ଶତାୟୁଙ୍କୁ ସମ୍ବର୍ଦ୍ଧନା, ନିମନ୍ତ୍ରଣ: ୮୫ ବର୍ଷୀୟ, ଦିବ୍ୟାଙ୍ଗ ଭୋଟର ଘରେ ରହି କରିପାରିବେ ମତଦାନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୮୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟରମାନଙ୍କୁ ନିଜ ଘରେ ରହି ଭୋଟଦେବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଶତାୟୁ ଭୋଟରମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣପତ୍ର ପଠାଯାଇ ମତଦାନ କରିବାକୁ ପ୍ରୋତ୍ସାହିତ କରାଯାଇଛି। ଏହି ମର୍ମରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ୍‌-୪ସ୍ଥିତ ଶତାୟୁ ଭୋଟର ବ୍ରଜମୋହନ ଚକ୍ରବର୍ତ୍ତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି। ଖୋର୍ଦ୍ଧା ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଆଜି ସକାଳେ ଚକ୍ରବର୍ତ୍ତୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି। ସେହିଭଳି ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେବି ନଗରରେ ରହୁଥିବା ଶତାୟୁ ଭୋଟର ଶଶିଧର ମିଶ୍ରଙ୍କୁ ମଧ୍ୟ ଏଭଳି ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଉପଜିଲ୍ଲାପାଳ ତଥା ଏକାମ୍ର ରିଟର୍ଣ୍ଣି ଅଫିସର ଚିନ୍ମୟ ଆଚାର୍ଯ୍ୟ ଶ୍ରୀ ମିଶ୍ରଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିବା ସହ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି।

ଶତାୟୁ ନୁହନ୍ତି ବ୍ରଜମୋହନ
ଭୁବନେଶ୍ୱର (ମଧ୍ୟ) ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୟୁନିଟ୍‌-୪ସ୍ଥିତ ବ୍ରଜମୋହନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଶତାୟୁ ଭୋଟର କହି ସମ୍ବର୍ଦ୍ଧିତ କରିଛି। କିନ୍ତୁ ବାସ୍ତବରେ ତାଙ୍କ ବୟସ ୯୦ ବର୍ଷ। ଭୋଟର ପରିଚୟ ପତ୍ର ଆଧାରରେ ଜିଲ୍ଲା ପ୍ରଶାସନ ତାଙ୍କୁ ଶହେ ବର୍ଷୀୟ ବୋଲି ଅଭିହିତ କରୁଥିଲେ ମଧ୍ୟ ତାଙ୍କର ଆଧାରକାର୍ଡରେ ତାଙ୍କର ଜନ୍ମ ବର୍ଷ ୧୯୩୪ ମସିହା ରହିଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧାରେ ଭୁବନେଶ୍ୱରର ମଧ୍ୟ, ଉତ୍ତର ଓ ଏକାମ୍ର ଏବଂ ଜୟଦେବ, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା ଆଦି ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ୫୦୪ ଜଣ ଶତାୟୁ ଭୋଟରଙ୍କୁ ଏହି ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୨୬୩ ଜଣ ପୁରୁଷ ଓ ୨୪୧ ଜଣ ମହିଳା ଅଛନ୍ତି। ସେହିଭଳି ୮୫ରୁ ୧୦୦ ବର୍ଷ ବୟସ ବର୍ଗରେ ୧୭୫୩୨ ଜଣ ଭୋଟରଙ୍କୁ ଘରେ ରହି ଭୋଟଦେବା ପାଇଁ ଫର୍ମ-୧୨ (ଡି) ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରେ ୯ ହଜାର ୪୮୬ ଜଣ ପୁରୁଷ ଓ ୮ ହଜାର ୪୫ ଜଣ ମହିଳାଙ୍କ ସମେତ ଜଣେ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ଜିଲ୍ଲାର ୩୨,୦୦୬ ଜଣ ଦିବ୍ୟାଙ୍ଗ ଭୋଟରଙ୍କୁ ମଧ୍ୟ ଘରେ ରହି ଭୋଟ ଦେବା ଅଧିକାର ସାବ୍ୟସ୍ତ କରିବା ପାଇଁ ଫର୍ମ-୧୨ (ଡି) ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରେ ୧୯,୨୧୮ ଜଣ ପୁରୁଷ, ୧୨,୭୮୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଏହି ଭୋଟରମାନେ ଘରେ ରହି ନିଜର ମତାଧିକାର ସାବ୍ୟସ୍ତ କରିପାରିବେ କିମ୍ବା ମତଦାନ କେନ୍ଦ୍ରକୁ ମଧ୍ୟ ଯାଇ ଭୋଟ ଦେଇପାରିବେ।

ସମ୍ବନ୍ଧିତ ଖବର