ଓପିଏସ୍‌ସିରେ ସଂରକ୍ଷଣ ବିବାଦ : ଦିବ୍ୟାଙ୍ଗଙ୍କୁ ମିଳୁନି ୪% ସଂରକ୍ଷଣ

ଭୁବନେଶ୍ୱର : ୨୦୧୯-୨୦ ଓପିଏସ୍‌ସିର ଗ୍ରୁପ୍-ଏ(ଓଏଏସ୍, ଓପିଏସ୍, ଓଏଫ୍‌ଏସ୍)ର ୪୬ଟି ଓ ଗ୍ରୁପ୍ ବି(ଓସିଏସ୍, ଓଆର୍‌ଏସ୍, ଓଟି ଆଣ୍ଡ୍ ଏସ୍)ର ୧୦୭ଟି ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। କିନ୍ତୁ ୨୦୧୬ ଧାରା ୩୪ ଆର୍‌ପିଡବ୍ଲ୍ୟୁଡି ଅନୁଯାୟୀ ଦିବ୍ୟାଙ୍ଗଙ୍କୁ ସମସ୍ତ କ୍ଷେତ୍ରରେ ୪% ସଂରକ୍ଷଣ ଦେବାର ନିୟମ ଥିଲେ ମଧ୍ୟ ଏଥର ଏହି ନିୟମକୁ ଉଲ୍ଲଘଂନ କରାଯାଇଥିବା ଅଭିଯୋଗ ହୋଇଛି। ନିୟମାନୁସାରେ ଦୃଷ୍ଟିବାଧିତଙ୍କ ପାଇଁ ୧%, ବାକ୍ ଓ ଶ୍ରବଣ ଶକ୍ତିବାଧିତଙ୍କ ପାଇଁ ୧%, ଚଳନବାଧିତଙ୍କ ପାଇଁ ୧%, ବୌଦ୍ଧିକ ଅକ୍ଷମତା ତଥା ଏକାଧିକ ଅକ୍ଷମତା ଥିବା(ମଲ୍ଟିପୁଲ୍ ଡିଜାବିଲିଟିଜ୍‌) ବ୍ୟକ୍ତିଙ୍କ ପାଇଁ ୧% ସଂରକ୍ଷଣ ବ୍ୟବସ୍ଥା ରହିଛି। ଅର୍ଥାତ୍‌ ଚଳିତ ବର୍ଷ ଦିବ୍ୟାଙ୍ଗଙ୍କ ପାଇଁ ୬ଟି ପଦବି ସଂରକ୍ଷଣ ରହିବା କଥା। ମାତ୍ର ଚଳିତ ବର୍ଷ ସର୍ବମୋଟ ୧୫୩ ପଦବିରୁ ମାତ୍ର ୩ଟି ପଦବିି ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ୧୦୦ ରୋଷ୍ଟର ପଏଣ୍ଟ୍ ମଡେଲ ନିୟମର ସଠିକ୍ ପ୍ରଣୟନ ଅଭାବରୁ ଦିବ୍ୟାଙ୍ଗଙ୍କ ନିମିତ୍ତ ସଂରକ୍ଷିତ ପଦବି ଅନ୍ୟମାନଙ୍କ ପାଖକୁ ଚାଲି ଯାଉଛି ବୋଲି ରାଜ୍ୟ ବିକଳାଙ୍ଗ ମଞ୍ଚ ଅଭିଯୋଗ କରିଛି।

୧୦୦ ରୋଷ୍ଟର୍ ପଏଣ୍ଟ ମଡେଲ୍ ଅନୁଯାୟୀ ପ୍ରତି ବିଭାଗରେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ ରହିବା କଥା। ସେହି ଅନୁସାରେ ୧ମ ପଦବିଟି ଦୃଷ୍ଟିବାଧିତ(ବି/ଏଲଭି)ଙ୍କ ପାଇଁ ଥିବା ବେଳେ ୨୬ତମ ପଦବି ବାକ୍ ଓ ଶ୍ରବଣ ଶକ୍ତିବାଧିତ(ଡି/ଏଚଏଚ), ୫୧ତମ ପଦବି ଚଳନବାଧିତ(ଏଲଡି/ସିପି), ୭୬ତମ ପଦବି ବୌଦ୍ଧିକ ଅକ୍ଷମତା ତଥା ମାନସିକ ରୋଗୀ ଓ ଏକାଧିକ ଅକ୍ଷମତାଙ୍କ ପାଇଁ(ଏମଡି/ଅଟିଜିମ୍) ଉଦ୍ଦିଷ୍ଟ ରହିଛି। ମାତ୍ର ଉକ୍ତ ମଡେଲର ଠିକ୍‌ରେ କାର୍ଯ୍ୟକାରୀ ହେଉନଥିବାରୁ ଚଳିତ ବର୍ଷ(୨୦୧୯-୨୦) ଗ୍ରୁପ୍ ଏରେ ଥିବା ଓଏଏସ୍ ପଦବିରେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ ପଦବିଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କୁ ମିଳିପାରୁନାହିଁ ବୋଲି ଅଭିଯୋଗ ହୋଇଛି। ଖାଲି ଓଏଏସ୍ ପଦବି ନୁହେଁ ଓଏଫ୍ଏସ୍ ଓ ଗ୍ରୁପ୍ ବି’ର ଓସିଏସ୍, ଓଆରଏସ୍, ଓଟି ଆଣ୍ଡ୍ ଏସ୍ ପଦବିରେ ମଧ୍ୟ ସଠିକ୍ ରୂପେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ଦିଆଯାଇନାହିଁ। ଫଳରେ ଦିବ୍ୟାଙ୍ଗମାନେ ୩ଟି ପଦବିରୁ ବଞ୍ଚିତ ହେବାକୁ ଯାଉଛନ୍ତି ବୋଲି ମଞ୍ଚ କ୍ଷୋଭ ପ୍ରକାଶ କରିଛି।

ଏନେଇ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସଙ୍କୁ ପଚରାଯିବାରୁ ସେ ଏହି ଘଟଣାର ତଦନ୍ତ କରି ଓପିଏସ୍‌ସିକୁ କାରଣ ଦର୍ଶାଅ ନୋଟିସ୍ କରିଥିବା କହିଛନ୍ତି। ତେବେ ରୋଷ୍ଟର ପଏଣ୍ଟ୍ ମଡେଲ୍‌କୁ ଠିକ୍ ରୂପେ କାର୍ଯ୍ୟକାରୀ କରାଯାଉନଥିବା ପଛରେ କି ଉଦ୍ଦେଶ୍ୟ ରହିଛି, ତାହା ବଡ଼ ପ୍ରଶ୍ନ। ରାଜ୍ୟ ସରକାର ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତରେ ମିଶାଇବା ପାଇଁ ଆନ୍ତରିକତା ଅଛି, ନା କେବଳ ଲୋକଦେଖାଣିଆ ପାଇଁ ଖାଲି ଆୟୋଗ ଖୋଲିଛନ୍ତି ବୋଲି ପ୍ରଶ୍ନ ଉଠୁଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ୭୯୬ଟି ଗ୍ରୁପ୍ ଏ ପଦବି ପାଇଁ ୟୁପିଏସ୍‌ସି ବିଜ୍ଞାପନ ବାହାର କରିଛି। ନିୟମାନୁସାରେ ଭିନ୍ନକ୍ଷମଙ୍କ ପାଇଁ ୪% ସଂରକ୍ଷଣ ଆଧାରରେ ୩୨ଟି ପଦବି ରହିବା କଥା, କିନ୍ତୁ ସେଠାରେ ମାତ୍ର ୨୪ଟି ପଦବି ସଂରକ୍ଷିତ ହୋଇଛି। ୮ଟି ପଦବିରୁ ଦିବ୍ୟାଙ୍ଗମାନେ ବଞ୍ଚିତ ହୋଇଥିବାରୁ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗମାନଙ୍କ ହକ୍‌ ଛଡ଼ାଇ ନେଉଛନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର