କଂଗ୍ରେସ ସେବାଦଳର ପ୍ରତିଜ୍ଞା ଉତ୍ସବ

ଭୁବନେଶ୍ୱର: କଂଗ୍ରେସ ସେବାଦଳର ପ୍ରତିଜ୍ଞା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ କଂଗ୍ରେସ ସେବାଦଳର ଓଡ଼ିଶାରେ ଏକ ଗୌରବମୟ ଇତିହାସ ରହିଛି। ୧୯୩୨ମସିହାରେ ଏହି ସଂଗଠନର ମୁଖ୍ୟ ଭାବେ ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବ ଏହାର ଦାୟିତ୍ୱରେ ଥିଲେ। ଆଚାର୍ଯ୍ୟ ହରିହରଙ୍କଠାରୁ ମା’ ରମାଦେବୀ, ସରଳାଦେବୀ, ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକ, ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ଏ ଅନୁଷ୍ଠାନକୁ ବିଭିନ୍ନ ସମୟରେ ମହିମା ମଣ୍ଡିତ କରିଛନ୍ତି। ଚଳିତ ବର୍ଷ କଂଗ୍ରେସର ପ୍ରତିଷ୍ଠା ଦିବସରେ ମହାତ୍ମା ଗାନ୍ଧୀ ଓ ଉତ୍କଳ ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ଓ ବାର୍ତାକୁ ପଞ୍ଚାୟତସ୍ତରରେ ପହଞ୍ଚାଇବାକୁ କଂଗ୍ରେସ ସେବାଦଳ ଯେଉଁ ନିଷ୍ପତି ନେଇଛି, ତାହା ସ୍ବାଗତଯୋଗ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଶିକ୍ଷାବିତ୍‌ ଡ. ବଦ୍ରିନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ସମସ୍ତ ସଦସ୍ୟଙ୍କୁ ପ୍ରତିଜ୍ଞା ପାଠ କରାଇବା ସହ ସେବାଦଳ ବ୍ୟାଜ୍‌ ପ୍ରଦାନ କରିଥିଲେ। ଏହି ଅବସରରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ୧୦ହଜାର ସେବାଦଳ କର୍ମୀ ସମ୍ମିଳିତ ହେବେ ବୋଲି ଘୋଷଣା କରାଯାଇଥିଲା। ଏହି ଅବସରରେ ସୁଶାନ୍ତ ମହାରଣା, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସଚିବ ବୈଦ୍ୟନାଥ ସ୍ୱାଇଁ, ରାଜକିଶୋର ନାୟକ, ରାଧାମୋହନ ସ୍ୱାଇଁ ଓ ବ୍ରଜକିଶୋର ନାୟକଙ୍କୁ ସେବାଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ନିରଦ ବରଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସେବାଦଳର ପୁରାତନ କର୍ମକର୍ତା ରାମପ୍ରସାଦ ଜୟସ୍ୱାଲ, ଜ୍ୟୋତିଷ ସାହୁ, ମଞ୍ଜୁ ମହାନ୍ତି, ଅଶୋକ ସିଂହ, ଦିଲ୍ଲୀପ ପଣ୍ଡା, ମନୋଜ ସାହୁ, ଓକିଲ ରମେଶ ବରାଳ, ପ୍ରଦୀପ ଦାସ, ମହମ୍ମଦ ସାହାଦୁଲ୍ଲା, କୁଳମଣି ସାହୁ, ସୁବାସ ଚନ୍ଦ୍ର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର