ରାଜଧାନୀରେ ଜଳବନ୍ଦୀ ସମସ୍ୟାର ଅଭିନବ ପ୍ରତିବାଦ: ରାସ୍ତାରେ ଡଙ୍ଗା ଭସାଇ ବର୍ଷିଲା କଂଗ୍ରେସ

ସରକାର ଏବେ ‘ମୋ ଡଙ୍ଗା ଯୋଜନା’ କରନ୍ତୁ

ଭୁବନେଶ୍ୱର : ଅସରାଏ ବର୍ଷା ହୋଇଗଲେ ରାଜଧାନୀର ଅବସ୍ଥା ବଡ଼ ଦୟନୀୟ ହୋଇପଡ଼ୁଛି। ଲୋକଙ୍କ ଘରେ ବର୍ଷାପାଣି ପଶିବା ସହ ରାଜରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଖେଳୁଛି। ବର୍ଷାଦିନେ ରାଜଧାନୀକୁ ଜଳବନ୍ଦୀମୁକ୍ତ ରଖିବା ପାଇଁ ବିଏମ୍‌ସି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଅବସ୍ଥା ସୁଧୁରୁ ନାହିଁ। ଏହି ଜଳବନ୍ଦୀ ସମସ୍ୟାର ପ୍ରତିବାଦରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସଭାପତିତ୍ବ‌ରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଡଙ୍ଗା ଭସାଇବା ସହ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥି‌ଲେ ଯେ ରାଜ୍ୟ ସରକାର ରାଜଧାନୀରେ ‘ମୋ ଡଙ୍ଗା ଯୋଜନା’ କରନ୍ତୁ। ୨୧ବର୍ଷ ବିଜେଡି ସରକାରରେ ରାସ୍ତାଘାଟ ଅତି ଶୋଚନୀୟ ହୋଇଯାଇଛି। ରାଜଧାନୀର ରାସ୍ତା ଘାଟ ଅବସ୍ଥା ପରିବର୍ତ୍ତନ କରିବା ପାଇଁ କୋଟି କୋଟି ଟଙ୍କା ବାଟବଣା ହେଉଛି। ବିଶେଷକରି ଇସ୍କନ ମନ୍ଦିର ପାଖ, ନୂଆପଲ୍ଲୀ, ବମିଖାଲ, ଜନପଥ, ବାପୁଜୀନଗର, ଏରୋଡ୍ରମ ଏରିଆ, ବିଜେପିନଗର, ଡୁମୁଡୁମା ପ୍ରଭୃତି ଅଞ୍ଚଳରେ ବର୍ଷା ଦିନରେ ଅତି ଦୟନୀୟ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ସରକାର ଭୁବନେଶ୍ବରର ସମୁଦାୟ ୬୭ଟି ୱାର୍ଡ ନିମନ୍ତେ ଡଙ୍ଗା ବ୍ୟବସ୍ଥା କରନ୍ତୁ ବୋଲି କହି ସେ ତାଚ୍ଛଲ୍ୟ କରିଥିଲେ।

ଏହି ବିକ୍ଷୋଭରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ଲିଙ୍ଗରାଜ ସାହୁ, ଆତ୍ମାରାମ ପତି, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, କୁନା ମୁଦୁଲି, ଜୟକୃଷ୍ଣ ସୁବୁଦ୍ଧି, ମୋହନ ଜେନା, ମିହିର ଆଚାର୍ଯ୍ୟ ସ୍ୱାଗତ କର, ରଞ୍ଜିତ ପାତ୍ର, ଅଶୋକ ଦାସ, ସୌମେନ୍ଦ୍ର ମହାନ୍ତି, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ଅନୱର ଖାନ, କୁସୁମ ପ୍ରଧାନ, ସାଗର ପଟ୍ଟନାୟକ, କାର୍ତ୍ତିକୀ କାଣ୍ଡି ,ଏହମ୍ମଦ ଖାନ, ରଣଜିତ ସେନାପତି, ଅବିନାଶ ନନ୍ଦ, ନିଳମଣି ମିଶ୍ର, ଏମଡି ଶାହାଦୁଲ୍ଲା, କୁଳମଣି ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର