ଭୁବନେଶ୍ୱର: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଉଦସୀନତା ଯୋଗୁଁ ଗତ ଶନିବାର ଦିନ ମାତ୍ର ଏକ ଘଣ୍ଟାରେ ବର୍ଷାରେ ଇସ୍କନ ମନ୍ଦିର ପାଖରେ ୫ ଫୁଟର ପାଣି ଜମା ହୋଇ ରହିଲା। ଏଥିରେ ବାଇକ ଗୁଡ଼ିକ ତ ବୁଡ଼ିଗଲା, ତା ସହିତ କାର ଗୁଡ଼ିକ ମଧ୍ୟ ବୁଡ଼ିଗଲା। ଜାତୀୟ ରାଜପଥ ଏକ ହ୍ରଦର ଭ୍ରମ ସୃଷ୍ଟିକଲା। ଏହାର ପ୍ରତିବାଦରେ ଆଜି ଅଣ୍ଟା ଭିଡ଼ିଛି କଂଗ୍ରେସ ଦଳ। ଯେଉଁ ପାଣି ନିଷ୍କାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବର୍ଷ ବର୍ଷ ଧରି ଜାତୀୟ ରାଜପଥ ପ୍ରାଧିକରଣ ଅବହେଳା କରୁଛି,ସେହି ପାଣି ମାଧ୍ୟମରେ ସ୍ଥାନୀୟ କାର୍ଯ୍ୟାଳୟର କର୍ତ୍ତୃପକ୍ଷଙ୍କୁ ପାଠ ପଢ଼ାଇବା ପାଇ ଆଜି ସକାଳୁ କଂଗ୍ରେସ ପକ୍ଷରୁ ଅଭିନବ ପନ୍ଥା ଆପଣା ଯାଇଛି। ଟ୍ୟାଙ୍କରରେ ପାଣି ନେଇ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଫିସ ଭିତରେ ପମ୍ପ ଯୋଗେ ପାଣି ଭର୍ତ୍ତି କରି ଦେଇଛନ୍ତି। ଏହାକୁ ନେଇ ସେଠରେ ଏକ ଅପ୍ରୀତିକର ପରସ୍ଥିିତି ସଷ୍ଟି ହୋଇଛି।
/sambad/media/post_attachments/wp-content/uploads/2018/07/NHAI-Office_2-300x153.jpg)
ସୂଚନାଯୋଗ୍ୟ ଯେ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରାୟ ୧ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ଜାତୀୟ ରାଜପଥର ଇସ୍କନ ମନ୍ଦିର ପାଖରେ ୫ ପୁଟ ପାଣି ଜମା ହୋଇ ରହିଥିଲା। ଜାତୀୟ ରାଜପଥ ସମ୍ପ୍ରସାରଣ ଓ ଓଭର ବ୍ରିଜ୍ ନିର୍ମାଣ ହେବା ବେଳେ ବର୍ଷା ଜଳ ନିଷ୍କାସନ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ବିଏମ୍ସି ପକ୍ଷରୁ କୁହାଗଲା। ଏପରିକି ଭୁବନେଶ୍ୱର ପୌର ନିଗମ ବାରମ୍ବାର ଏ ନେଇ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ ଏନଏଚଏଆଇ କର୍ତ୍ତୃପକ୍ଷ ଉଦାସୀନ ରହିଛନ୍ତି ବୋଲି ବିଏମସି ପକ୍ଷରୁ କୁହାଗଲା।
ଏହା ପ୍ରତିବାଦରେ ଆଜି କଂଗ୍ରେସ ନେତା ସୁର ରାଉତରାୟ ଓ ମାନସ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ନୂଆପଲ୍ଲୀସ୍ଥିତ ଏନଏଚଏଆଇ ଅଫିସରେ ପଶିବା ସହିତ ସାଙ୍ଗରେ ନେଇଥିବା ପାଣି ଟ୍ୟାଙ୍କରରୁ ପାଣି ନେଇ ଅଫିସ ଭିତରେ ଢ଼ାଳି ଦେଇଛନ୍ତି। ଯଦି ତୁରନ୍ତ ଭୁବନେଶ୍ୱରର ଇସ୍କନ ମନ୍ଦିର ପାଖରେ ଜଳ ନିଷ୍କାସନ ପାଇଁ ଏନଏଚଏ ଆଇ କର୍ତ୍ତୃପକ୍ଷ ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲିି କଂଗ୍ରେସ କର୍ମୀମାନେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/NHAI-Office_Thumbnail.jpg)