ଭୁବନେଶ୍ବର: ଏବେବି ବାହାର ରାଜ୍ୟରେ ଲକ୍ଷାଧିକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ସେମାନେ ଖାଦ୍ୟ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଆକୁଳ ଚିତ୍କାର କରୁଛନ୍ତି। ଅଥଚ କୋଭିଡ୍-୧୯ ସ୍ଥିତିକୁ ନେଇ ପ୍ରତିଦିନ ଜାରି ହେଉଥିବା ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ବିବୃତିରେ ପ୍ରବାସୀ ଶ୍ରମିକମାନଙ୍କ ଅବସ୍ଥା ବିଷୟରେ ପଦୁଟିଏ ବି ଦେଖିବାକୁ ମିଳୁନି। ଆଜି ଏଭଳି ପ୍ରଶ୍ନ ଉଠାଇଛି ପ୍ରଦେଶ କଂଗ୍ରେସ। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧିକୁ ଦେଖି ରାଜ୍ୟରେ କୌଣସି ପ୍ରକାର ସାମ୍ପ୍ରଦାୟିକ ଘଟଣା ନ ଘଟେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ସତର୍କତାମୂଳକ ପଦକ୍ଷେପକୁ ଦଳ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ଏହାସହିତ ସହରାଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ନିୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସୁରକ୍ଷା ପୋଷାକ ଯୋଗାଇଦେବାକୁ କଂଗ୍ରେସ ଦାବି କରିଛି। କରୋନା ସନ୍ଦିଗ୍ଧଙ୍କ ସଂଖ୍ୟାକୁ ଦେଖି ଅଧିକରୁ ଅଧିକ ପରୀକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ପ୍ରଦେଶ କଂଗ୍ରେସ କାର୍ଯ୍ୟାଟ୍ରୋଲ୍ରୁମ୍ ଦାୟିତ୍ବରେ ଥିବା ରାଜ୍ୟ ସଂଯୋଜକ ସୁଦର୍ଶନ ଦାସ ଅଭିଯୋଗ କରି କହିଥିଲେ, ପ୍ରବାସୀ ଶ୍ରମିକମାନଙ୍କ ସହାୟତା ପାଇଁ ସରକାର ଖୋଲିଥିବା ସହାୟତା କେନ୍ଦ୍ର (ହେଲ୍ପ୍ ଡେସ୍କ୍) ଏବେ ବି ଠିକ୍ ଭାବେ କାମ କରୁନି। ବାହାର ରାଜ୍ୟରୁ ଅଧିକାଂଶ ଶ୍ରମିକମାନେ ସରକାରଙ୍କୁ ନିଜର ଅବସ୍ଥା ବିଷୟରେ ଜଣାଇବାକୁ ଟେଲିଫନ୍ କଲେ ବି ସେମାନେ ବିଫଳ ହେଉଛନ୍ତି। ଏ ନେଇ ସେମାନେ ରାଜ୍ୟ କଂଗ୍ରେସ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ୍ରୁମ୍ରେ ଅଭିଯୋଗ କରିଛନ୍ତି। ଏସବୁ ଦୃଷ୍ଟିରୁ ପ୍ରବାସୀ ଶ୍ରମିକମାନଙ୍କ ଅବସ୍ଥାକୁ ଦେଖି ସରକାର କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି।
ଶ୍ରୀ ଦାସ କହିଥିଲେ, କରୋନା ସଂକ୍ରମଣ ବ୍ୟାପିବା ନେଇ ଯେଉଁ ଦୁର୍ବୁର୍ତ୍ତମାନେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରିବା ଦରକାର। ଯେଉଁ ସ୍ବାସ୍ଥ୍ୟ କର୍ମୀମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିଜକୁ ସମର୍ପିତ କରିଛନ୍ତି, ସେମାନଙ୍କୁ କେତେ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ପୋଷାକ ଓ ଉପକରଣ ଯୋଗାଇ ଦିଆଯାଇଛି ସେବିଷୟରେ ସରକାର ପ୍ରକାଶ କରିବାକୁ ସେ ଦାବି କରିଥିଲେ। ଏତେବଡ଼ ଲଢ଼େଇରେ ରାଜ୍ୟର ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ, ଡାକ୍ତର, ମେଡିକାଲ କର୍ମଚାରୀ, ପୁଲିସ ଯେପରି ନିଷ୍ଠା ଓ ତ୍ୟାଗ ପ୍ରଦର୍ଶନ କରିଆସୁଛନ୍ତି, ସେଥିପାଇଁ ରାଜ୍ୟବାସୀ ସେମାନଙ୍କ ପାଖରେ ଚିର ଋଣୀ ରହିବେ ବୋଲି ପ୍ରଦେଶ କଂଗ୍ରେସ କମିଟି ସାଧୁବାଦ ଜଣାଇଛି।