ବାଲ୍ ସାହିତ୍ୟ ପୁରସ୍କାର ବିଜେତା ‌ନରେନ୍ଦ୍ର ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧନା

ଚନ୍ଦ୍ରଶେଖରପୁର: ୨୦୨୨ କେନ୍ଦ୍ର ସାହିତ୍ୟ ଏକାଡେମି ବାଲ୍ ସାହିତ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଠ ଶିଶୁ ସାହିତ୍ୟିକ ଡ. ନରେନ୍ଦ୍ର ପ୍ରସାଦ ଦାସ। ଏହି ଅବସରରେ ଆଜି ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମି ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର ସଭାମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଅନୁଷ୍ଠାନର ସଭାପତି ଦାସ ବେନହୁର କହିଲେ ବିଶିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ମହାନ ଭାରତୀୟ ସଂସ୍କୃତି। ଯାହା ଆମ ସମାଜରେ ପ୍ରଚଳିତ ହୋଇଆସୁଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ଶିଶୁ ସାହିତ୍ୟ ସମିତିର ପୂର୍ବତନ ସଂପାଦକ କବି ଶଶି ଭୂଷଣ ବିଶ୍ବାଳ ଯୋଗଦେଇ ଡ. ଦାସଙ୍କ ଶିଶୁ ସାହିତ୍ୟିକ ଜୀବନ ଓ କୃତୀ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ବର୍ଦ୍ଧନାର ଉତ୍ତର ପ୍ରଦାନ କରି ଡ. ଦାସ କହିଲେ ଏହି ସମ୍ବର୍ଦ୍ଧନା ଆଗାମୀ ଦିନରେ ତାଙ୍କୁ ଆହୁରି ଉଚ୍ଚକୋଟୀର ଶିଶୁ ସାହିତ୍ୟ ସର୍ଜନା କରିବାକୁ ପ୍ରେରଣା ଦେବ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର କାର୍ଯ୍ୟକାରୀ ସଂପାଦକ ଶରତ କୁମାର ନାୟକ ଡ. ଦାସଙ୍କ ପୁରସ୍କୃତ ପୁସ୍ତକ ‘କୋଳାହଳ ନା ହୋଳାହଳ’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ସ୍ବାଗତ ସୂଚନା ପ୍ରଦାନ କରିଥିଲେ। କୋଷାଧକ୍ଷ ରବୀନ୍ଦ୍ରନାଥ ମାଝି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁ‌ଷ୍ଠାନର ସଂପାଦକ ବୀରେନ୍ଦ୍ର ମହାନ୍ତି ଧନାବାଦ ଦେଇଥିଲେ। ଏହି ଅବସରରେ ‘ଇଟିକିଲି ମିଟିକିଲି’ ପକ୍ଷରୁ ଅନିତା ରଥ, ‘ଶିଶୁ ପ୍ରତିଭା’ ତରଫରୁ ପ୍ରକାଶ ମଙ୍ଗରାଜ ଓ ‘ସୃଜନୀ’ ତରଫରୁ ହରିହର ଶୁକ୍ଳା ଡ. ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର