୨୫ ଏକର ଜମି ଲିଜ୍‌ ରଦ୍ଦ ପାଇଁ ଷଡ଼୍‌ଯନ୍ତ୍ର, ତହସିଲଦାରଙ୍କୁ ଭେଟିଲେ ବିଧାୟକ

ବାଲିଅନ୍ତା: ବାଲିଅନ୍ତା ତହସିଲ ଅଧୀନ ଜଗନ୍ନାଥପୁର ମୌଜା କଲ୍ୟାଣପୁର ଫାର୍ମ ନିକଟରେ ଥିବା ଏକ ଅନାବାଦୀ କିସମର ସରକାରୀ ଜମିକୁ ଜଣେ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜ ନାମରେ କରାଇ ନେବାକୁ ଷଡ଼୍‌ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଏହି ଘଟଣା ପଦାକୁ ଆସିବା ପରେ ଜଗନ୍ନାଥପୁର ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୌଣସି ପରିସ୍ଥିତିରେ ବି ପାଖାପାଖି ୧୦୦କୋଟି ଟଙ୍କାର ଉକ୍ତ ଭୂ-ସମ୍ପତ୍ତିକୁ ସଂପୃକ୍ତ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ହାତରେ ଟେକିଦେବେ ନାହିଁ ବୋଲି ସ୍ଥାନୀୟ ଲୋକ କହି ଆସୁଛନ୍ତି। ତେବେ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି। ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ଢାଲିଙ୍କ ନେତୃତ୍ବରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ବାଲିଅନ୍ତା ତହସିଲଦାରଙ୍କ କୋର୍ଟରେ ପହଞ୍ଚି ପ୍ରତିବାଦ କରିଥିଲେ। କେଉଁ ସ୍ବାର୍ଥରେ ତତ୍କାଳୀନ ତହସିଲଦାର ସଂପୃକ୍ତ ବ୍ୟକ୍ତିଙ୍କୁ ଲିଜ୍‌ ହସ୍ତାନ୍ତର କଲେ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଥିଲେ। ଏଥିସହ ତୁରନ୍ତ ଜମିର ଲିଜ୍‌ ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଡ. ଢାଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ତହସିଲରେ ସରକାରୀ ଦେୟ ବାବଦରେ ୪ କୋଟି ଜମା କରି ବ୍ୟକ୍ତିଜଣକ ଲିଜ୍‌ ନେଇଥିବାରୁ ବିଭାଗୀୟ ଉପରିସ୍ଥ ଦପ୍ତରର ନିର୍ଦ୍ଦେଶକ୍ରମେ ଜମିର ଲିଜ ରଦ୍ଦ କରିବା ନେଇ ତହସିଲଦାର ରଶ୍ମିରେଖା ପ୍ରଧାନ ବିଧାୟକଙ୍କ ସହଯୋଗ ଲୋଡ଼ିଥିଲେ। ରାଜସ୍ବ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ଜୟଦେବ ସରପଞ୍ଚ ପ୍ରଜ୍ଞାପାରମିତା ଜେନାମଣି, ସରକଣା ସରପଞ୍ଚ ସୂର୍ଯ୍ୟନାରାୟଣ ଦାସ, ବଇଁଚୁଆ ସରପଞ୍ଚ ବିଜୟ ସାହୁ, ଜଗନ୍ନାଥପୁର ସରପଞ୍ଚ ସସ୍ମିତା ସାହୁ ଓ ସତ୍ୟଭାମାପୁର ସମିତି ସଭ୍ୟ ସନତ ସ୍ବାଇଁ ପ୍ରମୁଖଙ୍କ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ୨୦୧୩ ମସିହାରେ ଜମି ଲିଜ ଦିଆଯାଇଥିଲା। ତେବେ କିଛି ଅସାଧୁ ଅଧିକାରୀଙ୍କୁ ହାତ କରି ଏହାକୁ ଘରବାଡ଼ି କରି ନିଜ ନାମରେ ପଟ୍ଟା କରାଇନେବାକୁ ଷଡ଼୍‌ଯନ୍ତ୍ର ଆରମ୍ଭ କରିଥିବା ଜଣାପଡ଼ିବା ପରେ ପଞ୍ଚାୟତବାସୀ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି। ତେଣୁ ତହସିଲ ଖାତାକୁ ଜମି ମାଲିକାନା ଫେରାଇ ଆଣିବା ଦିଗରେ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର