ଟଙ୍କା ଆଦାୟ ନେଇ ଅଡିଓ ଭାଇରାଲ୍ ହୋଇଥିଲା
ଚାକିରି ପାଇଁ ଟଙ୍କା ମାଗୁଥିବା ରାଜନେତା କିଏ?

Advertisment

ଭୁବନେଶ୍ବର : ଲୋୟର ପିଏମଜିରେ ଚାଲିଥିବା ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା ପଛରେ ରହିଛି ଷଡ଼୍‌ଯନ୍ତ୍ର। ଧାରଣାରତ ସ୍ବାସ୍ଥ୍ୟକର୍ମୀଙ୍କୁ ସରକାରୀ ଚାକିରି ମିଳିବାର ପ୍ରଲୋଭନ ଦେଖାଇ କିଛି ଦଲାଲ ସେମାନଙ୍କୁ ଆନ୍ଦୋଳନରେ ବସାଇଛନ୍ତି। ଏଥିପାଇଁ ସରକାରୀ ଅଫିସରଙ୍କୁ ଲାଞ୍ଚ ଦିଆଯିବ କହି ଏହି ଦଲାଲମାନେ ମୋଟୋ ଅଙ୍କର ଟଙ୍କା ମଧ୍ୟ ଆଦାୟ କରିଛନ୍ତି। ଧାରଣା ପଛରେ ଏଭଳି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ଆଉ ଏହି ଦଲାଲମାନଙ୍କର କଥାବାର୍ତ୍ତାର ଅଡିଓ ପ୍ରମାଣ ମିଳିବା ପରେ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେମାନେ ହେଉଛନ୍ତି କେ. ଅଶ୍ୱିନୀ ଦୋରା, ସନ୍ତୋଷ ସାହୁ ଓ ରାଜ କିଶୋର ଆଦାରି। ସେମାନଙ୍କଠାରୁ ମୋବାଇଲ ଓ ୫୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।

ଏଏନ୍‌ଏମ୍‌ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଠକିବା ନେଇ ହୋଇଥିବା ଯୋଜନା ସଂପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏପରିକି କିଛି ସ୍ବାସ୍ଥ୍ୟକର୍ମୀ ସ୍ଥାୟୀ ନିଯୁକ୍ତି ପାଇବା ଆଶାରେ ଟଙ୍କା ଦେଇଛନ୍ତି। ଏହାକୁ ଭିତ୍ତି କରି କ୍ୟାପିଟାଲ୍ ଥାନା ପୁଲିସ୍ ଗତକାଲି ସନ୍ଧ୍ୟାରେ ଆସ୍କାର କେ ଅଶ୍ବିନୀ ଦୋରାଙ୍କୁ ଅଟକ ରଖିଥିଲା। ପରେ ବିଳମ୍ବିତ ରାତିରେ ତାରାସିଙ୍ଗିର ସନ୍ତୋଷ ସାହୁ ଓ କବିସୂର୍ଯ୍ୟନଗରର ରାଜକିଶୋର ଆଦାରିଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।

ସବୁଠୁ ବଡ଼ କଥା ହେଉଛି, ପୁଲିସ୍ ହାତରେ ଯେଉଁ ଅଡିଓ ଟେପ୍ ଲାଗିଛି, ସେଥିରେ କିଛି ରାଜନୈତିକ ଦଳର ବ୍ୟକ୍ତିଙ୍କ ସଂପୃକ୍ତି ଥିବା ପ୍ରମାଣ ମିଳିଛି ବୋଲି ଡିସିପି ଶ୍ରୀ ଦାସ କହିଛନ୍ତି। ତେବେ ସେହି ନେତା ଜଣକ କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଏବଂ ନିଯୁକ୍ତିପତ୍ର ପାଇବା ପରେ ଆଉ ୧୦ ହଜାର ଟଙ୍କା ଦିଆଗଲେ ସ୍ଥାୟୀ ଚାକିରି ମିଳିବ ବୋଲି କୁହାଯାଉଛି। ତେବେ ଭାଇରାଲ୍ ଅଡିଓ ଟେପ୍‌କୁ ନେଇ ପୁଲିସ୍ ଏହି ପଦକ୍ଷେପ ନେଇଛି ନା ଆଗକୁ ସାଧାରଣତନ୍ତ୍ର ଦିବସ ଆସୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପ୍ରଥମେ ଗତ ଡିସେମ୍ବର ୨୨ରେ ଏଏନ୍‌ଏମ୍‌ମାନଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ଅର୍ଥ କାରବାରର ଏକ ଅଡିଓ ଟେପ୍ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସ୍ଥାୟୀ ଚାକିରି କରିବାକୁ ହେଲେ ୧୫ରୁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଶୁଣିବାକୁ ମିଳିଥିଲା। ଏପରିକି ଏକ ଆଞ୍ଚଳିକ ରାଜନୈତିକ ଦଳର ଜଣେ ବଡ଼ ନେତା ଚାକିରି କରାଇଦେବା ପାଇଁ ଏହି ଟଙ୍କା ନେଉଥିବା ଅଡିଓ ଭାଇରାଲ୍ ହୋଇଥିଲା। ହେଲେ ଅଡିଓ ଭାଇରାଲ୍ ହେବାର ଦୀର୍ଘ ୧୭ ଦିନ ପରେ ପୁଲିସ୍ ଆଉ ଏକ ଅଡିଓକୁ ନେଇ ତନାଘନା କରିବା ଏବେ ସନ୍ଦେହ ସୃଷ୍ଟି କରିଛି। ଯଦି ଭାଇରାଲ୍ ଅଡିଓକୁ ନେଇ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉଛି, ତେବେ ଏହି ଅଡିଓ ଟେପ୍‌କୁ ନେଇ ପୁଲିସ୍ ତନାଘନା କରିବ କି? ଏହା ସହିତ କେବଳ ଟଙ୍କା ଆଦାୟ ପାଇଁ ଉକ୍ତ ରାଜନୈତିକ ଦଳର ନାଁ ନିଆଯାଉଥିଲା ନା ସତରେ ଦଳର ନେତାଙ୍କ ସଂପୃକ୍ତି ଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଡିସିପି ଶ୍ରୀ ଦାଶ କହିଛନ୍ତି, ଧାରଣରତ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଜଣ ପିଛା ୧୫ ହଜାର ଲେଖାଏଁ ଟଙ୍କା ନେଉଥିବା ପ୍ରମାଣ ପୁଲିସ ପାଖରେ ପହଞ୍ଚିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଏହି ରୢାକେଟ୍‌ରେ ଆହୁରି କେତେକ ଦଲାଲ ମଧ୍ୟ ଅଛନ୍ତି, ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ। ତେବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଅଡିଓର ସତ୍ୟାସତ୍ୟ ଯାଞ୍ଚ ନ କରି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ କେତେଦୂର ଠିକ୍‌ ତାହା ତଦନ୍ତସାପେକ୍ଷ ବୋଲି ଗିରଫ ହୋଇଥିବା ଯୁବକମାନେ କହିଛନ୍ତି।