ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ପରିଚାଳିତ ବିଭିନ୍ନ ନିଯୁକ୍ତିରେ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ସୋମବାର ଦିନ ଛାତ୍ର କଂଗ୍ରେସ ପକ୍ଷରୁ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ଚାକିରି ବିକ୍ରି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଆନ୍ଦୋଳନରତ କର୍ମୀମାନେ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୁଲିସ ୫୦ରୁ ଅଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା।
ସୋମବାର ପୂର୍ବାହ୍ନରେ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ୍ଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ଓ କର୍ମୀ ଏଡିଏମ୍ ଅଫିସଠାରୁ ଏକ ଶୋଭାଯାତ୍ରାରେ ବାହାରି ଷ୍ଟାଫ୍ ସିଲେକ୍ସନ୍ କମିସନଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ନାରାବାଜି କରିଥିଲେ। କମିସନଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ବେଳେ ତାଙ୍କୁ ମୋହରା କରି କୋଟି କୋଟି ଟଙ୍କାରେ ଚାକିରି ବିକିଥିବା ବଡ଼ବଡ଼ିଆଙ୍କୁ କେବେ ଗିରଫ କରାଯିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏତିକିବେଳେ କିଛି ବିକ୍ଷୋଭକାରୀ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ଠେଲାପେଲା ହୋଇଥିଲା।
ଏହି ଆନ୍ଦୋଳନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମାନସ ଚୌଧୁରୀ, ଦେବାଶିଷ ପଟ୍ଟନାୟକ, ସତ୍ୟ ନାୟକ, ରଜତ ଚୌଧୁରୀ, ବିଶ୍ୱଜିତ ଦାଶ ଓ ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ନେତୃମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ। ସେହିପରି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସୁନିଲ ମାଟିଆ, ନିହାର ବେହେରା, ରଣଜିତ୍ ସେନାପତି, ଅଖିଳେଶ ଯାଦବ, ଅଜୟ ପଣ୍ଡା, ମହମ୍ମଦ ଗୁଲ୍ଫାମ, ଅଜିତ ବାରିକ, ଅର୍ମାନ ଜେନା, ବିଶ୍ବଭୂଷଣ ମହାପାତ୍ର, ଅଭିରାମ ଗୌଡ଼, ୟାସ୍ ପଟ୍ଟନାୟକ, ବିଭୁତି ମହାପାତ୍ର, ନିୟାକୁଲ୍ ଇସ୍ଲାମ, ଯୁବରାଜ ମହାନ୍ତି ଓ ସୌମ୍ୟ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।