ଭୁବନେଶ୍ବର: ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ କମ୍ପିବ ସାରା ସହର। ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍, ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟର୍ରେ ଛାଇ ଗଲାଣି। ମାତ୍ର କେଇ ଘଣ୍ଟା ପରେ ରାଜଧାନୀରେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ପହଞ୍ଚିବେ। ଟୋକିଓ ଅଲିମ୍ପିକ୍ସରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ଓଡ଼ିଶା ମାଟିରେ ସ୍ବାଗତ ପାଇଁ ସାରା ସହରରେ ଏଭଳି ଉତ୍ସାହ, ଉତ୍କଣ୍ଠା ଦେଖାଦେଇଛି। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିବା ଓ ସେମିଫାଇନାଲରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନକୁ ନେଇ ସାରା ଦେଶରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟୁଥିବା ବେଳେ ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ କଳିଙ୍ଗ ଷ୍ଟାଡିୟମ୍ରେ ସମ୍ବର୍ଦ୍ଧିତ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି।
ହୋଟେଲ୍ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଟେଲ୍ ସାଣ୍ଡିସ୍ ଟାୱାର୍କୁ ଫୁଲ ଓ ରଙ୍ଗିନ୍ ଆଲୋକରେ ସଜା ଯାଇଛି। ଖେଳାଳି ପହଞ୍ଚିବା ମାତ୍ରେ ସେମାନଙ୍କୁ ଅଧାବାଟରୁ ବାଜା, ଢୋଲ ଓ ଆତସବାଜି ଶୋଭାଯାତ୍ରାରେ ହୋଟେଲ୍କୁ ନିଆଯିବ। ସେଠାରେ ରହିବା ପାଇଁ ୪୦ଟି ରୁମ୍ ବୁକ୍ ହୋଇଛି। ସବୁ ଖେଳାଳିଙ୍କ ପାଇଁ ମଧ୍ୟାହ୍ନଭୋଜନ ଓ ସକାଳ ଜଳଖିଆ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଛି। ମଧ୍ୟାହ୍ନ ଭୋଜନରେ ପୁରୁଷ ହକି ଖେଳାଳିଙ୍କ ପାଇଁ ବିଶେଷକରି ମଟନ ବିରିୟାନି ଏବଂ ମଟନ୍ର ୪ଟି ଡିସ୍ ପ୍ରସ୍ତୁତ ହୋଇଛି। ସେହିପରି ମହିଳା ଖେଳାଳିଙ୍କ ପାଇଁ କବାବ୍ ରହିଛି। ଏହାଛଡ଼ା ପନିର ପଞ୍ଜାବୀ ମସଲା, ଡାଲ୍ ମଖନୀ ମସ୍ରୁମ୍, ଚିଲ୍ଲି ପ୍ରନ୍, ଚକୁଳି, ଚିଲ୍ଲି ଗାର୍ଲିକ ନୁଡ଼ୁଲ୍ସ, ବେବି କର୍ଣ୍ଣ, ସକାଳ ଜଳଖିଆରେ ପରଠା, ଦହି, ଇଡ୍ଲି, ଦୋଷା, ଉପ୍ମା, ବରା, କର୍ଣ୍ଣଫ୍ଲେକ୍ସ, ଶିଝା ଅଣ୍ଡା, ସେକ୍, ତାଜାଫଳ ଜୁସ୍ ଆଦି ମେନୁ ରହିଛି।
କଡ଼ା ସୁରକ୍ଷାବଳୟରେ ବିମାନବନ୍ଦର, ହୋଟେଲ୍ ଓ ଷ୍ଟାଡିୟମ୍
ହକି ଟିମ୍ ଏୟାରପୋର୍ଟରୁ ଆସି ହୋଟେଲ୍ରେ ପହଞ୍ଚିବା ଆଉ ଫେରିବା ପର୍ଯ୍ୟନ୍ତ ଯେପରି କୌଣସି ପ୍ରକାର ସମସ୍ୟା ନ ଉପୁଜେ, ସେଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉତ୍ସବକୁ ସୁରୁଖୁରୁରେ ସମାପନ ପାଇଁ ପୁଲିସ ଅଣ୍ଟା ଭିଡ଼ିଛି। ମଙ୍ଗଳବାର ଦିନ ୧୧ଟା ୨୦ରେ ଉଭୟ ପୁରୁଷ ଓ ମହିଳା ଦଳ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଅଣାଯିବ। ଏଥିପାଇଁ ଏୟାରପୋର୍ଟରୁ, ହୋଟେଲ୍ ଓ କଳିଙ୍ଗ ଷ୍ଟାଡିୟମରେ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୩ଟି ସ୍ଥାନରେ ୨୦ ପ୍ଲାଟୁନ୍ରୁ ଊର୍ଧ୍ବ ପୁଲିସ ବଳ ନିୟୋଜିତ କରାଯାଇଛି। ସେହିପରି ଷ୍ଟାଡିୟମ୍ ଓ ହୋଟେଲ୍ ନିକଟରେ ଗୋଟିଏ ଲେଖାଏଁ କଣ୍ଟ୍ରୋଲ୍ ରୁମ କରାଯାଇଛି। ୩୦ରୁ ଊର୍ଧ୍ବ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି।