କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଚେତାବନୀ, ଦାବି ପୂରଣ ନ ହେଲେ ଆତ୍ମାହୁତି

ଜାନୁଆରି ୨୭ରେ ନବୀନ ନିବାସ ଘେରାଉ, ଦାରୁଠେଙ୍ଗ ଡମ୍ପିଂୟାର୍ଡ ତୁରନ୍ତ ସ୍ଥାନାନ୍ତର କର
ଭୁବନେଶ୍ବର: ଜଟଣୀ ଅଞ୍ଚଳର ୨୭ଟି ଗ୍ରାମର ବାସିନ୍ଦାଙ୍କ ସ୍ଥିତିବାନ୍ ସମ୍ପତ୍ତି ଫେରାଅ। ଦାରୁଠେଙ୍ଗ ଡମ୍ପିଂୟାର୍ଡ ତୁରନ୍ତ ସ୍ଥାନାନ୍ତର କର। ନ ହେଲେ ଆସନ୍ତା ଜାନୁଆରି ୨୭ ତାରିଖରେ ନବୀନ ନିବାସ ଘେରାଉ କରାଯିବା ସହ ଆତ୍ମାହୁତି ଦେବୁ। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ।

ଶ୍ରୀ ରାଉତରାୟ କହିଥିଲେ, ୨୦୧୨ ମସିହାରେ ଜଟଣୀ ଅଞ୍ଚଳର ୨୭ଟି ଗ୍ରାମର ବାସିନ୍ଦାଙ୍କ ସ୍ଥିତିବାନ୍ ସମ୍ପତ୍ତିକୁ ରାଜ୍ୟ ସରକାର ହଠାତ୍ ଜଗନ୍ନାଥଙ୍କ ଜମି କହି ବେଦଖଲ କଲେ। ସେହି ଜମିକୁ ବିକ୍ରୟ କିମ୍ବା ବନ୍ଧକ ରଖି ଝିଅ ବାହାଘର, ପିଲାଙ୍କ ଉଚ୍ଚଶିକ୍ଷା ଓ ନୂତନ ଗୃହ ନିର୍ମାଣ ପାଇଁ ସେଠାକାର ଲୋକେ ବ୍ୟବହାର କରିପାରୁ ନାହାନ୍ତି। ଏପରିକି ସେ ଅଞ୍ଚଳରେ ଥିବା ଲୋକଙ୍କ ଘର ଡିହଠୁଁ ଆରମ୍ଭ କରି ସ୍କୁଲ, ଡାକ୍ତରଖାନା, ଅଙ୍ଗନବାଡ଼ି, ଆରଆଇ ଅଫିସ, ରାସ୍ତା, ପୋଖରୀଗୁଡ଼ିକୁ ଜଗନ୍ନାଥଙ୍କ ଜମି ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ଅତୀତରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରାଯିବା ସହ ବହୁ ଆନ୍ଦୋଳନ ହେଲା। କିନ୍ତୁ ସରକାର ଶୁଣିଲେନି। ଶେଷରେ ନିରୁପାୟ ହୋଇ ସେ ଅଞ୍ଚଳର ବାସିନ୍ଦା ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର କଲେ। ମାମଲାର ଶୁଣାଣି କରି ହାଇକୋର୍ଟ ତ୍ବରିତ୍ ପଦକ୍ଷେପ ନେବାକୁ ଓଡ଼ିଶା ରାଜସ୍ବ ପରିଷଦଙ୍କୁ ଗତ ଦୁଇମାସ ତଳୁ ନିର୍ଦ୍ଦେଶ ଦେଲେଣି। ଅଥଚ ସରକାର ଚୁପ୍ ବସିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ଘୋର ମାନିସକ ଯନ୍ତ୍ରଣା ଭୋଗୁଛନ୍ତି। ସେହିପରି ଭୁବନେଶ୍ବର ସହରର ସମସ୍ତ ଅଳିଆ ଆବର୍ଜନାକୁ ଦାରୁଠେଙ୍ଗ ଡମ୍ପିଂୟାର୍ଡ଼ରେ ପକାଇବା ଦ୍ବାରା ଦାରୁଠେଙ୍ଗ, ଯୁଯୋଗଡ଼ ଅଞ୍ଚଳବାସୀ ବାୟୁପ୍ରଦୂଷଣ, ଜଳ ପ୍ରଦୂଷଣ ଯୋଗୁଁ ଚର୍ମରୋଗ, ଶ୍ବାସରୋଗ, ଅଜଣା ଜ୍ବରରେ ଆକ୍ରାନ୍ତ ହେଲେଣି। ସ୍ଥାନୀୟ ଅଞ୍ଚଳର ଜଳାଶୟଗୁଡ଼ିକ ପ୍ରଦୂଷିତ ହୋଇ ନନ୍ଦନକାନନ, ଚନ୍ଦକା ଅଭୟାରଣ୍ୟରେ ଥିବା ହାତୀ, ବାଘ, ସିଂହ, ହରିଣ, ମୟୂରପକ୍ଷୀ ଭଳି ବହୁ ପଶୁପକ୍ଷୀ ରୋଗାକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଏସବୁ ସରକାରଙ୍କ ଜାଣତରେ ହେଉଥିବା ଶ୍ରୀ ରାଉତରାୟ ଅଭିଯୋଗ କରିଥିଲେ। ତୁରନ୍ତ ଏହି ଡମ୍ପିଂୟାର୍ଡ଼କୁ ସ୍ଥାନାନ୍ତର କରିବାକୁ ପୁଣି ଥରେ ସେ ଦାବି ଦୋହରାଇଛନ୍ତି।

ଜଟଣୀ ନିର୍ବାଚନମଣ୍ଡଳୀର ଏହି ଦୁଇଟି ସମସ୍ୟାର ଦାବି ଆସନ୍ତା ୩୫ ଦିନ ମଧ୍ୟରେ ପୂରଣ ନ ହେଲେ ପ୍ରାୟ ୧୦ ହଜାର ଲୋକ ଜାନୁଆରି ୨୭ ତାରିଖ ସୋମବାର ଦିନ ୧୧ଟାରେ ନବୀନ ନିବାସ ଘେରାଉ କରିବା ସହ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ରାଉତରାୟ ଆହ୍ବାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବାସିନ୍ଦା ରବୀନ୍ଦ୍ର ହରିଚନ୍ଦନ, ସଂଗ୍ରାମ କେଶରୀ ରାଉତରାୟ, ତପନ ଚକ୍ରବର୍ତ୍ତୀ, ଗୋକୁଳି ସାମନ୍ତରାୟ, ନଗେନ ସିଂହ, ତପନ ଶ୍ରୀଚନ୍ଦନ, ସୁନିଲ ରାଉତରାୟ, ବିଜୟ ଗୁଡ଼ଵାଡ଼ଙ୍କ ସମେତ କଂଗ୍ରେସ ନେତା ଅଜିତ ଶ୍ରୀଚନ୍ଦନ, ଅଶୋକ ମଙ୍ଗରାଜ, ବିଷ୍ଣୁ ସାହୁ, ସନ୍ତୋଷ ହରିଚନ୍ଦନ, ମିଟୁ ପାତ୍ର, ଅଖିଳ ପାହାଡ଼ ସିଂହ, କୈବଲ୍ୟ ସାମନ୍ତରାୟ, ସୁକାନ୍ତ ଛୋଟରାୟ, ଭାସ୍କର ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର