ଭୁବନେଶ୍ବର: ବିଏମ୍ସି କରିଥିବା ଭେଇକିଲ୍ ଟେଣ୍ଡର ପଛରେ ବିଧିବଦ୍ଧ ଷଡ୍ଯନ୍ତ୍ର ରହିଛି। ଏହା ପଛରେ ଥିବା ଷଡ୍ଯନ୍ତ୍ରର ପ୍ରମାଣ ‘ସମ୍ବାଦ’ ହାତରେ ଲାଗିଛି। ନିର୍ଦ୍ଦିଷ୍ଟ ସଂସ୍ଥାକୁ ଠିକା ଦେବା ପାଇଁ ଯେଉଁ ମସୁଧା ହୋଇଥିଲା ସେଥିରେ ସଫଳ ହେବା ପଛରେ ଷଡ୍ଯନ୍ତ୍ର କାମ କରିଛି। ଟେଣ୍ଡର ପ୍ରକ୍ରିୟାରେ ଏଲ୍-୧ ଓ ଏଲ୍-୨ ଥିବା ଦୁଇଟି ସଂସ୍ଥାରେ ସମାନ ଲୋକ ନିର୍ଦ୍ଦେଶକ ଭାବରେ ରହିଛନ୍ତି। ନିଜ ସଂସ୍ଥାଙ୍କୁ ଏକାଠି କରି ଟେଣ୍ଡର ନାଁରେ ପ୍ରହସନ କରାଯାଇଛି। ଏତିକି ନୁହେଁ, ବରଂ ଟେଣ୍ଡର ନେବା ପାଇଁ ଯେଉଁ ଚୁକ୍ତି ରହିଛି ତାହା ମଧ୍ୟ ସମ୍ପୃକ୍ତ ସଂସ୍ଥା ହିସାବରେ ରଖାଯାଇଛି। ବାର୍ଷିକ ଆର୍ଥିକ କାରବାର(ଟର୍ଣ୍ଣ ଓଭର)କୁ ନେଇ ରଖା ଯାଇଥିବା ସର୍ତ୍ତ କେବଳ, ସମ୍ପୃକ୍ତ ସଂସ୍ଥା ପାଇଁ ହିଁ ବିଏମ୍ସି ଧାର୍ଯ୍ୟ କରିଥିବା ଅଭଯୋଗ ହୋଇଛି।
ବିଭିନ୍ନ ପ୍ରକାରର ଯାନ ବାହାନ ପାଇଁ ବିଏମ୍ସି କରିଥିବା ଭେହିକିଲ୍ ଟେଣ୍ଡରରେ ୪ଟି ସଂସ୍ଥା ଭାଗ ନେଇଥିଲେ। ସେରାୱାଲି ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଃ ଲିଃ ୨୨ହଜାର ୯୪୦ ଟଙ୍କା ଭଡ଼ା ଦର୍ଶାଇ ଏଲ୍-୧ ବିଡର ଭାବରେ ଠିକା ପାଇଥିବା ବେଳେ ସିଂହାଦ୍ରି ଇଞ୍ଜିନିୟର୍ସ ଆଣ୍ଡ ଷ୍ଟିଭିଡୋର୍ସ ପ୍ରାଃ ଲିଃ ୨୩ହଜାର ୩୨୦ ଟଙ୍କା ଭଡ଼ା ଦର୍ଶାଇ ଏଲ୍-୨ ହୋଇଥିଲା। ଇଷ୍ଟର୍ଣ୍ଣ ଇଞ୍ଜିନିୟରିଂ ୨୩ହଜାର ୩୫୬ ଓ ପିଏମ୍ଆର୍ କନ୍ସୋରସିୟମ ୨୪ହଜାର ୮୨୬ ଟଙ୍କା ଭଡ଼ା ଦର୍ଶାଇଥିଲା। ସବୁଠାରୁ କମ୍ ଭଡ଼ା ଦର୍ଶାଇଥିବାରୁ ନିୟମ ମୁତାବକ ସେରାୱାଲି ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଃ ଲିଃ ସହ ବିଏମ୍ସି ଚୁକ୍ତି କରିଥିଲା। ସେରାୱାଲି ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଃ ଲିଃ ଓ ସିଂହାଦ୍ରି ଇଞ୍ଜିନିୟର୍ସ ଆଣ୍ଡ ଷ୍ଟିଭିଡୋର୍ସ ପ୍ରାଃ ଲିଃ ଉଭୟ ସଂସ୍ଥାର ନିର୍ଦ୍ଦେଶକ ଭାବରେ ଦଲଜିତ ସିଂହ କଙ୍ଗ୍ ଓ ଅଭିମନ୍ୟୁ ବେହେରା ରହିଛନ୍ତି। ଉଭୟ ସଂସ୍ଥାର ଟେଣ୍ଡରରେ ଦର୍ଶାଇଥିବା ଭଡ଼ାରେ ୩୮୦ ଟଙ୍କା ପାର୍ଥକ୍ୟ ରହିଥିଲା। ଏଣୁ ଏହା ଏକ ବିଧିବଦ୍ଧ ଷଡ୍ଯନ୍ତ୍ର ବୋଲି ଅଭିଯୋଗ ହୋଇଛି।
ନିର୍ଦ୍ଦିଷ୍ଟ ସଂସ୍ଥାକୁ ଠିକା ଦେବା ପାଇଁ ମସୁଧା ହୋଇଥିଲା
ଦୁଇଟି ସଂସ୍ଥାରେ ସମାନ ଲୋକ
ବିଏମ୍ସିର ନିଜ ଗାଡ଼ି ବି ପରିଚାଳନା କରିଥାନ୍ତା ଠିକା ସଂସ୍ଥା
