ଭୁବନେଶ୍ବର: ବନ୍ଧୁକ ଲାଇସେନ୍ସ ପାଇଁ ଡ୍ରାଇଭରକୁ ଲଗାଇ ନିଜ ଘର ଉପରକୁ ବୋମା ଓ ଗୁଳିମାଡ଼ କରିଥିବା ମାମଲାର ମୁଖ୍ୟ ଷଡ୍ଯନ୍ତ୍ରକାରୀ ଘୁଙ୍ଗୁର ମିଶ୍ରଙ୍କ ବିରୋଧରେ ଆହୁରି ସାଂଘାତିକ ଅଭିଯୋଗ ଆସିଛି। ତାଙ୍କ ସଂସ୍ଥାରେ କାମ କରୁଥିବା ଜଣେ ଯୁବତୀ ବ୍ଲାକ୍ମେଲ୍ର ଶିକାର ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଭରତପୁର ଥାନା ପୁଲିସ ଘୁଙ୍ଗୁରଙ୍କ ନାଁରେ ଏହି ମାମଲା ଯୋଡ଼ିଛି। ଫଳରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି।
ଯୁବତୀଙ୍କ ଅଭିଯୋଗ ଅନୁସାରେ ପାଖାପାଖି ବର୍ଷେ ହେବ ସେ ଘୁଙ୍ଗୁରଙ୍କ ସଂସ୍ଥାରେ କାମ କରୁଥିଲେ। ଦରମା ଦେବା ପାଇଁ ସେ ଯୁବତୀଙ୍କ ନାଁରେ ଏକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିଥିଲେ। ପରବର୍ତ୍ତୀ ସମୟରେ ଘୁଙ୍ଗୁର ସେହି ଆକାଉଣ୍ଟକୁ ନିଜ ବ୍ୟବସାୟ ପାଇଁ ବ୍ୟବହାର କରିବାକୁ କହିଥିଲେ। ଯୁବତୀଙ୍କ ବାରଣ ସତ୍ତ୍ବେ ଘୁଙ୍ଗୁର ସେହି ଆକାଉଣ୍ଟ ନମ୍ବରକୁ କିଛି ପ୍ରଭାବଶାଳୀ ଲୋକଙ୍କୁ ଦେଇଥିଲେ। ଏହାପରେ ବିଭିନ୍ନ ସଂସ୍ଥାରୁ ଯୁବତୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା। ପରେ ଘୁଙ୍ଗୁର ସମସ୍ତ ଟଙ୍କା ଉଠାଇ ନିଜ ଆକାଉଣ୍ଟକୁ ନେଉଥିଲେ। ଲକ୍ଷ ଲକ୍ଷ ଟଙ୍କା କାରବାର ଦେଖି ଯୁବତୀ ଚାକିରି ଛାଡ଼ିବା ପାଇଁ କହିଥିଲେ। ଏହାପରେ ଘୁଙ୍ଗୁର ତାଙ୍କୁ ଧମକାଇଥିଲେ। କିନ୍ତୁ ଯୁବତୀ ଚାକିରି ଛାଡ଼ିଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଘୁଙ୍ଗୁର ଯୁବତୀଙ୍କ ପଛରେ କିଛି ଅସାମାଜିକ ଯୁବକଙ୍କୁ ଲଗାଇ ଦେଇଥିଲେ। ଏମିତି କି ତାଙ୍କ ଚରିତ୍ର ସଂହାର କରିଥିଲେ। ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ତାଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ଼ ଆରମ୍ଭ କରିଛି।
ଯୁବତୀଙ୍କ ଅଭିଯୋଗ ପରେ ଘୁଙ୍ଗୁରଙ୍କ ବିରୋଧରେ ଆହୁରି ମାମଲା ଯୋଡ଼ିହେବ ବୋଲି ପୁଲିସ ଅନୁମାନ କରୁଛି। ବର୍ତ୍ତମାନ ତାଙ୍କୁ ଗିରଫ କରିବା ପାଇଁ ପୁଲିସର ୩ଟି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏକ ଟିମ୍ ରାଜ୍ୟ ବାହାରକୁ ଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/untitled-11-2025-11-06-06-56-20.jpg)