ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ‌ଅହେତୁକ ଦରବୃଦ୍ଧି ବିରୋଧରେ କଂଗ୍ରେସ ପକ୍ଷରୁ ଧାରାବାହିକ ଭାବେ ପ୍ରତିବାଦ ଜାରି ରହିଛି। ଏହି କ୍ରମରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ନେତା ଓ କର୍ମୀମାନେ ରାଜଧାନୀ ପରିକ୍ରମା କରି ପେଟ୍ରୋଲ ଶହେ ଓ ରନ୍ଧନ ଗାସ ୯ଶହ ଟଙ୍କା ଛୁଇଁବାକୁ ବସିଥିବା ବେଳେ ବିଜେଡି ଓ ବିଜେପି ସରକାର ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଥିଲେ।

Advertisment

ରାଜଧାନୀର ବିଭିନ୍ନ ସ୍ଥାନରୁ ସାଇକେଲ ଶୋଭାଯାତ୍ରା ବାହାରି ରାଜ୍ୟ କଂଗ୍ରେସ ଭବନରେ ପହଞ୍ଚିଥିଲା। ସେଠାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶୋଭାଯାତ୍ରା ରୂପାଲି ଛକ, ରାମ ମନ୍ଦିର, ରାଜମହଲ ଛକ ଦେଇ ପୁଣି କଂଗ୍ରେସ ଭବନରେ ପହଞ୍ଚିଥିଲା। ରାଜ୍ୟ କଂଗ୍ରେସର ବହୁ ନେତୃବୃନ୍ଦ ଏଥିରେ ସାମିଲ ହୋଇଥିଲେ। ପିସିସି ସଭାପତିଙ୍କ ସମେତ ଅନ୍ୟ ନେତାମାନେ ଟ୍ରଲିରେ ବସି ବୁଲିଥିଲେ। ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟରକୁ ଯୁବକଂଗ୍ରେସ କର୍ମୀମାନେ ଚିରି ପକାଇଥିଲେ।

ଏହି ସାଇକେଲ ଶୋଭାଯାତ୍ରାରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସି ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଜି. ରୁଦ୍ର ରାଜୁ, ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧୀରାଜ ପାଣିଗ୍ରାହୀ, ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅନୁଲେଖା ବୁଷା, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂପାଦକ ଆଦିତ୍ୟ ଚୌଧୁରୀ, କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ଓ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବିଜୟଲକ୍ଷ୍ମୀ ସାହୁ, ଦେବାଶିଷ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ମନୋରଂଜନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିଶ୍ବଭୂଷଣ ଦାସ, ପଦ୍ମାକର ଗୁରୁ, ମମତା କୁଣ୍ଡୁଙ୍କ ସମେତ ବହୁ ମହିଳା, ଛାତ୍ର, ଯୁବ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲେ।

ରାଜ୍ୟ ମହିଳା କଂଗ୍ରେସର ପ୍ରତିବାଦ
ଭୁବନେଶ୍ବର: ତୈଳ ଦର ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ବିରୋଧରେ ଆଜି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ବରେ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ଯାଏ ଯାଇଥିଲା। ମହିଳା କଂଗ୍ରେସ କର୍ମୀମାନେ ଗ୍ୟାସ୍‌ ଟାଙ୍କି, ପ୍ଲାକାର୍ଡ ଓ ବ୍ୟାନର ଧରି ପ୍ରତିବାଦ ଜଣାଇଥ‌ିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ।

ଏହାପୂର୍ବରୁ କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପିସିସି ସଭାପତି, ଏଆଇସିସି ସମ୍ପାଦକ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶତାବ୍ଦୀ ସୂର୍ଯ୍ୟସ୍ନାତା ଓ ସ୍ବାତୀ ଦାସ କଂଗ୍ରେସରେ ସାମିଲ ହୋଇଥିଲେ। ଏହାସହ ପୁରୀ ଜିଲ୍ଲା ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ବିଳାସିନୀ ଦାଶ ଓ ପ୍ରାକ୍ତନ ଉପସଭାପତି ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଉଭୟ କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ସାହୁ, ମଧୁମିତା ପଣ୍ଡା, ମମତା କୁଣ୍ଡୁ, ପ୍ରତିମା ମଲ୍ଲିକ, ଦୀପ୍ତିରାଣୀ ପ୍ରଧାନ, ନିରୁପମା ଦାସ, ଶୋଭା ସିଂ, ଅନୁସୟା ଜେନା, ଶ୍ରୀୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ସ୍ବାଧୀନବାଳା ଦାସ, ପ୍ରଣତୀ ମିଶ୍ର ଓ ଅନ୍ୟ ମହିଳା ନେତ୍ରୀମାନେ ସାମିଲ ହୋଇଥିଲେ।