ୱାର୍ଡ ପରିସୀମା
ବରମୁଣ୍ଡା ଗାଁ, ଫାୟାର ଷ୍ଟେସନ୍ ଅଞ୍ଚଳ, ରାଜଧାନୀ କଲେଜ, ଫାୟାର ଷ୍ଟେସନ ବସ୍ତିର କିଛି ଅଞ୍ଚଳ, କ୍ୟାପିଟାଲ ଫୋର୍ଡ ଏବଂ ଏହାର ପଛପାର୍ଶ୍ବର ଘରୋଇ ଅଞ୍ଚଳ, ମଲ୍ଲିକ କଂପ୍ଲେକ୍ସର କିଛି ଅଞ୍ଚଳ, କ୍ରିଷ୍ଣା ଗାର୍ଡେନ ଫେଜ୍-୨, ଗଣ୍ଡମୁଣ୍ଡା ବସ୍ତି, ପାଇକନଗରର କିଛି ଅଂଶ

ଭୋଟର୍: ୮୬୭୪
ପୁରୁଷ: ୪୬୭୮
ମହିଳା: ୩୯୯୦
ତୃତୀୟ ଲିଙ୍ଗ: ୬

Advertisment

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ନାମାଙ୍କନ ଦାଖଲ ପର୍ବ ଆରମ୍ଭ ହୋଇଯାଇଛି। ତେଣୁ ବିଏମ୍‌ସି ୫୦ନଂ ଵାର୍ଡ ସ୍ବାଭାବିକ ଭାବେ ଚଳଚଞ୍ଚଳ ହୋଇଉଠିଛି। ଏଠାରେ ବ‌ିଜେଡି ଓ ବିଜେପିର ଦବ୍‌ଦବା ରହିଥିବା ବେଳେ କଂଗ୍ରେସ ସ୍ଥିତି ସେ‌ତେ ସୁଦୃଢ଼ ନାହିଁ। ଏମିତିକି ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ଏକପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପାଇନଥିବା କୁହାଯାଉଛି। କଲ୍ୟାଣମଣ୍ଡପ, ପାର୍କ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଏଠାରେ ଜନଅସନ୍ତୋଷ ରହିଛି ଓ ଏଥର ନିର୍ବାଚନରେ ଲୋକେ ଏହାକୁ ପ୍ରସଙ୍ଗ କରିବେ ବୋଲି ଜଣାପଡ଼ିଛି। ସେହିଭଳି ଡ୍ରେନ୍‌ ସମସ୍ୟା ବି ଅନ୍ୟତମ ଜନଅସନ୍ତୋଷର କାରଣ ବୋଲି ଚର୍ଚ୍ଚା ହେଉଛି।