ବଡ଼କଥା ହେଉଛି ବିଏମ୍ସି ଯେଉଁ ଆରଏଫ୍ପିରେ ଜାରି କରିଥିଲା ସେଥିରେ କେବଳ ୧୫୧(ହାଲୁକା ଓ ଭାରୀ)ଗାଡ଼ି ଆବଶ୍ୟକ ବୋଲି ଲେଖିଥିଲା। ଏହି ସଂଖ୍ୟା ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ଦେଖି ବଢ଼ିପାରେ ବୋଲି ଦର୍ଶାଇଥିଲା। କିନ୍ତୁ ଯେତେବେଳେ ଠିକା ସଂସ୍ଥା ଚୁକ୍ତି ହେଲା ସେତେବେଳେ ଅଧିକାରୀ ମନଇଚ୍ଛା କାମ କରିଥିଲେ। ଚୁକ୍ତିପତ୍ରରେ ଲେଖା ହୋଇଥିଲା କି ବିଏମ୍ସିର ନିଜସ୍ବ ସମସ୍ତ ଗାଡ଼ି ଏହି ସଂସ୍ଥା ପରିଚାଳନା କରିବ। ଏଥିରେ ମହାଯାତ୍ରା, ପାଣିଟ୍ୟାଙ୍କର, ଏକ୍ସାଭେଟର, ହାଇଡ୍ରଲିକ୍ ଲ୍ୟାଡର ପ୍ରଭୃତି ସମ୍ପୃକ୍ତ ସଂସ୍ଥାକୁ ହସ୍ତାନ୍ତର କରାଯିବ। ଏହା ସହିତ ଅନ୍ୟ ସମସ୍ତ ଗାଡ଼ି ଯାହା ଅନ୍ଲାଇନ୍ ବୁକିଂ ହେଉଛି ତାହା ମଧ୍ୟ ପରିଚାଳନା କରିବାକୁ ଚୁକ୍ତି ରହିଥିଲା। ଏହା ସହିତ ସବୁଜ ବର୍ଜ୍ୟ ବୋହିବା ପାଇଁ ବିଏମ୍ସି କିଣିଥିବା ଗାଡ଼ି ସମେତ ଅନ୍ୟ ସମସ୍ତ ଗାଡ଼ି ଠିକା ସଂସ୍ଥାକୁ ହସ୍ତାନ୍ତର ଯୋଜନା ହୋଇଥିଲା। ଏହି ସର୍ତ୍ତ ବାବଦରେ କାହା ପାଖରେ ଖବର ନଥିଲା। ବରଂ ଚୁକ୍ତିନାମା ସ୍ବାକ୍ଷର କରିଥିବା ଡେପୁଟି କମିସନରଙ୍କ ପାଖରେ ହିଁ ଏଭଳି ଯୋଜନା କରିଥିବା ଅଭିଯୋଗ ହୋଇଛି।
ଯେଉଁ ଦର ଧାର୍ଯ୍ୟ ହୋଇଥିଲା ସେଥିରେ ମଧ୍ୟ ଘୋଟାଲା ହୋଇଥିଲା। ହାଇୱା/ଟିପର ଭଡ଼ା ଧାର୍ଯ୍ୟ କରିବା ପାଇଁ ପୂର୍ତ୍ତ ବିଭାଗ ରେଟ୍ ସିଡ୍ୟୁଲ୍କୁ ବିଏମ୍ସି ଅନୁସରଣ କରିଥିଲା। ଘଣ୍ଟାକୁ ତେଲ ସହ ୯ଶହ ଟଙ୍କା ସିଡ୍ୟୁଲ୍ ରେଟ୍ ଥିବା ବେଳେ ବିଏମ୍ସି ୨ଶହ ଟଙ୍କା କମାଇ ତେଲ ବାଦ୍ ୭୦୦ ଟଙ୍କା ଧାର୍ଯ୍ୟ କରିଥିଲା। ଅର୍ଥାତ୍ ତେଲ ଯୋଗାଇ ବାବଦରେ ଲକ୍ଷଲକ୍ଷ ଟଙ୍କା ହେର୍ଫେର୍ କରିବାକୁ ବାଟ ରଖିଥିଲା। ଏହା ତ କେବଳ ଗୋଟିଏ ଉଦାହରଣ, ଏଭଳି ଗଦା ଗଦା ପ୍ରସଙ୍ଗ ରହିଛି ଯେଉଁଠି ଚୁକ୍ତିନାମା ପ୍ରସ୍ତୁତ ବେଳେ ଠିକା ସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ଦର ଧାର୍ଯ୍ୟ ବେଳେ ନା କର୍ପୋରେସନ ନା ଷ୍ଟାଣ୍ଡିଂ କମିଟି, କାହାର ପରାମର୍ଶ ଲୋଡ଼ା ଯାଇ ନାହିଁ। ଏବେ କର୍ପୋରେସନ ଟେଣ୍ଡରକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଧିକାରୀ ଠିକା ସଂସ୍ଥା ସହ ଆପୋଷ ବୁଝାମଣା ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି।