ଭୁବନେଶ୍ବର: ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ସହ ବନ୍ଧୁକ ଲାଇସେନ୍ସ ପାଇଁ ପୁଲିସ ଉପରେ ଚାପ ପକାଇବାକୁ  ଯାଇ ଭରତପୁର ଅଞ୍ଚଳର ଘୁଙ୍ଗୁର ମିଶ୍ର ନିଜ ଡ୍ରାଇଭର ଦ୍ବାରା ନିଜ ଘର ଉପରେ ବୋମା ମାଡ଼ ଓ ଗୁଳିମାଡ଼ କଲେ। ଗୁଳିମାଡ଼ ପାଇଁ ନିଜେ ଗୁଳି ଯୋଗାଇ ଦେଇଥିଲେ। ଏହି ଘଟଣାରେ ପୁଲିସ  ଘୁଙ୍ଗୁରଙ୍କ ଗାଡ଼ିଚାଳକ ଭରତପୁର ଅଞ୍ଚଳର ଚନ୍ଦନ ନାୟକ ଓରଫ ନନ୍ଦୁ(୨୭) ଓ ଚନ୍ଦୁର ଦୁଇ ସହଯୋଗୀ ଭରତପୁର କଳିଙ୍ଗ ଷ୍ଟୁଡିଓ ଅଞ୍ଚଳର ସନ୍ତୋଷ ମହାକୁଡ଼ ଓରଫ ସନ୍ତୁ(୨୫) ଏବଂ ମୁଣ୍ଡାସାହିର ଦେବାଶିଷ ମହାପାତ୍ର ଓରଫ ଦେବ(୨୪)ଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି, ୪ଟି ଖୋକା, ବାଇକ୍‌ ଓ ଅଟୋ ଜବତ କରିଛି।  ଆଜି ପୁଲିସ ସେବା ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଛନ୍ତି। ପୁଲିସ ଘୁଙ୍ଗୁରଙ୍କୁ ଖୋଜୁଥିବା କମିସନର ଶ୍ରୀ ସିଂହ ସୂଚନା ଦେଇଛନ୍ତି।

Advertisment

ନିଜ ଷଡ୍‌ଯନ୍ତ୍ରରେ ନିଜେ ଫସିଲେ
କିଛିମାସ ତଳେ ଘୁଙ୍ଗୁର କମିସନରେଟ୍‌ ପୁଲିସରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ହେଲେ ଏହାକୁ ପୁଲିସ ଖାରଜ କରିଥିଲା। ତେଣୁ ସେ ଲାଇସେନ୍ସ ପାଇବା ପାଇଁ ନନ୍ଦୁକୁ ବ୍ୟବହାର କରିଥିଲେ। ‌ନିଜ ଜୀବନ ପ୍ରତି ବିପଦ ଥିବା କଥାକୁ ପ୍ରମାଣ କରିବା ପାଇଁ ନନ୍ଦୁ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଡାକି ଷଡ୍‌ଯନ୍ତ୍ର କରିଥିଲେ। ଯୋଜନା ମୁତାବକ ସେମାନଙ୍କୁ ବ୍ୟବହାର କରି ନିଜ ଘର ଉପରକୁ ଗୁଳିମାଡ଼ କରିବା ପାଇଁ ଘୁଙ୍ଗୁର ନିଜେ ଅଭିଯୁକ୍ତଙ୍କୁ ଗୁଳି ଯୋଗାଇଥିଲେ। ସେମାନଙ୍କୁ ୫ଟି ଗୁଳି ଦେଇଥିଲେ। ଅଭିଯୁକ୍ତମାନେ ୪ରାଉଣ୍ଡ ଗୁଳି କରିଥିବା ବେଳେ ଗୋଟିଏ ଗୁଳି ରହିଯାଇଥିଲା। ଷଡ୍‌ଯନ୍ତ୍ରର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଘୁଙ୍ଗୁର ଫେରାର୍‌ଥିବାରୁ ପୁଲିସ ତାଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ବୋଲି କମିସନର ଶ୍ରୀ ସିଂହ କହିଛନ୍ତି।

ଧରାଇଲା ଗାଡ଼ି ନମ୍ବର 
ଗତ ସେପ୍ଟେମ୍ବର ୧୦ ତାରିଖ ରାତି ପାଖପାଖି ୧୧ଟା ସମୟରେ ଭରତପୁର ଅଞ୍ଚଳରେ ଥିବା ଘୁଙ୍ଗୁର ମିଶ୍ରଙ୍କ ଘର ପାଚେରିକୁ କେହି ଦୁର୍ବୃତ୍ତ ଲଗାତାର ଦୁଇଟି ବୋମା ମାଡ଼ କରିଥିଲେ। ଜୀବନପ୍ରତି ବିପଦ ଥିବା ଦର୍ଶାଇ ପରଦିନ ସକାଳେ ଘୁଙ୍ଗୁର ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଠିକ୍‌ ଏହାର ୨୫ଦିନ ପରେ ଅର୍ଥାତ ଅକ୍ଟୋବର ୪ ତାରିଖ ରାତିରେ ପୁଣି ଘୁଙ୍ଗୁରଙ୍କ ଘରକୁ ୪ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା। ପରଦିନ ଘୁଙ୍ଗୁରୁ ପୁଣି ପୁଲିସକୁ ଘଟଣା ସମ୍ପର୍କରେ ଜଣାଇବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଦର୍ଶାଇ ବନ୍ଧୁକ ଲାଇସେନ୍ସ ପାଇଁ ପୁଲିସ ଉପରେ ଚାପ ପକାଉଥିଲେ। 
ଡିସିପି ଜଗମୋହନ ମୀନା ଘଟଣାର ତଦନ୍ତ ପାଇଁ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଥାନା ପୁଲିସକୁ ନେଇ ଦୁଇଟି ଟିମ୍‌ ଗଠନ କରିଥିଲେ। ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍‌ଯାଞ୍ଚ ବେଳେ ଗୁଳିମାଡ଼ ଘଟଣାରେ ବୁଲେଟ୍‌ ଓ ବୋମାମାଡ଼ ଘଟଣାରେ ଅଟୋ ବ୍ୟବହାର ହୋଇଥିବା ଜାଣିପାରିଥିଲା। ପୁଲିସ ବାଇକ୍‌ ଓ ଅଟୋ ନମ୍ବରକୁ ନେଇ ଖୋଳତାଡ଼ କରି ଦେବ ଓ ସନ୍ତୁକୁ ଚହ୍ନଟ କରିଥିଲା।  ପୁଲିସ ଗତକାଲି ରାତିରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା। ଦେବଠାରୁ ବନ୍ଧୁକ ଓ ବାଇକ୍‌ ଜବତ କରିବା ସହ ସନ୍ତୁଠାରୁ ଅଟୋ ଜବତ କରି ଉଭୟଙ୍କୁ ଥାନାକୁ ଆଣିଥିଲା। ଜେରା ବେଳେ ସେମା‌ନେ ଘୁଙ୍ଗୁରଙ୍କ ଡ୍ରାଇଭର ନନ୍ଦୁ ସମ୍ପର୍କରେ କହିଥିଲେ। ନନ୍ଦୁ ସେମାନଙ୍କୁ ଏହି କାଣ୍ଡ ଘଟାଇବା ପାଇଁ ଟଙ୍କା ଦେଇଥିଲା। ପରେ ପୁଲିସ ନନ୍ଦୁକୁ ଗିରଫ କରିଥିଲା। ସେମାନଙ୍କୁ ଜେରା ବେଳେ ଜଣାପଡ଼ିଥିଲା ଯେ ଗତ ଅଗଷ୍ଟ ମାସରେ ଦେବ ବନ୍ଧୁକ କିଣିଥିଲା। ଜେରା ପରେ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଅନ୍ୟପଟେ ନନ୍ଦୁ ନାମରେ ଏକାଧିକ ଅପରାଧିକ ମାମଲା ଥିବା ପୁଲିସକୁ ସୂଚନା ମିଳିଛି।