ହୋଲ୍‌ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ସହରାଞ୍ଚଳରେ ବସବାସ କରୁଥିବା ‌ଲୋକମାନଙ୍କ ପାଇଁ ହୋଲ୍‌ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ବିଏମ୍‌ସି କମିସନର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ କରିଥିଲେ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଭୁବନେଶ୍ୱର ବାସିନ୍ଦା ୨୨ ବର୍ଷ ଧରି ବିଜେଡି ସରକାରକୁ ସମର୍ଥନ କରୁଛନ୍ତି। ମାତ୍ର ପ୍ରତିବଦଳରେ ନବୀନବାବୁ ଭୁବନେଶ୍ୱର ବାସିନ୍ଦାଙ୍କ ତଣ୍ଟି ଚିପି ହୋଲ୍‌ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସରେ ବୃଦ୍ଧି କରି ଚାଲିଛନ୍ତି। ଏହା ପୂର୍ବ ଦେୟର ଦଶଗୁଣରୁ ଅଧିକ ହେଲାଣି। ସ୍ଥଳ ବିଶେଷରେ ଏହା କୋଡିଏ ପଚିଶ ଗୁଣର ହୋଇଥିବା ମଧ୍ୟ ଦେଖାଯାଇଛି। ଟିକସ ବୃଦ୍ଧି ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ରଂଜିତ୍ ପାତ୍ର, ଅଜୟ ସାହୁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଅଶୋକ ଦାସ, ମୋହନ ଜେନା, ରଜନୀ ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, ମିହିର ଆଚାର୍ଯ୍ୟ, ଶ୍ରୀୟା ପଣ୍ଡା, ଶ୍ରୀୟା ମହାନ୍ତି, ଦେବରାଜ ମିଶ୍ର, ଶ୍ରୀଧର ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର