦକ ମହେଶ୍ବର ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର