ଭୁବନେଶ୍ୱର: ରାସ୍ତା କଡ଼ରେ କିମ୍ବା ଗଳିରେ ବୁଲା ବିକାଳି ବୁଲିବେ ନାହିଁ। ସେମାନଙ୍କୁ ଥଇଥାନ କରିବା ସହିତ ଅର୍ଥ ଉପାର୍ଜନ ପାଇଁ ଗତ ବର୍ଷ ନଭେମ୍ୱରରେ କଞ୍ଜର୍‌ଭାନ୍‌ସି ଲେନ୍‌ଗୁଡ଼ିକ ଭଡ଼ାରେ ଲଗାଇବା ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା ହୋଇଥିଲା। କେଉଁ ଅଞ୍ଚଳରେ କେତେ ବୁଲାବିକାଳି ଅଛନ୍ତି ସେନେଇ ହିସାବ କରାଯିବ ବୋଲି କୁହାଯାଇଥିଲା। ଏପରିକି ବ୍ୟବସାୟୀମାନଙ୍କୁ ନିର୍ଦ୍ଦିଷ୍ଟ ଲେନ୍‌ରେ ଟ୍ୟାଗ୍‌ କରାଯିବା ସହିତ  ସେମାନେ କିଭଳି ଅନ୍ୟ ଲେନ୍‌ରେ ବସିବେ ନାହିଁ,  ତାହା ସୁନିଶ୍ଚିତ କରିବା ପାଇଁ ବିଏମସିର ମାସିକ ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ସୁଦ୍ଧା ଏଯାବତ ଏହା କାର୍ଯ୍ୟକାରୀ ହେଇପାରିନାହିଁ। 

Advertisment

ରାଜଧାନୀର ପ୍ରତ୍ୟେକ ଵାର୍ଡରେ କଞ୍ଜରଭାନ୍‌ସି ଲେନଗୁଡ଼ିକ ବର୍ଷ ବର୍ଷ ଧରି ପରିତ୍ୟକ୍ତ ସ୍ଥିତି ପଡ଼ିରହିଥିଲା। ଏଥିରେ ପେଭର୍‌ ବ୍ଲକ୍‌ ପକାଇବା ପାଇଁ ବିଏମ୍‌ସି ୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ହେଲେ ବର୍ତ୍ତମାନ ତାହା ଆବର୍ଜନାର ପେଣ୍ଠସ୍ଥଳୀ ପାଲଟିଛି। ପରିଚାଳନା ଅଭାବରୁ ସହରର ୟୁନିଟ୍‌ ୧, ସହିଦନଗର, ୟୁନିଟ୍‌ ୯, ସତ୍ୟନଗର, ୟୁନିଟ୍‌ ୬, ବାପୁଜୀନଗର ଆଦି ସ୍ଥାନରେ ଥିବା ଲେନ୍‌ଗୁଡ଼ିକ ଏବେ ପୁଣି ଜବରଦଖଲ ସହ ଆବର୍ଜନାପୂର୍ଣ୍ଣ ହୋଇଗଲାଣି। ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି,  ଲେନ୍‌ଗୁଡ଼ିକର ଆକାର ସବୁଠାରେ ସମାନ ନାହିଁ। କେଉଁଠି ଦୋକାନୀମାନେ ବସିଲେ ଗ୍ରାହକମାନେ ମଧ୍ୟ ଯାତୟାତ କରିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଜେଡିସିମାନେ ତଦାରଖ କରିସାରିବା ପରେ ଖୁବ୍‌ଶୀଘ୍ର ଏହା ଲାଗୁ ହେବ।