ଟିକସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଚନ୍ଦ୍ରଶେଖରପୁର: ଭୁବନେଶ୍ବରବାସୀଙ୍କ ଉପ‌ରେ ଲଦି ଦିଆ ଯାଉଥିବା ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଓ ପ୍ରପର୍ଟି ଟିକସ ପ୍ରତ୍ୟାହାର ଦାବି କରି ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚନ୍ଦ୍ରଶେଖରପୁରସ୍ଥିତ ମହାନଗର ନିଗମ ଡେପୁଟି କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଯୋଜକ ତଥା ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନରେ ସାମିଲ୍‌ ହୋଇଥିଲେ। କରୋନା ମହାମାରୀ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ରାଜ୍ୟ ସରକାରଙ୍କର ଏଭଳି ଟିକସ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଟିକସ ବୃଦ୍ଧି ନିଷ୍ପତ୍ତି ପୂର୍ବରୁ ସରକାର ଧାରା ୨୨୩ ରେ ଜନସାଧାରଣଙ୍କୁ ଅବଗତ କରାଇବା କଥା ଏବଂ ଧାରା ୨୨୪ ଅନୁଯାୟୀ ଜନସାଧାଣଙ୍କର ଅଭିଯୋଗକୁ ଶୁଣିବା କଥା। ମାତ୍ର ରାଜ୍ୟ ସରକାର ଏସବୁ ନକରି ମନମୁଖିଭାବେ ଟିକସ ବୃଦ୍ଧି କରି ଭୁବନେଶ୍ବରବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ସେମାନେ କହିଥିଲେ। ଏହି ଆନ୍ଦୋଳନରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ, କିଶୋର ଜେନା, ଭୁବନେଶ୍ବର ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ଶ୍ରୀୟା ମହାନ୍ତି, ଶ୍ରୀଧର ବଳିୟାରସିଂହ, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ସ୍ବାଧୀନବାଳା ଦାସ, ଶ୍ରୀୟା ପଣ୍ଡା, ମନୋରଞ୍ଜନ ଜେନା, ଦୀପକ ଜେନା, ରଂଜିତ୍ ଦାସ, ଦେବଦତ୍ତ ରାୟ, ପରେଶ ପଣ୍ଡା ଓ ଅନିଲ୍‌ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର