ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କୁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ଓଡ଼ିଶାର ସ୍ବନାମଧନ୍ୟ ସ୍ଥପତି ସୁଦର୍ଶନ ସାହୁଙ୍କୁ ଆଜି ‘ଓଡ଼ିଶା ଶିଳ୍ପୀ ମହାସଂଘ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଶିଳ୍ପୀ ଓ ବୁଣାକାର ମଧ୍ୟ ଶ୍ରୀ ସାହୁଙ୍କୁ ନିଜ ହାତ ତିଆରି ସାମଗ୍ରୀ ପ୍ରଦାନ କରି ସମ୍ମାନିତ କରିଛନ୍ତି।

ଜୟଦେବ ବିହାରସ୍ଥିତ ସୁଦର୍ଶନ ଆର୍ଟ ଓ କ୍ରାଫ୍ଟ ଭିଲେଜ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ ସାହୁଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ସାହୁଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ନିଜ ବକ୍ତବ୍ୟରେ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ଶ୍ରୀ ସାହୁଙ୍କ ଦୀର୍ଘ ଦିନର ପ୍ରଚେଷ୍ଟା ସଂପର୍କରେ ଆଲୋକପାତ କରିଥିଲେ। ଯେଉଁ ପୁରସ୍କାର ତାଲିକାରେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନାମ ରହିଛି, ସେଥିରେ ରାଜ୍ୟର ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ସୁଦର୍ଶନ ସାହୁଙ୍କ ନାମ ରହିବା ଆମ ଶିଳ୍ପୀ ଓ ବୁଣାକାର ଜାତି ପାଇଁ ଏକ ଗର୍ବର ବିଷୟ ବୋଲି ଶ୍ରୀ କର କହିଥିଲେ।

ସମ୍ବନ୍ଧିତ ଖବର