ପୌର ନିର୍ବାଚନର ଗତ ୩ ପାଳିକୁ ଅନୁଶୀଳନ କଲେ ଏହି ଵାର୍ଡ ୨୦୦୩ ରୁ ୨୦୧୩ ପର୍ଯ୍ୟନ୍ତ ବିଜେପି ଦଖଲରେ ଥିଲା। ପ୍ରଥମେ ହେମନ୍ତ କୁମାର ସ୍ବାଇଁ ଓ ପରେ ତାଙ୍କ ସ୍ତ୍ରୀ କନକଲତା ସ୍ବାଇଁ କର୍ପୋରେଟର ଥିଲେ। ମାତ୍ର ୨୦୧୪ରେ ଏହି ଆସନକୁ ବିଜେଡି ବିଜେପି ହାତରୁ ଛଡ଼ାଇନେଲା। ବିଜେଡି ପ୍ରାର୍ଥୀ ସୁଜିତ୍ କୁମାର ସ୍ବାଇଁ ସର୍ବକନିଷ୍ଠ କର୍ପୋରେଟର୍ ଭାବେ ବିଜୟ ଲାଭ କଲେ। ଦ୍ବିତୀୟ ଦାବିଦାର ଭାବେ ପ୍ରଭାତ ପ୍ରଧାନ ମଧ୍ୟ ବିଜେଡିରୁ ଆଶାୟୀ ଥିଲେ। ମାତ୍ର ସୁଜିତ୍‌ଙ୍କ ନେତୃତ୍ବରେ ଏହି ଵାର୍ଡକୁ ବିଜେଡି ଦଖଲ କଲା। ବିଜେଡି ପ୍ରଥମ ଥର ଖାତା ଖୋଲିଥିବାରୁ ଏବେ ବି ସୁଜିତ୍ ଦଳର ପ୍ରଥମ ପସନ୍ଦ ବୋଲି କୁହାଯାଉଛି। ଅପରପକ୍ଷରେ ଦୀର୍ଘ ବର୍ଷ ଧରି ବିଜେପିର ଗଡ଼ ଥିବା ଏହି ଵାର୍ଡକୁ ପୁଣି ଥରେ ବିଜେପି ଦଖଲ କରିବାକୁ ଜୋର୍‌ଦାର୍ ଉଦ୍ୟମ ଚଳାଇଛି। ଗତଥର ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ରାମଚନ୍ଦ୍ର ରଣସିଂହ କନକଲତାଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ପରେ ସେ ବିଜେପିରେ ମିଶିଗଲେ ଓ ଏବେ ଏଠାରୁ ସେ ବିଜେପିର ସବୁ କାର୍ଯ୍ୟକ୍ରମରେ ସକ୍ରିୟ। କନକଲତା ରାଜନୀତିରେ ଆଉ ଏତେ ମାତ୍ରାରେ ସକ୍ରିୟ ନାହାନ୍ତି। ତେଣୁ ଏଥର ରାମଚନ୍ଦ୍ର ବିଜେପିରୁ ଆଶାୟୀ ଭାବେ ଆଗରେ ରହିଛନ୍ତି। ଵାର୍ଡ ଗଣିତ ଅନୁସାରେ କନକଲତା ଓ ରାମଚନ୍ଦ୍ରଙ୍କ ସମର୍ଥକମାନେ ମିଳିତ ଭାବେ ଚଳିତ ନିର୍ବାଚନ ଲଢ଼ିଲେ, ବିଜେପି ପୁଣି ଏଠାରେ କ୍ଷମତାକୁ ଫେରିବା ସମ୍ଭାବନା ରହିଛି। ତେବେ ଏହାକୁ ଟାର୍ଗେଟ୍‌ରେ ରଖି ବିଜେଡି ସ୍ବତନ୍ତ୍ର ରଣନୀତି ଆପଣାଇଛି।

ଅପରପକ୍ଷେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଏଠାରେ କଲ୍ୟାଣ ମଣ୍ଡପ, ପାର୍କ ଓ ଡାକ୍ତରଖାନା ସବୁ ଅଧପନ୍ତରିଆ ଅବସ୍ଥାରେ। ଏଠାରେ ଥିବା‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଶୋଚନୀୟ। ଡାକ୍ତର କି ସ୍ବାସ୍ଥ୍ୟକର୍ମୀ ନିଯୁକ୍ତ ହୋଇନାହାନ୍ତି। ପୂର୍ବତନ କର୍ପୋରେଟର୍ ସୁଜିତ କୁମାର ସ୍ବାଇଁ କହିଛନ୍ତି, ମଶାଣିଠୁ ଆରମ୍ଭ କରି ଗାଁ ପୋଖରୀ ପର୍ଯ୍ୟନ୍ତ ସବୁ କିଛିର ପୂର୍ଣ୍ଣ ବିକାଶ ହୋଇଛି। ଏପରିକି ଦୀର୍ଘ ଦିନର ଦାବି ଥିବା ସ୍କୁଲ ପାଚେରି ତିଆରି କରାଯାଇଛି। ପାଇକନଗରସ୍ଥିତ ଏକ ଜାଗାରେ ପାର୍କ ନିର୍ମାଣ ପାଇଁ କାର୍ଯ୍ୟାଦେଶ ହୋଇସାରିଛି। କଲ୍ୟାଣମଣ୍ଡପ କାମ ମଧ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ।