ବିଏମ୍‌ସି ଅଫିସରେ ଧସେଇ ପଶିଲେ କଂଗ୍ରେସକର୍ମୀ

‘ଘର ସିଲ୍‌ କରିବାକୁ ଆସ, ତାଲା ପକାଇ ଲଙ୍କା ଧୂଆଁ ଦେବୁ’

ଭୁବନେଶ୍ୱର : ‘ମନ ଇଚ୍ଛା ଟିକସ ବଢ଼େଇଛ ତ, ଆସ କେମିତି ଘର ସିଲ୍‌ କରିବ ଦେଖିବା। ଯିଏ ଘର ସିଲ୍‌ କରିବାକୁ ଆସିବ, ତାକୁ ଘରେ ତାଲା ପକାଇ ଲଙ୍କା ଧୂଆଁ ଦିଆଯିବ।’ ଆଜି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବା ଅବସରରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପିସିସି ସଭାପତି ନିରଂଜନ ପଟ୍ଟାନୟକଙ୍କ ସମତେ ବହୁ ବରିଷ୍ଠ ‌ନେତା ଓ କର୍ମୀ ସାମିଲ୍ ହୋଇଥିଲେ।

ବିଏମ୍‌ସି ପକ୍ଷରୁ ଲାଗୁ କରାଯାଇଥିବା ବର୍ଦ୍ଧିତ ହୋଲ୍‌ଡିଂ ଓ ପ୍ରପର୍ଟି ଟିକସ ପ୍ରତ୍ୟାହାର ଦାବି କରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଏକ ବିଶାଳ ଶୋଭାଯାତ୍ରାରେ ମାଉସୀମା’ ମନ୍ଦିର ନିକଟରୁ ବାହାରି ବିଏମ୍‌ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଶତାଧିକ ଯୁବ କଂଗ୍ରେସ କର୍ମୀ ବାଇକ୍‌ ରୢାଲିରେ ଯାଇଥିଲେ। ବିଏମ୍‌ସି କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ସେମାନେ ଧାରଣାରେ ବସିଥିଲେ। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନା ସଂକଟବେଳେ ବିଏମ୍‌ସି ଲାଗୁ କରିଥିବା ବର୍ଦ୍ଧିତ ଟିକସକୁ ବୋଝ ଉପରେ ନଳିତା ବିଡ଼ା ବୋଲି କହିଥିଲେ। ଏମିତି ପରିସ୍ଥିତିରେ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀୟ ଲୋକେ ଆଉ ରାଜଧାନୀରେ ରହିପାରିବେ ନାହିଁ ବୋଲି ସେ କହିଥିଲେ। ଜଟଣୀ ବିଧାୟକ ଶ୍ରୀ ରାଉତରାୟ କଡ଼ା ଶବ୍ଦରେ ବିଏମ୍‌ସିକୁ ଭର୍ତ୍ସନା କରିବା ସହ ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ଅଶୋକ ଦାସ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମାନସ ଚୌଧୁରୀ, ରଶ୍ମି ମହାପାତ୍ର, ସୁଦର୍ଶନ ଦାସ, ସଂଗ୍ରାମ ଜେନା ଓ ରାଜୀବ ପଟ୍ଟନାୟକ ପ୍ରମୁଖ ବିଜେଡି ସରକାରକୁ କଟୁ ସମାଲୋଚନା କରିଥିଲେ। ସଭା ପରେ ପରେ ବିକ୍ଷୋଭକାରୀମାନେ ପୁଲିସ କର୍ଡନ ଭାଙ୍ଗି ବିଏମ୍‌ସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ଯୋଗୀନାଥ ବାହୁବଳେନ୍ଦ୍ର, କି‌ଶୋର ଜେନା, ଜୟକୃଷ୍ଣ ସୁବୁଦ୍ଧି, ଗୀତାଞ୍ଜଳି ମହାନ୍ତି, ମିହିର ଆଚାର୍ଯ୍ୟ, ସିପ୍ରା ସେନାପତି, ସରୋଜ ମହାନ୍ତି ପ୍ରମୁଖ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର